ପ୍ରଥମ ଟି-୨୦ : ଭାରତକୁ ୪ ଓ୍ବିକେଟରେ ହରାଇଲା ଅଷ୍ଟ୍ରେଲିଆ

ମୋହାଲି : ମୋହାଲିଠାରେ ଖେଳାଯାଇଥିବା ପ୍ରଥମ ଟି-୨୦ରେ ଅଷ୍ଟ୍ରେଲିଆ ଭାରତକୁ ୪ ଓ୍ବିକେଟରେ ପରାସ୍ତ କରିଛି ।  ଭାରତ ଦ୍ବାରା ରଖାଯାଇଥିବା ୨୦୯ ରନର ବିଜୟ ଲକ୍ଷ୍ୟକୁ ଅଷ୍ଟ୍ରେଲିଆ  ୧୯.୨ ତମ ଓଭରରେ ୨୧୧ ରନ କରି ହାସଲ କରିନେଇଥିଲା ।

ଅଷ୍ଟ୍ରେଲିଆ ପକ୍ଷରୁ କାମେରନ ଗ୍ରୀନ ସର୍ବାଧିକ ୬୧ ରନ, ଷ୍ଟିଭ ସ୍ମିଥ ୩୫ ରନ ଓ ଆରନ ଫିଞ୍ଚ୍ ୨୨ରନ କରିଥିଲେ ।  ତେବେ  ମାଥ୍ୟ ଓ୍ବାଡେ ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୨୧ଟି ବଲରେ ୪୫ ରନ କରି ଦଳ ପାଇଁ ବିଜୟ ଆଣି ଦେଇଥିଲେ ।

ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ବିକେଟ ହରାଇ ୨୦୮  ରନ କରିଥିଲା । ଭାରତ ଆରମ୍ଭରୁ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଓ୍ବିକେଟ ଶସ୍ତାରେ ହରାଇବା ପରେ ସଂକଟରେ ପଡ଼ିଥିଲା । କିନ୍ତୁ କେଏଲ ରାହୁଲ ଓ ସୂର୍ଯ୍ୟ କୁମାର ଯାଦବ ଲଢୁଆ ବ୍ୟାଟିଂ କରି ଦଳକୁ ବିପଦମୁକ୍ତ କରିଥିଲେ । ରାହୁଲ ୫୫ ରନ ଓ ସୂର୍ଯ୍ୟକୁମାର ୪୮ ରନ କରି ଆଉଟ ହୋଇଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ଦ୍ରୁତ ବ୍ୟାଟିଂ କରି ମାତ୍ର  ୩୦ଟି ବଲରେ  ୭୧ ରନ କରିଥିଲେ ।

ଅଷ୍ଟ୍ରେଲିଆ ପକ୍ଷରୁ ଜସ ହେଜଲଉଡ ୨ଟି ଓ ନାଥନ ଏଲିସ ୩ଟି ଓ୍ବିକେଟ ନେଇଥିଲେ । ସେହିପରି କ୍ୟାମେରନ ଗ୍ରୀନ ଗୋଟିଏ ଓ୍ବିକେଟ ନେଇଥିଲେ ।

ସମ୍ବନ୍ଧିତ ଖବର