ଶ୍ରେଷ୍ଠ ପ୍ରଦର୍ଶନ ଆଶାରେ ନୀରଜଙ୍କ ନେତୃତ୍ବାଧୀନ ଆଥଲେଟିକ୍ସ ଦଳ

ନୂଆଦିଲ୍ଲୀ: ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଜାଭଲିନ୍ ତାରକା ନୀରଜ ଚୋପ୍ରାଙ୍କ ନେତୃତ୍ବରେ ୩୬ ଜଣିଆ ଭାରତୀୟ ଦୌଡ଼କୁଦ ଦଳ ଅଂଶଗ୍ରହଣ କରିବ। ନୀରଜଙ୍କ ନେତୃତ୍ବରେ ଭାରତ ଏଥର ତା’ର ଶ୍ରେଷ୍ଠ ସଫଳତା ହାସଲ କରିବାକୁ ଲଢ଼ିବ। ତାଙ୍କ ଛଡ଼ା, ମୁରଲୀ ଶ୍ରୀଶଙ୍କର, ଅବିନାଶ ସାବ୍‌ଲେ, ଅନୁ ରାଣୀ, ସୀମା ଆନ୍ତିଲ ପ୍ରମୁଖ ଭାରତ ପାଇଁ ପ୍ରମୁଖ ପଦକ ଦାବିଦାର ରହିବେ।

ଭାରତ ଦୌଡ଼କୁଦରେ ଶ୍ରେଷ୍ଠ ସଫଳତା ୨୦୧୦ ନୂଆଦିଲ୍ଲୀ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ହାସଲ କରିଥିଲା‌। ସେଥର ଭାରତ ଦୌଡ଼କୁଦ ବା ଆଥଲେଟିକ୍ସରୁ ୨ ସ୍ବର୍ଣ୍ଣ, ୩ ରୌପ୍ୟ ଓ ୭ କାଂସ୍ୟ ପଦକ ସହ ୧୨ ପଦକ ଜିତିଥିଲା। ଏହି ସଫଳତାକୁ ବର୍ମିଂହାମରେ ଟପିବା କିନ୍ତୁ ଭାରତୀୟ ଦଳ ପାଇଁ ଆଦୌ ସହଜ ହେବନି। ତେବେ ଆମେରିକାର ୟୁଜିନରେ ଆୟୋଜିତ ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତାର ୬ଜଣ ଫାଇନାଲିଷ୍ଟ ଭାରତୀୟ ଦଳରେ ଥିବାରୁ ଏଥର ନୂଆଦିଲ୍ଲୀ ସଫଳତାକୁ ଭାରତୀୟ ଦଳ ଯଦି ଟପିଯାଏ ତା’ହେଲେ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ‌ସେହିଭଳି ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଦୌଡ଼କୁଦ ଇତିହାସକୁ ବିଚାରକୁ ନେଲେ ଜଣାପଡ଼େ ଯେ ଭାରତ ଏପର୍ଯ୍ୟନ୍ତ ଏହି ବହୁରାଷ୍ଟ୍ରୀୟ ପ୍ରତିଯୋଗିତାରେ ୨୮ (୫ ସ୍ବର୍ଣ୍ଣ, ୧୦ ରୌପ୍ୟ, ୧୩ କାଂସ୍ୟ) ପଦକ ଜିତିଛି। ପ୍ରଥମ ଭାରତୀୟ ଭାବେ କିଂବଦନ୍ତି ଧାବକ ମିଲଖା ସିଂହ ୧୯୫୮ରେ ୪୪୦ ଗଜ ଦୌଡ଼ରେ ଦୌଡ଼କୁଦରୁ ଭାରତ ପାଇଁ ପ୍ରଥମ ସ୍ବର୍ଣ୍ଣ ପଦକ ଜିତିଥିଲେ।

ତେବେ ଏଥରର ରାଜ୍ୟଗୋଷ୍ଠୀ ଦଳରେ ଥିବା ଧାବିକା ଧନଲକ୍ଷ୍ମୀ ସେକର ଓ ଟ୍ରିପଲ ଜମ୍ପର ଐଶ୍ବର୍ଯ୍ୟା ବାବୁ ଡୋପ୍ ଟେଷ୍ଟ୍‌ରେ ବିଫଳ ହେବା ଭାରତ ପାଇଁ ବଡ଼ ଝଟ୍‌କା ହୋଇଛି। ଧନଲକ୍ଷ୍ମୀ ୧୦୦ ମିଟରରେ ପଦକ ଜିତିବାର ସମ୍ଭାବନା ପ୍ରାୟ ନଥିଲା। ତେବେ ଭାରତୀୟ ୪ଗୁଣା୧୦୦ ମହିଳା ରିଲେ ଦଳ ପାଇଁ ସେ ନରହିବା ଏକ ଶକ୍ତ ଧକ୍କା। ସେପଟେ ଗତଥରର ସ୍ବର୍ଣ୍ଣ ବିଜେତା ନୀରଜ ଚୋପ୍ରା ପୁରୁଷ ଜାଭଲିନ୍‌ରେ ଲଗାତାର ଦ୍ବିତୀୟ ଥର ସ୍ବର୍ଣ୍ଣ ପଦକ ଜିତିବାକୁ ହେଲେ ତାଙ୍କୁ ନିଜ ଶ୍ରେଷ୍ଠ ପ୍ରଦର୍ଶନରୁ ବି ଭଲ ଦୂରତା ଛୁଇଁବାକୁ ହେବ। କାରଣ ଏହି ଇଭେଣ୍ଟ୍‌ରେ ତାଙ୍କୁ ଚମତ୍କାର ଫର୍ମରେ ଥିବା ଗ୍ରେନେଡାର ଆଣ୍ଡରସନ୍ ପିଟରସନ୍‌ (ଯିଏକି ୯୦ ମିଟରରୁ ଅଧିକ ଦୂରତାକୁ ଜାଭଲିନ୍ ଫିଙ୍ଗି ସାରିଛନ୍ତି)ଙ୍କ ସହ ପ୍ରତିଦ୍ବନ୍ଦ୍ବିତା କରିବାକୁ ହେବ। ଲମ୍ବଡିଆଁରେ ମହମ୍ମଦ ଆନିସ ୟାହିୟା, ଟ୍ରିପଲ ଜମ୍ପର ପ୍ରବୀଣ ଚିତ୍ରାଭେଲ, ଡିସକସ୍ ତାରକା ନବନୀତ କୌର ଢିଲୋଁ, ଉଚ୍ଚଡିଆଁ ତାରକା ତେଜସ୍ବିନ ଶଙ୍କର ପ୍ରମୁଖ ମଧ୍ୟ ପଦକ ଜିତିବାର ‌ଯଥେଷ୍ଟ ସମ୍ଭାବନା ରହିଛି। ଭାରତୟ ଦଳର ମହିଳା ରିଲେ ଦଳରେ ମଧ୍ୟ ଦୁଇ ଓଡ଼ିଆ ତାରକା ଦୂତି ଚାନ୍ଦ ଏବଂ ଶ୍ରାବଣୀ ନନ୍ଦ ରହିଛନ୍ତି।

ସମ୍ବନ୍ଧିତ ଖବର