ରୋଚକ ରନ୍‌ଭୂମି

ଲଣ୍ଡନ: ଆଇସିସି ବିଶ୍ବକପ୍‌ର ଦ୍ବାଦଶ ସଂସ୍କରଣ ଗୁରୁବାରଠାରୁ ଆରମ୍ଭ ହେବ। ୧୦ ଦଳ ବିଶ୍ବବିଜେତା ହେବା ଲାଗି ୪୬ ଦିନ ଧରି ସଂଘର୍ଷ କରିବେ। ୪୮ ମ୍ୟାଚ୍ ଖେଳାଯିବ। ପ୍ରତିଯୋଗିତାର ପ୍ରଥମ ମୁକାବିଲା ଆୟୋଜକ ଇଂଲଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ। ଦୁର୍ଭାଗ୍ୟଜନକ ଭାବେ ଏହି ଦୁଇ ଦଳ ଥରେ ହେଲେ ବି ବିଶ୍ବକପ୍ ଜିତି ନାହାନ୍ତି। ଆୟୋଜକ ହୋଇଥିବାରୁ ଇଂଲଣ୍ଡ ଦ୍ବାଦଶ ବିଶ୍ବକପର ପ୍ରବଳ ଦାବିଦାର। ଅଷ୍ଟ୍ରେଲିଆ, ଭାରତ, ନ୍ୟୁଜିଲାଣ୍ଡ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା, ବାଂଲାଦେଶ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟ ବିଜୟ ମୁକୁଟ ପିନ୍ଧିବା ଲାଗି ଆପ୍ରଣ ଉଦ୍ୟମ କରିବେ।
୯୨ ଫର୍ମାଟ୍‌ର ପୁନରାବୃତି
ଚଳିତ ବିଶ୍ବକପ୍‌ରେ ୧୯୯୨ ଫର୍ମାଟ୍‌ର ପୁନରାବୃତି ହେବ। ଏଥର ଦଳଗୁଡ଼ିକୁ ଗ୍ରୁପରେ ବିଭକ୍ତ କରାଯାଇ ନାହିଁ। ପ୍ରତ୍ୟେକ ଦଳ ପ୍ରତ୍ୟେକଙ୍କ ବିପକ୍ଷରେ ଲିଗ୍ ପର୍ଯ୍ୟାୟ ଖେଳିବା ପରେ ଶୀର୍ଷ ୪ ସ୍ଥାନରେ ରହିଥିବା ଦଳ ସେମିଫାଇନାଲ୍ ଖେଳିବେ। ଏଥିଲାଗି ପଏଣ୍ଟ ଅର୍ଜନକୁ ବିଚାରକୁ ନିଆଯିବ। ଲିଗ୍ ପର୍ଯ୍ୟାୟରେ ସବୁ ଦଳ ୯ଟି ଲେଖାଏଁ ମ୍ୟାଚ୍ ଖେଳିବେ। ସେମିଫାଇନାଲରେ ବିଜୟୀ ଦଳ ଫାଇନାଲ୍ ଖେଳି ବିଶ୍ବକପ୍ ଜିତିବାକୁ ଚେଷ୍ଟା କରିବେ। ଏହା ଦ୍ବାରା ପ୍ରତିଯୋଗିତାର ରୋମାଞ୍ଚ ବଢ଼ିବ ବୋଲି ଆଶା କରାଯାଉଛି।
୧୧ ପଡ଼ିଆରେ ମ୍ୟାଚ୍
ବିଶ୍ବକପ୍-୨୦୧୯ ମୋଟ ୧୧ ପଡ଼ିଆରେ ଖେଳାଯିବ। ସେଥିମଧ୍ୟରେ ବ୍ରିଷ୍ଟଲର କାଉଣ୍ଟି ପଡ଼ିଆ, ଲଣ୍ଡନର ଲର୍ଡସ, ନଟିଂହାମର ଟ୍ରେଣ୍ଟବ୍ରିଜ୍, ମାଞ୍ଚେଷ୍ଟର୍‌ର ଓଲ୍ଡ ଟ୍ରଫର୍ଡ, ଟଣ୍ଟନ କାଉଣ୍ଟି ପଡ଼ିଆ, ଲଣ୍ଡନର ଓଭାଲ, ଚେଷ୍ଟର ଲି ଷ୍ଟ୍ରିଟର ରିଭରସାଇଡ୍ ପଡ଼ିଆ, ଲିଡ୍ସର ହେଡିଂଲେ, ବର୍ମିଂହାମ ଏଜବାଷ୍ଟନ, ସାଉଥମ୍ପଟନର ରୋଜ୍ ବାୱେଲ ଓ କାର୍ଡିଫର ସୋଫିଆ ଗାର୍ଡେନ୍ସ ଅନ୍ତର୍ଭୁକ୍ତ। ଅଧିକାଂଶ ମ୍ୟାଚ୍ ଭାରତୀୟ ସମୟ ଅପରାହ୍ନ ୩ଟାରୁ ଆରମ୍ଭ ହେବ। କିଛି ମ୍ୟାଚ୍ ସଂଧ୍ୟା ୬ଟାରୁ ବି ଖେଳାଯିବ।
ଅଭ୍ୟାସ ମ୍ୟାଚ୍‌ରୁ ରନ୍ ବର୍ଷା
୨୦୧୯ ବିଶ୍ବକପ୍‌ରେ ବଡ଼ ବଡ଼ ସ୍କୋର ହେବ ବୋଲି ବିଶେଷଜ୍ଞମାନେ ପୂର୍ବାନୁମାନ ଲଗାଇଛନ୍ତି। ଏହାର ଝଲକ ଅଭ୍ୟାସ ମ୍ୟାଚ୍‌ରୁ ମଧ୍ୟ ଦେଖିବାକୁ ମିଳିଛି। ନ୍ୟୁଜିଲାଣ୍ଡ ବିପକ୍ଷରେ ୱେଷ୍ଟଇଣ୍ଡିଜ୍ ୪୦୦ ରନ୍ ପାର କରିଥିଲା ବେଳେ ବାଂଲାଦେଶ ବିପକ୍ଷରେ ଭାରତ ୩୫୦ରୁ ଅଧିକ ରନ୍ କରିଛି। ଚଳିତ ଥର ଫର୍ମାଟ ବଦଳାଯିବା ସହ ଦଳସଂଖ୍ୟା ୧୪ରୁ ୧୦କୁ କମାଇ ଦିଆଯାଇଛି। ୨୦୧୫ ଓ ୨୦୧୧ରେ ୧୪ ଦଳ ଖେଳିଥିଲେ। ୧୯୯୨ରେ ଏହି ଫର୍ମାଟ୍‌ରେ ଖେଳାଯାଇଥିବା ବିଶ୍ବକପ୍‌ରେ କିନ୍ତୁ ୯ ଦଳ ଖେଳିଥିଲେ।
୯ ଜୁଲାଇରୁ ସେମିଫାଇନାଲ୍‌
ବିଶ୍ବକପର ଲିଗ୍ ପର୍ଯ୍ୟାୟ ଜୁଲାଇ ୬ ତାରିଖରେ ଶେଷ ହେବ। ଜୁଲାଇ ୯ରୁ ସେମିଫାଇନାଲ୍ ଖେଳାଯିବ। ପ୍ରଥମ ସେମିଫାଇନାଲ୍ ମାଞ୍ଚେଷ୍ଟର ଏବଂ ଦ୍ବିତୀୟ ବର୍ମିଂହାମରେ ଖେଳାଯିବ। ପ୍ରତିଯୋଗିତାର ପ୍ରତୀକ୍ଷିତ ଫାଇନାଲ୍ ମ୍ୟାଚ୍ ୧୪ ଜୁଲାଇରେ କ୍ରିକେଟର ମକ୍କା ଲର୍ଡସ ପଡ଼ିଆରେ ଖେଳାଯିବ।
୧୬ ଅମ୍ପାୟାର, ୬ ରେଫରି
ବିଶ୍ବକପ୍ ପରିଚାଳନା ଦାୟିତ୍ବରେ ରହିବେ ଆଇସିସି ପ୍ୟା‌ନେଲର ୧୬ ଅମ୍ପାୟାର। ସେଥିମଧ୍ୟରେ ଆୟୋଜକ ଇଂଲଣ୍ଡର ସର୍ବାଧିକ ୫ ଜଣ ଅମ୍ପାୟାର ଥିଲା ବେଳେ ଅଷ୍ଟ୍ରେଲିଆର ୪, ଶ୍ରୀଲଙ୍କାର ୨ ଏବଂ ନ୍ୟୁଜିଲାଣ୍ଡ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ୍ ଏବଂ ଭାରତର ଜଣେ ଲେଖାଏଁ ଅମ୍ପାୟାର ରହିଛନ୍ତି। ଏହି ତାଲିକାରେ ସୁନ୍ଦରମ୍ ରବି ହେଉଛନ୍ତି ଏକମାତ୍ର ଭାରତୀୟ ଅମ୍ପାୟାର। ସେହିଭଳି ୬ ଜଣ ରେଫରି ମ୍ୟାଚ୍ ପରିଚାଳନା କରିବେ। ରେଫରି ତାଲିକାରେ ଜଣେ ହେଲେ ବି ଭାରତୀୟ ସ୍ଥାନ ପାଇ ନାହାନ୍ତି।
୧୦ ନିୟୁତ ଡଲାର ପୁରସ୍କାର
କ୍ରିକେଟ୍ ବିଶ୍ବକପ୍ ୨୦୧୯ର ପୁରସ୍କାର ରାଶି ପୁର୍ବର ସବୁ ବିଶ୍ବକପ୍‌ଠାରୁ ଅଧିକ। ଆଇସିସି ଏଥର ମୋଟ ୧୦ ନିୟୁତ ଡଲାର ଆର୍ଥିକ ପୁରସ୍କାର ପ୍ରଦାନ କରିବ। ବିଜେତା ଦଳ ୪୦ ଲକ୍ଷ ଡଲାର, ଉପବିଜେତା ୨୦ ଲକ୍ଷ ଡଲାର, ସେମିଫାଇନାଲରେ ପରାଜିତ ଦଳ ୮ ଲକ୍ଷ ଡଲାର, ପ୍ରତ୍ୟେକ ଗ୍ରୁପ୍ ପର୍ଯ୍ୟାୟ ବିଜୟ ପାଇଁ ୪୦,୦୦୦ ଏବଂ ଲିଗ୍ ପର୍ଯ୍ୟାୟ ଆଗକୁ ଯାଇ ପାରି ନଥିବା ଦଳ ୧ ଲକ୍ଷ ଡଲାର ଲେଖାଏଁ ଆର୍ଥିକ ପୁରସ୍କାର ପାଇବେ।

ସମ୍ବନ୍ଧିତ ଖବର