ଏଟିପି ମାନ୍ୟତା: ଜୋକୋଭିକ୍‌ ତୃତୀୟକୁ ଲମ୍ଫ ଦେଲେ

ନ୍ୟୁୟର୍କ: ଚଳିତ ବର୍ଷର ୟୁଏସ୍‌ ଓପନ୍‌ ପୁରୁଷ ଏକକ ଟ୍ରଫି ଜିତିବା ପରେ ସର୍ବିଆ ତାରକା ନୋଭାକ୍‌ ଜୋକୋଭିକ୍‌ ଏଟିପି ମାନ୍ୟତାରେ ତିନି ସ୍ଥାନ ଲମ୍ଫ ମାରିଛନ୍ତି। ୟୁଏସ୍‌ ଓପନ୍‌ ପୂର୍ବରୁ ଷଷ୍ଠ ମାନ୍ୟତାରେ ଥିବା ଜୋକୋଭିକ୍‌ ଏବେ ତୃତୀୟ ସ୍ଥାନରେ ପହଞ୍ଚି ଯାଇଛନ୍ତି। ସେମିଫାଇନାଲ୍‌ ପରାଜୟ ସତ୍ତ୍ୱେ ସ୍ପେନ୍‌ର ରାଫେଲ ନାଦାଲ ଶୀର୍ଷ ମାନ୍ୟତା ବଜାୟ ରଖିଥିଲା ବେଳେ ସ୍ୱିିଜରଲାଣ୍ଡ୍‌ର ରୋଜର୍‌ ଫେଡେରର୍‌ ଦ୍ୱିତୀୟ ସ୍ଥାନରେ ଅପରିବର୍ତିତ ରହିଛନ୍ତି। ଫଳରେ ପ୍ରମୁଖ ୩ ଖେଳାଳି ନାଦାଲ, ଫେଡେରର୍‌ ଏବଂ ଜୋକୋଭିକ୍‌ ପ୍ରାୟ ସାଢ଼େ ୩ ବର୍ଷ ପରେ ପ୍ରଥମ ଥର ଲାଗି ଏଟିପି ମାନ୍ୟତାର ପ୍ରଥମ ତିନି ସ୍ଥାନ (୧, ୨ ଓ ୩)ରେ ରହିଲେ। ଅନ୍ୟପକ୍ଷରେ ମହିଳା ବର୍ଗରେ ଟ୍ରଫି ହାସଲ କରିଥିବା ଜାପାନୀ ଲଳନା ନାଓମି ଓସାକା ୧୨ ସ୍ଥାନ ଲମ୍ଫ ଦେଇ ନିଜ ଜୀବନର ସର୍ବଶ୍ରେଷ୍ଠ ମାନ୍ୟତା ଭାବେ ସପ୍ତମରେ ପହଞ୍ଚିଛନ୍ତି। ଉପବିଜୟିନୀ ଆମେରିକୀୟ ମହିଳା ସେରେନା ଓ୍ଵିଲିୟମ୍‌ସ ଶୀର୍ଷ-୨୦ ମଧ୍ୟକୁ ପ୍ରବେଶ କରିଛନ୍ତି। ୟୁଏସ୍‌ ଓପନ୍‌ରେ ୨୬ତମ ମାନ୍ୟତା ପାଇଥିବା ସେରେନା ନୂଆ ଡବ୍ଲୁଟିଏ ମାନ୍ୟତାରେ ୧୬ତମ ସ୍ଥାନ ପାଇଛନ୍ତି। ସେହିପରି କାରୋଲିନା ଗାର୍ସିଆ ତାଙ୍କ ଜୀବନର ଶ୍ରେଷ୍ଠ ମାନ୍ୟତା ଭାବେ ଚତୁର୍ଥ ସ୍ଥାନକୁ ଲମ୍ଫ ଦେଇଥିଲା ବେଳେ କ୍ୱାର୍ଟର ଫାଇନାଲ୍‌ରୁ ବିଦାୟ ନେଇଥିବା ସ୍ଲୋଆନେ ଷ୍ଟିଫେନ୍‌ସ ତୃତୀୟ ସ୍ଥାନରୁ ନବମକୁ ଖସି ଯାଇଛନ୍ତି। ତେବେ ମହିଳା ଏକକ ପ୍ରଥମ ପର୍ଯ୍ୟାୟରୁ ବିଦାୟ ନେଇଥିବା ସତ୍ତ୍ୱେ ସିମୋନା ହାଲେପ୍‌ ଶୀର୍ଷ ମାନ୍ୟତା ବଜାୟ ରଖିଥିଲା ବେଳେ ଡେନ୍‌ମାର୍କର କାରୋଲିନେ ଓ୍ଵଜ୍‌ନିଆକି ଦ୍ୱିତୀୟ ସ୍ଥାନରେ ଅପରିବର୍ତ୍ତିତ ରହିଛନ୍ତି। ଜର୍ମାନି ଲଳନା ଆଞ୍ଜେଲିକ୍‌ କେର୍ବର ଚତୁର୍ଥରୁ ତୃତୀୟକୁ ଉଠିଛନ୍ତି।

ସମ୍ବନ୍ଧିତ ଖବର