ଆକର୍ଷଣରେ ଆନ୍ନା:ଅଲିମ୍ପିଆନରୁ ଉପସ୍ଥାପିକା

ମହିଳା ହକିର ମୁହଁ

ଭୁବନେଶ୍ୱର (ଦେବାଶିଷ ସୁନ୍ଦରାୟ): କଳିଙ୍ଗ ଷ୍ଟାଡିୟମର ମନ୍ତ୍ରମୁଗ୍ଧକର ହକି ମାହୋଲକୁ ଆହୁରି ଗ୍ଲାମରିୟସ୍‌ କରିଦେଇଛନ୍ତି ଅଷ୍ଟ୍ରେଲିଆ ମହିଳା ହକି ତାରକା ଆନ୍ନା ଫ୍ଲାନାଗନ। ପେସାରେ ଜଣେ ହକି ତାରକା ହୋଇଥିଲେ ମଧ୍ୟ ସାମ୍ବାଦିକା ହେବାର ନିଶା ତାଙ୍କୁ ଭୁବନେଶ୍ୱର ଟାଣି ଆଣିଛି। ଖେଳ ବିରତି ବେଳେ ବିଭିନ୍ନ ଦଳର ଖେଳାଳିଙ୍କ ସହ ମ୍ୟାଚ୍‌ର ସ୍ଥିତିକୁ ନେଇ ଆଲୋଚନା କରୁଥିଲା ବେଳେ ଆନ୍ନା କଳିଙ୍ଗରେ ପାଲଟିଛନ୍ତି ଆକର୍ଷଣର ଅନ୍ୟତମ କେନ୍ଦ୍ରବିନ୍ଦୁ। ସୁନ୍ଦର ଚେହେରା ସହ ନିଜ ଦକ୍ଷ ଉପସ୍ଥାପନା ଶୈଳୀ ପାଇଁ ସେ ମଧ୍ୟ ଖେଳାଳିଙ୍କ ଧ୍ୟାନ ଆକର୍ଷଣ କରୁଛନ୍ତି। ହକିକୁ କଳିଙ୍ଗ ଷ୍ଟାଡିୟମ ଦର୍ଶକ ଦେଖାଉଥିବା ଭଲ ପାଇବାକୁ ମଧ୍ୟ ଆନ୍ନା ମନଭରି ଉପଯୋଗ କରୁଛନ୍ତି। ହେଲେ ତାଙ୍କର ମୂଳଲକ୍ଷ୍ୟ ହେଉଛି ଅଲିମ୍ପିକ୍ସ ସ୍ୱର୍ଣ୍ଣ ଜିତିବା। ବିଶ୍ୱର ଶ୍ରେଷ୍ଠ ଖେଳାଳି ହେବା। ମହିଳା କ୍ରୀଡ଼ା ସହ ହକିର ମହିମା ବଢ଼ାଇବା ମୋହ ହିଁ ତାଙ୍କୁ ଜଣେ ସଫଳ ଉପସ୍ଥାପିକା ହେବା ଲାଗି ଅନୁପ୍ରେରିତ କରିଆସୁଛି। ଆନ୍ନା ଚଳିତ ହକି ବିଶ୍ୱ ଲିଗ୍‌ ଫାଇନାଲର ଶେଷ ପର୍ଯ୍ୟନ୍ତ ରହି ଓଡ଼ିଶାରୁ ନିଆରା ଅଭିଜ୍ଞତା ନେଇ ଅଷ୍ଟ୍ରେଲିଆ ଫେରିବା ଲକ୍ଷ୍ୟରେ ରହିଛନ୍ତି।

ବହୁମୁଖୀ ପ୍ରତିଭାର ଅଧିକାରୀ ଆନ୍ନାଙ୍କୁ ଏବେ ହକି ଏବଂ ମହିଳା କ୍ରୀଡ଼ାର ବିଶ୍ୱଦୂତ ମାନ୍ୟତା ମିଳିଛି। ୫ଫୁଟ ୧୧ ଇଞ୍ଚ ଉଚ୍ଚତା ବିଶିଷ୍ଟ ଏହି ୨୬ ବର୍ଷୀୟ ସୁନ୍ଦରୀ ହକି ତାରକା ବଳିଷ୍ଠ ବ୍ୟକ୍ତିତ୍ୱରେ ସମସ୍ତଙ୍କୁ ନିଜ ଆଡ଼କୁ ଟାଣି ନେଉଛନ୍ତି। ଜଣେ ହକି ଖେଳାଳି ହୋଇଥିବାରୁ ଏହି ଖେଳରେ ସାମ୍ବାଦିକତା କରିବା ମୋତେ ବେଶ୍‌ ଆନନ୍ଦ ଦେଉଛି। ସମୟ ଅଭାବ ବୋଲି କିଛି ନ ଥାଏ। ସମୟର ସଠିକ୍‌ ପରିଚାଳନା କରିପାରିଲେ ଯେ କେହି ବି ଏକସଙ୍ଗରେ ଏକାଧିକ କାର୍ଯ୍ୟ କରି ପାରିବ ବୋଲି ଆନ୍ନା କହିଛନ୍ତି।

ଆନ୍ନା କେବଳ ଜଣେ ହକି ତାରକା ନୁହନ୍ତି। ସେ ଜଣେ ସାମ୍ବାଦିକା ମଧ୍ୟ। ସାମ୍ବାଦିକା ହେବା ଲାଗି ସେ ବିଧିବଦ୍ଧ ପ୍ରଶିକ୍ଷଣ ନେଇଛନ୍ତି। ସେହିଭଳି ଆଇନରେ ସ୍ନାତକୋତ୍ତୋର ଶିକ୍ଷା ଲାଭ କରିଛନ୍ତି। ଜଣେ ଫିଟନେସ୍‌ ବିଶେଷଜ୍ଞ ଭାବେ ଅଷ୍ଟ୍ରେଲିଆରେ ତାଙ୍କର ବେଶ୍‌ ନାଁ ଅଛି। ଆନ୍ନା ବି ହେଉଛନ୍ତି ବିଶ୍ୱ ହକି ଏବଂ ଅଷ୍ଟ୍ରେଲିଆ କ୍ରୀଡ଼ାର ଆଦର୍ଶ। ଆନ୍ନା ୨୦୧୦ରେ ମାତ୍ର ୧୭ ବର୍ଷ ବୟସରେ କୋରିଆ ବିପକ୍ଷରେ ଅନ୍ତର୍ଜାତୀୟ ହକି ଜୀବନ ଆରମ୍ଭ କରିଥିଲେ।

ସେହିବର୍ଷ ନୂଆଦିଲ୍ଲୀରେ ଆୟୋଜିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ୨୦୧୧ରେ ଅଷ୍ଟ୍ରେଲିଆ ରାଜଧାନୀ କାନବେରାରୁ କ୍ରୀଡ଼ା କ୍ୟାପିଟାଲ ପର୍ଥ ଚାଲି ଆସିବା ପରେ ସେ ଆଉ ପଛକୁ ଫେରି ଚାହିଁ ନଥିଲେ। ୨୦୧୨ରେ ତାଙ୍କୁ ବର୍ଷର ଶ୍ରେଷ୍ଠ କନିଷ୍ଠ ହକି ଖେଳାଳି ପୁରସ୍କାର ମିଳିଥିଲା। ଖୁବଶୀଘ୍ର ତାଙ୍କୁ ୨୦୧୨ ଲଣ୍ଡନ ଅଲିମ୍ପିକ୍ସ ଖେଳିବାର ସୁଯୋଗ ବି ମିଳି ଯାଇଥିଲା। ୨୦୧୪ରେ ବିଶ୍ୱକପ୍‌ ରୌପ୍ୟ ଜିତିବା ପରେ ସେହିବର୍ଷ ଗ୍ଲାସ୍‌ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମଧ୍ୟ ନିଜ ୨୦୧୦ ସ୍ୱର୍ଣ୍ଣିମ ସଫଳତାକୁ ଦୋହରାଇଥିଲେ। ରିତୁଆଲ ହକି, ନାଇକ୍‌ ଏବଂ ରେଡ୍‌ ବୁଲ୍‌ ଭଳି କଂପାନି ଆନାଙ୍କ ପ୍ରାୟୋଜକ ଅଛନ୍ତି। ସେ ଅନେକ ପୁରୁଷ ହକି ଖେଳାଳିଙ୍କଠାରୁ ଅଧିକ ଅର୍ଥ ରୋଜଗାର କରୁଛନ୍ତି। ରକ୍ଷଣଭାଗରେ ଖେଳୁଥିବା ଆନା ଅଷ୍ଟ୍ରେଲିଆ ପକ୍ଷରୁ ୧୬୬ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳି ୩୪ ଗୋଲ୍‌ କରିଛନ୍ତି। ଅଷ୍ଟ୍ରେଲିଆର ଲୋକପ୍ରିୟ କ୍ରୀଡ଼ା ଚ୍ୟାନେଲ ଫକ୍ସ ସହ ବହୁ ରେଡିଓ ଚ୍ୟାନେଲ୍‌ ପାଇଁ କାର୍ଯ୍ୟ କରି ଆନା ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ସଂପ୍ରତି ସେ ଷ୍ଟାର ସ୍ପୋର୍ଟସ ଭାଷ୍ୟକାର ଦଳରେ ଅଛନ୍ତି।

ସମ୍ବନ୍ଧିତ ଖବର