ଭୁବନେଶ୍ବର: ଏଟିକେ ଚଳିତ ସୁପରକପ୍ ଫୁଟବଲ୍ ପ୍ରତିଯୋଗିତାର କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛି। ସୋମବାର ଖେଳାଯାଇଥିବା ଷଷ୍ଠ ପ୍ରି-କ୍ବାର୍ଟର୍ ଫାଇନାଲ୍ରେ ଏହି ଦଳ ୩-୧ ଗୋଲ୍ରେ ରିଅଲ୍ କଶ୍ମୀରକୁ ପରାସ୍ତ କରିଥିଲା। ମ୍ୟାଚ୍ର ୨୫ତମ ମିନିଟ୍ରେ ଏଟିକେକୁ ପ୍ରଥମ ସଫଳତା ମଳିଥିଲା। ଅଧିନାୟକ ତଥା ସ୍ପେନୀୟ ତାରକା ମାନୁଏଲ୍ ଲାଞ୍ଜାରୋଟେ ବ୍ରୁନୋଙ୍କ ଏକ ପାସ୍କୁ ହେଡ ଜରିଆରେ ବଲୱନ୍ତ ସିଂହ ରିଅଲ୍ର ଗୋଲ୍ ପୋଷ୍ଟ୍ ପଠାଇ ଦଳକୁ ୧-୦ରେ ଅଗୁଆ କରିଥିଲେ। ତେବେ ଏଟିକେର ଏହି ଖୁସି ବେଶି ସମୟ ରହିନଥିଲା। ୩୧ତମ ମିନିଟ୍ରେ ଅଭାସ ଥାପ୍ପାଙ୍କ ପାସ୍କୁ ରିଅଲ୍ର ମାସନ୍ ଲି ରବର୍ଟସନ୍ ଗୋଲ୍ରେ ପରିଣତ କରି ସ୍ଥିତି ବରାବର କରିଦେଇଥିଲେ। ସେଥିପାଇଁ ପ୍ରଥମାର୍ଧ ୧-୧ ଗୋଲ୍ରେ ଶେଷ ହୋଇଥିଲା। ଦ୍ବିତୀୟାର୍ଧରେ ଆରମ୍ଭରୁ ଉଭୟ ଦଳ ଅକ୍ରମଣ ପ୍ରତିଆକ୍ରମଣ ଜାରି ରଖିଥିଲେ। ହେଲେ ମ୍ୟାଚ୍ର ୭୯ତମ ମିନିଟ୍ରେ ବ୍ରୁନୋ ଆଉ ଏକ ଗୋଲ୍ ଦେଇ ଏଟିକେକୁ ପୁଣି ଥରେ ୨-୧ରେ ଆଗୁଆ କରିଥିଲେ। ୮୨ତମ ମିନିଟ୍ରେ ଏଡୁ ଗ୍ରାସିୟାଙ୍କ ବଦଳରେ ପଡ଼ିଆରେ ପ୍ରବେଶ କରିଥିବା ବ୍ରାଜିଲ ତାରକା ସାଣ୍ଟୋସ୍ ପିଣ୍ଟୋ ଏଟିକେ ପାଇଁ ତୃତୀୟ ଗୋଲ୍ ଦେଇଥିଲେ। ଦ୍ବିତୀୟ ଗୋଲ୍ର ମାତ୍ର ୪ ମିନିଟ୍ ପରେ ସାଣ୍ଟୋସ୍ (୮୩ ମିନିଟ୍) ଏହି ଗୋଲ୍ଟି ଅମଳ କରିଥିଲେ। ଫଳରେ ଏଟିକେ ସହଜ ବିଜୟ ପାଇଥିଲା। ତା ସହ ପରବର୍ତୀ ପର୍ଯ୍ୟାୟରେ ପହଞ୍ଚି ଯାଇଥିଲା। ଅନ୍ୟପକ୍ଷରେ ରିଅଲ୍ କଶ୍ମୀର ଶେଷ ସମୟରେ ଲଗାତାର ଦୁଇ ଗୋଲ୍ ବରଣ କରି ପ୍ରତିଯୋଗିତାରୁ ବିଦାୟ ନେଇଥିଲା। ଆଶାଜନକ ଭାବେ ବ୍ରୁନୋ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
ଚର୍ଚିଲ ବି ଆସିଲାନି, କ୍ବାର୍ଟର୍ ସୂଚୀ ଚୂଡ଼ାନ୍ତ
ଚଳିତ ସୁପର କପ୍ ଫୁଟବଲ୍ ପ୍ରତିଯୋଗିତାରୁ ଆଇ-ଲିଗ୍ ଦଳଗୁଡ଼ିକର ଓହରିବା ଧାରା ସୋମବାର ମଧ୍ୟ ଜାରି ରହିଥିଲା। ଇଷ୍ଟ ବେଙ୍ଗଲ, ମୋହନ ବାଗାନ ଏବଂ ନେରୋକା ସହ ଚର୍ଚିଲ ବ୍ରଦର୍ସ ଭୁବନେଶ୍ବର ଆସିଲା ନାହିଁ। ଫଳରେ ଜାମସେଦପୁରକୁ ୱାକ୍ଓଭର ମିଳିଯାଇଛି ଏବଂ ଏହି ଦଳ ସିଧାସଳଖ ଭାବେ କ୍ବାର୍ଟର୍ ଫାଇନାଲ୍ରେ ପ୍ରବେଶ କରିଛି। ଦୁଇଟି ପ୍ରି-କ୍ବାର୍ଟର୍ ଫାଇନାଲ୍ ମ୍ୟାଚ୍ ପୂର୍ବରୁ ମଧ୍ୟ କ୍ବାର୍ଟର୍ ଫାଇନାଲ୍ ସୂଚୀ ଚୂଡ଼ାନ୍ତ ହୋଇଯାଇଛି। ୪ ତାରିଖ ପ୍ରଥମ କ୍ବାର୍ଟର୍ ଫାଇନାଲ୍ରେ ବେଙ୍ଗାଲୁରୁ ଭେଟିବ ଚେନ୍ନାଇ ସିଟିକୁ। ୫ରେ ଦିଲ୍ଲୀ ଡାଇନୋମାସ ଓ ଏଟିକେ, ୬ରେ ଗୋଆ-ଜାମସେଦପୁର ଏବଂ ୭ରେ ଚେନ୍ନାଇନ୍ ଓ ନର୍ଥ ଇଷ୍ଟ୍ ୟୁନାଇଟେଡ୍ ମଧ୍ୟରେ ଅନ୍ୟ ୩ କ୍ବାର୍ଟର୍ ଫାଇନାଲ୍ ଖେଳାଯିବ। ୯ ଓ ୧୦ ତାରିଖରେ ସେମିଫାଇନାଲ୍ ଏବଂ ୧୩ ତାରିଖରେ ଫାଇନାଲ୍ ଅନୁଷ୍ଠିତ ହେବ।