ଅରବିନ୍ଦ ସ୍ମାରକୀ କ୍ରିକେଟ୍‌: ପାରାମାଉଣ୍ଟ୍‌କୁ ଫାଇନାଲ୍‌ ନେଲେ ସ୍ବୟଂ

ଭୁବନେଶ୍ବର: ଏଠାରେ ଚାଲିଥିବା ଅରବିନ୍ଦ ସ୍ମାରକୀ ପାରାମାଉଣ୍ଟ୍‌ କପ୍‌ କ୍ରିକେଟ୍‌ ପ୍ରତିଯୋଗିତାର ଫାଇନାଲ୍‌ରେ ପ୍ରଥମ ଦଳ ଭାବେ ଆୟୋଜକ ପାରାମାଉଣ୍ଟ୍‌ ସ୍ଥାନ ସୁରକ୍ଷିତ କରିନେଇଛି। ଗୁରୁବାର ପ୍ରଥମ ସେମିଫାଇନାଲ୍‌ରେ ଏହି ଦଳ କଟକର ୟୁନିଅନ୍‌ ସ୍ପୋର୍ଟିଂ ବିପକ୍ଷରେ ୮ ୱିକେଟ୍‌ର ସହଜ ବିଜୟ ହାସଲ କରିଛି। ଟସ୍‌ ଜିତି ବ୍ୟାଟିଂ ନେଇଥିବା ୟନିଅନ୍‌ ସ୍ପୋର୍ଟିଂ ବିପର୍ଯ୍ୟୟର ସାମ୍‌ନା କରି ୨୪.୧ ଓଭରରେ ମାତ୍ର ୫୪ ରନ୍‌ରେ ସମସ୍ତ ୱିକେଟ୍‌ ହରାଇଥିଲା। ଦେବାଶିଷ ବେହେରା (୧୩) ଓ ଜଜ୍ଞଜିତ୍‌ ସାହୁ (୧୦) କେବଳ ଦୁଇ ଅଙ୍କ ଅତିକ୍ରମ କରିଥିଲେ। ପାରାମାଉଣ୍ଟ୍‌ ପକ୍ଷରୁ ସଫଳ ବୋଲର ଭାବେ ଦୁଇ ଅଫ୍‌ ସ୍ପିନର ସ୍ବୟଂ ସାର୍ଥକ ରାଉତରାୟ ୪ ଓ ପ୍ରତ୍ୟୁଷ ପ୍ରକାଶ ସାହୁ ୩ ୱିକେଟ୍‌ ଦଖଲ କରିଥିଲେ। ଜବାବରେ ଏମ୍‌ ଜ୍ଞାନେନ୍ଦ୍ରଙ୍କ ୧୪ ଓ ବିଜୟକେତନ କରଙ୍କ ୧୨ ରନ୍‌ ବଳରେ ପାରାମାଉଣ୍ଟ୍‌ ୧୩ ଓଭରରେ ମାତ୍ର ୨ ୱିକେଟ୍‌ ହରାଇ ବିଜୟ ଲକ୍ଷ୍ୟରେ ପହଞ୍ଚି ଯାଇଥିଲା। ରାକେଶ ସାହୁ ଓ ଅର୍ନବ ପଟ୍ଟନାୟକ ପାରାମାଉଣ୍ଟ୍‌ର ୱିକେଟ୍‌ ଦୁଇଟି ପାଇଥିଲେ। ଚମତ୍କାର ବୋଲିଂ ପାଇଁ ସ୍ବୟଂ ସାର୍ଥକ ରାଉତରାୟଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ମୁଖ୍ୟ ଅତିଥି ନମିତା ଦେବୀ ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁଟ୍‌ର ପ୍ରତିଷ୍ଠାତା ସତ୍ୟଜିତ୍‌ ରାୟଚୌଧୁରୀ ଏହି ପୁରସ୍କାର ପ୍ରଦାନ କରିଥିଲେ। ଅନ୍ୟତମ ଅତିଥି କେଭି ଭାସ୍କର ଶ୍ରେଷ୍ଠ କ୍ଷେତ୍ରରକ୍ଷକ ପୁରସ୍କାର ଏମ୍‌ ଜ୍ଞାନେନ୍ଦ୍ରଙ୍କୁ ପ୍ରଦାନ କରିଥିଲେ। ଏହି ମ୍ୟାଚ୍‌କୁ ନିର୍ମଳ ମିଶ୍ର ଓ ଅସିତ୍‌ ପଟ୍ଟନାୟକ ପରିଚାଳନା କରିଥିଲେ। ‌ରଶ୍ମୀରଂଜନ ମଲ୍ଲ ସ୍କୋରର୍‌ ଥିଲେ। ଶୁକ୍ରବାର ଦ୍ବିତୀୟ ସେମିଫାଇନାଲ୍‌ରେ ଦୁଇ ଭୁବନେଶ୍ବର ଦଳ ରାମେଶ୍ବର ସ୍ପୋର୍ଟିଂ ଓ ପ୍ରଗତି ସ୍ପୋର୍ଟିଂ ମୁହାଁମୁହିଁ ହେବେ।

ସମ୍ବନ୍ଧିତ ଖବର