ଆଟ୍‌ଲେଟିକୋ ମାଦ୍ରିଦକୁ ଲା’ ଲିଗା ମୁକୁଟ: ରିଅଲ୍‌ ଦ୍ବିତୀୟ, ବାର୍ସିଲୋନା ତୃତୀୟ

ବିଜୟ ଉତ୍ସବରେ ଦୁଃଖଦ ଘଟଣା: ଯୁବ ପ୍ରଶଂସକ ମୃତ

ମାଦ୍ରିଦ: ଆଟ୍‌ଲେଟିକୋ ମାଦ୍ରିଦ ନିଜ ସହରର ପ୍ରତିଦ୍ବନ୍ଦ୍ବୀ ରିଅଲ୍‌ ମାଦ୍ରିଦକୁ ପଛରେ ପକାଇ ଲା’ ଲିଗା ମୁକୁଟ କରାୟତ୍ତ କରିଛି। ଶନିବାର ମଧ୍ୟ ରାତ୍ରିରେ ଖେଳାଯାଇଥିବା ମ୍ୟାଚ୍‌ରେ ଆଟ୍‌ଲେଟିକୋ ୨-୧ ଗୋଲ୍‌ରେ ରିଅଲ୍‌ ଭାଲାଡୋଲିଡ୍‌କୁ ମାତ୍‌ ଦେଇ ୭ ବର୍ଷ ବ୍ୟବଧାନ‌ ତଥା ୨୦୧୪ ପରେ ସ୍ପାନିସ ଚାମ୍ପିଅନ୍‌ସିପ୍‌ରେ ପ୍ରଥମ ଥର ବିଜେତା ହେବାର ଗୌରବ ଅର୍ଜନ କରିଥିଲା। ଓସ୍‌କାର ପ୍ଲାନୋ (୧୮ ମିନିଟ୍‌)ଙ୍କ ଗୋଲ୍‌ରେ ଭାଲାଡୋଲିଡ ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା। ଏମିତି ବି ପ୍ରଥମାର୍ଧକୁ ନିଜ ନିୟନ୍ତ୍ରଣରେ ରଖିଥିଲା। ହେଲେ ଦ୍ବିତୀୟାର୍ଧରେ ଆଟ୍‌ଲେଟିକୋ ପ୍ରତ୍ୟାବର୍ତ୍ତନ କରି ୧୦ ମିନିଟ୍‌ ବ୍ୟବଧାନରେ ଦୁଇ ଗୋଲ୍‌ ସ୍କୋର୍‌ କରି ବିଜୟ ନିଶ୍ଚିତ କରିଥିଲା। ଆଟ୍‌ଲେଟିକୋ ପକ୍ଷରୁ ଆଞ୍ଜେଲ୍‌ କୋରିଆ (୫୭ ମିନିଟ୍‌) ଗୋଟିଏ ଗୋଲ୍‌ ଶୁଝି ଥିଲା ବେଳେ ଲୁଇସ ସୁଆରେଜ (୬୭ ମିନିଟ୍‌)ଙ୍କ ଗୋଲ୍‌ ଦଳକୁ ବି‌ଜେତା କରିବାରେ ସହଯୋଗ କରିଥିଲା। ଆଟ୍‌ଲେଟିକୋ ୩୮ ମ୍ୟାଚ୍‌ରୁ ୮୬ ପଏଣ୍ଟ୍‌ ସହ ଟେବୁଲର ଶୀର୍ଷରେ ରହି ବର୍ଷ ଶେଷ କରିଥିଲା। ଏହାର ଚିର ପ୍ରତିଦ୍ବନ୍ଦ୍ବୀ ରିଅଲ୍‌ ମାଦ୍ରିଦ ସମାନ ମ୍ୟାଚ୍‌ ଖେଳି ୮୪ ପଏଣ୍ଟ୍‌ ପାଇ ଦ୍ବିତୀୟ ସ୍ଥାନରେ ‌ରହିଥିଲା।

ଶନିବାର ଏହି ଲିଗ୍‌ର ଅନ୍ୟ ଏକ ମ୍ୟାଚ୍‌ରେ ରିଅଲ୍‌ ମାଦ୍ରିଦ ୨-୧ ଗୋଲ୍‌ରେ ଭିଲାରିଅଲ୍‌କୁ ପରାସ୍ତ କରିଥିଲା। ୨୦ତମ ମିନିଟ୍‌ରେ ୟେରିମୋ ପିନୋଙ୍କ ଗୋଲ୍‌ରେ ଭ୍ରମଣକାରୀ ଭିଲାରିଅଲ୍‌ ଅଗ୍ରଣୀ ନେଇଥିଲା। ପ୍ରଥମାର୍ଧରେ ଘରୋଇ ଦଳ ରିଅଲ୍‌ ପଛରେ ରହିଥିଲା। ଦ୍ବିତୀୟାର୍ଧ‌ରେ ମଧ୍ୟ ରିଅଲ୍‌କୁ କଡ଼ା ସଂଘର୍ଷ କରିବାକୁ ପଡ଼ିଥିଲା। ହେଲେ ମ୍ୟାଚ୍‌ର ଶେଷ ୩ ମିନିଟ୍‌ରେ ଦୁଇଟି ଗୋଲ୍‌ ଦେଇ ବିଜୟୀ ହେବାକୁ ସକ୍ଷମ ହୋଇଥିଲା ରିଅଲ। କରିମ ବେଞ୍ଜେମା (୮୭ ମିିନିଟ୍‌) ଓ ଲୁକା ମୋଡ୍ରିକ (୯୦+୨ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ କରିଥିଲେ।

ଏହି ଲିଗ୍‌ର ଅନ୍ୟ ଏକ ମ୍ୟାଚ୍‌ରେ ଆଣ୍ଟୋନି ଗ୍ରିଜମାନଙ୍କ ଗୋଲ୍‌ ବଳରେ ବାର୍ସିଲୋନା ୧-୦ରେ ଇବାରକୁ ପରାସ୍ତ କରିଛି। ପ୍ରଥମାର୍ଧ ଗୋଲ୍‌ ଶୂନ୍ୟ ଭାବେ ଶେଷ ହୋଇଥିଲା। ଦ୍ବିତୀୟାର୍ଧରେ ଗ୍ରିଜମାନ (୮୧ ମିନିଟ୍‌)ଙ୍କ ଗୋଲ୍‌‌ରେ ବାର୍ସିଲୋନା ବିଜୟୀ ହୋଇଥିଲା। ଏହି ବିଜୟ ଫଳରେ ବାର୍ସିଲୋନା ୩୮ ମ୍ୟାଚ୍‌ରୁ ୭୯ ପଏଣ୍ଟ୍‌ ପାଇ ତୃତୀୟ ସ୍ଥାନରେ ରହି ବର୍ଷ ଶେଷ କରିଥିଲା। ଚଳିତ ଋତୁର ଶେଷ ଲିଗ୍‌ ମ୍ୟାଚ୍‌ରେ ବାର୍ସିଲୋନା ପ୍ରଶିକ୍ଷକ ରୋନାଲ୍ଡ କୋଏମାନ ଚୂଡ଼ାନ୍ତ ଏକାଦଶରୁ ଲିଓନେଲ୍‌ ମେସି, ମାର୍କ-ଆନ୍ଦ୍ରେ ଟର ଷ୍ଟିଜେନ, ଗେରାର୍ଡ ପିକୁ, କ୍ଲେମେଣ୍ଟ ଲେଙ୍ଗଲେଟ, ଜୋର୍ଡି, ଆଲ୍‌ବା ଓ ପାଡ୍ରିଙ୍କ ଭଳି ତାରକା ଖେଳାଳିଙ୍କୁ ବାଦ୍‌ ଦେଇଥିଲେ।

ବିଜୟ ଉତ୍ସବରେ ଦୁଃଖଦ ଘଟଣା: ଯୁବ ପ୍ରଶଂସକ ମୃତମାଦ୍ରିଦ, ୨୩ା୫: ସ୍ପେନ୍‌ର ରାଜଧାନୀ ମାଦ୍ରିଦ୍‌ରେ ଶନିବାର ଆଟ୍‌ଲେଟିକୋ ମାଦ୍ରିଦର ଲା’ ଲାଗି ମୁକୁଟ ବିଜୟ ଉତ୍ସବ ବେଳେ ଜଣେ ୧୪ ବର୍ଷୀୟ ବାଳକର ମୃତ୍ୟୁ ହୋଇଛି। ମୃତ ବାଳକ ଜଣଙ୍କ ନିଜ ସାଙ୍ଗମାନଙ୍କ ସହ ଗୋଟେ ଭ୍ୟାନ୍‌ରେ ଥିଲେ। ଭ୍ୟାନ୍‌ଟି ଅଣ୍ଡରଗ୍ରାଉଣ୍ଡ ପାର୍କିଂରୁ ବାହରୁ ଥିଲା ବେଳେ ସେ ଝରକା ପଟେ ମୁଣ୍ଡ ବାହାରକୁ କରିଥିଲେ। ଏହି ସମୟରେ ତାଙ୍କ ମୁଣ୍ଡ କାନ୍ଥରେ ‌ମାଡ଼ ହୋଇଥିଲା।

ଉପସ୍ଥିତ ଥିବା ଜରୁରୀକାଳିନ ସେବା କର୍ମଚାରୀ ପିଲାଟିକୁ ବଞ୍ଚାଇବାକୁ ଏକ ଘଣ୍ଟା ଧରି ଉଦ୍ୟମ କରିଥିଲେ। ହେଲେ ବଞ୍ଚାଇବାକୁ ସକ୍ଷମ ହୋଇନଥିଲେ। ଦୁର୍ଘଟଣା ସମୟରେ ୨୦୦୦ରୁ ଊର୍ଧ୍ବ ଆଟ୍‌ଲେଟିକୋ ସମର୍ଥକ ଦଳର ଏକାଦଶତମ ଲା’ ଲିଗା ଟ୍ରଫି ବିଜୟ ଉତ୍ସବ ପାଳନ କରୁଥିଲେ। ଆଟଲେଟିକୋ ପାରମ୍ପାରିକ ଭାବରେ ବିଜୟ ଉତ୍ସବ ପାଳନ କରିଥିଲା। କିନ୍ତୁ କରୋନା ପ୍ରତିବନ୍ଧକ ଯୋଗୁଁ କର୍ତ୍ତୃପକ୍ଷ ସମସ୍ତ ଜନ ସମାବେଶକୁ ନିଷିଦ୍ଧ କରିଥିଲେ।

ସମ୍ବନ୍ଧିତ ଖବର