ଦିଲ୍ଲୀ କ୍ରିକେଟ୍‌ ସଂଘର ସଭାପତି ଥିଲେ ଜେଟ୍‌ଲୀ: ଯୁବାବସ୍ଥାରୁ ଖେଳୁଥିଲେ କ୍ରିକେଟ, ପରେ ହୋଇଗଲେ ପ୍ରଶଂସକ

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ଶନିବାର ମଧ୍ୟାହ୍ଣ ୧୨ଟା ୭ ମିନିଟରେ ପରଲୋକ ହୋଇଯାଇଛି। ଜଣେ ବିଶିଷ୍ଟ ରାଜନୈତିଜ୍ଞ ହେବା ବ୍ୟତୀତ ଜେଟ୍‌ଲୀ କ୍ରିକେଟ୍‌କୁ ମଧ୍ୟ ଭଲ ପାଉଥିଲେ। ସେ ବହୁ ବର୍ଷ ଧରି ଦିଲ୍ଲୀ ଜିଲ୍ଲା କ୍ରିକେଟ ସଂଘ (ଡିଡିସିଏ)ର ଅଧ୍ୟକ୍ଷ ଥିଲେ। ସେ କ୍ରିକେଟ ଖେଳ ଓ ଖେଳାଳିଙ୍କ ସହିତ ଭଲ ସଂପର୍କ ରଖିଥିଲେ। ତାଙ୍କର ମୃତ୍ୟୁରେ ଭାରତୀୟ କ୍ରିକେଟ୍‌ ଜଗତ ସ୍ତବ୍ଧ ପାଲଟିଯାଇଛି। ସୋସିଆଲ ମିଡିଆରେ ଜେଟଲୀଙ୍କ ପାଇଁ ଶୋକ ବାର୍ତ୍ତା ଆସୁଛି। କେବଳ କ୍ରିକେଟ ନୁହେଁ ବରଂ ଜେଟଲୀଙ୍କ ମୃତ୍ୟୁ ସମଗ୍ର ଦେଶର ଜନତାକୁ ମର୍ମାହତ କରିଛି।

ଅରୁଣ ଜେଟ୍‌ଲୀ କ୍ରମାଗତ ଭାବେ ୧୩ ବର୍ଷ ପାଇଁ ଡିଡିସିଏର ସଭାପତି ଥିଲେ। ଏହି ସମୟରେ ସେ କ୍ରିକେଟର ଉନ୍ନତି ପାଇଁ ଅନେକ ସ୍ମରଣୀୟ କାମ କରିଥିଲେ। ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ଗଭୀର ଶୋକ ଜଣାଇଛନ୍ତି। ସେ ଜେଟଲୀଙ୍କୁ ପିତୃତୁଲ୍ୟ ବୋଲି ବର୍ଣ୍ଣନା କରିଛନ୍ତି।

ପୂର୍ବତନ ଭାରତୀୟ କ୍ରିକେଟର ବୀରେନ୍ଦ୍ର ସେହେଓ୍ଵାଗ ଟୁଇଟ୍‌ କରି କହିଛନ୍ତି, ଦିଲ୍ଲୀ କ୍ରିକେଟ ପାଇଁ ଜେଟଲୀଙ୍କ ଅବଦାନ ଅତୁଳନୀୟ।ବହୁ ଖେଳାଳିଙ୍କ ପାଇଁ ସେ ସ୍ମରଣୀୟ ରହିବେ। ସେହିପରି ଭିଭିଏସ୍‌ ଲକ୍ଷ୍ମଣ ମଧ୍ୟ ଜେଟ୍‌ଲୀଙ୍କ ପରଲୋକରେ ଶୋକ ବ୍ୟକ୍ତ  କରିଛନ୍ତି। ଅରୁଣ ଜେଟ୍‌ଲୀ ବାଲ୍ୟ ଜୀବନରୁ କ୍ରିକେଟକୁ ପସନ୍ଦ କରୁଥିଲେ। ସେ ଯୁବକ ଥିବା ବେଳେ ଅନେକ ମ୍ୟାଚ୍‌ ଖେଳିଥିଲେ। ପରେ ସେ ଜଣେ ଭଲ କ୍ରିକେଟ୍‌ ପ୍ରଶଂସକ ହୋଇପାରିଥିଲେ।

ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଜେଟ୍‌ଲୀଙ୍କ ପାର୍ଥିବ ଶରୀର ନିଗମବୋଧ ଘାଟରେ ରବିବାର ଅନ୍ତିମ ସଂସ୍କାର କରାଯିବ। ଦିଲ୍ଲୀସ୍ଥିତ ଭାରତୀୟ ଜନତା ପାର୍ଟି (ବିଜେପି) ମୁଖ୍ୟ କାର୍ଯ୍ୟଳୟରେ ଅନ୍ତିମ ଦର୍ଶନ ପରେ ଜେଟଲୀଙ୍କ ପାର୍ଥିବ ଶରୀରକୁ ରବିବାର ଅପରାହ୍ଣ ୨ଟାରେ ନିଗମବୋଧ ଘାଟକୁ ନିଆଯିବ।

ସୂଚନାଯୋଗ୍ୟ ବିଜେପିର ସଙ୍କଟମୋଚନ କୁହାଯାଉଥିବା ଅରୁଣ ଜେଟଲୀଙ୍କର ଶନିବାର ଦିଲ୍ଲୀସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍‌ସ)ରେ ପରଲୋକ ହୋଇଯାଇଛି। ସେ ଦୀର୍ଘ ଦିନ ଧରି ରୋଗରେ ପୀଡ଼ିତ ଥିବାରୁ ତାଙ୍କୁ ଅଗଷ୍ଟ ୯ ତାରିଖରୁ ଏମ୍‌ସରେ ଭର୍ତ୍ତି କରାଯାଇଥିଲା। ଜେଟଲୀ ୬୬ ବର୍ଷ ବୟସରେ ଆଜି ମଧ୍ୟାହ୍ଣ ୧୨ଟା ୭ରେ ଅନ୍ତିମ ଶ୍ୱାସକ୍ରିୟା ନେଇଥିଲେ।

ସମ୍ବନ୍ଧିତ ଖବର