ବର୍ଷା ବାଧାପ୍ରାପ୍ତ ପ୍ରଥମ ଦିବସରେ ଅଷ୍ଟ୍ରେଲିଆ ୧୬୬/୨: ଲାବୁସେନ୍‌, ପକସ୍କି ସମ୍ଭାଳିଲେ

ସିଡନି: ବର୍ଷା ବାଧାପ୍ରାପ୍ତ ସିଡ୍‌ନି ଟେଷ୍ଟ୍‌ର ପ୍ରଥମ ଦିନରେ ଅଷ୍ଟ୍ରେଲିଆ ୨ ୱିକେଟ୍‌ ବିନିମୟରେ ୧୬୬ ରନ୍ ସଂଗ୍ରହ କରିଛି। ସହଜ ପିଚ୍ ଏବଂ କ୍ୟାଚ୍‌ ହାତଛଡ଼ା କାରଣରୁ ଘରୋଇ ଦଳ ଖୁସୀରେ ଖେଳ ଶେଷ କରିଛି। ମାର୍ନସ ଲାବୁସେନ୍‌ ଏବଂ ପଦାର୍ପଣକାରୀ ୱିଲ୍ ପକସ୍କିଙ୍କ ଅର୍ଧଶତକୀୟ ପାଳି ଜରିଆରେ ହିଁ ଅଷ୍ଟ୍ରେଲିଆ ପ୍ରଥମ ଥର ପାଇଁ ଶୃଙ୍ଖଳାରେ ଓଭର ପିଛା ୩.୦୦ ଊର୍ଧ୍ବରେ ରନ୍‌ ସଂଗ୍ରହ କରିଛି ଏବଂ ପ୍ରଥମ ଥର ପାଇଁ ମଧ୍ୟ ୩୦୦ ରନ୍‌ କରିବାର ଆତ୍ମବିଶ୍ବାସ ଦେଖାଇଛି। ଷ୍ଟିଭ୍ ସ୍ମିଥ୍‌ ମଧ୍ୟ ତାଙ୍କ ଖରାପ ଫର୍ମକୁ ପଛରେ ପକାଇ ୩୧ ରନ୍‌ରେ ଅପରାଜିତ ଥିବାରୁ ଅଷ୍ଟ୍ରେଲିଆ ବ୍ୟାଟିଂ ଦୁର୍ବଳତାକୁ ସିଡ୍‌ନିରେ ପଛରେ ପକାଇଦେବାକୁ ଯାଉଛି। ବର୍ଷା କାରଣରୁ କିନ୍ତୁ ପ୍ରଥମ ଦିବସରେ ୫୫ ଓଭର ଖେଳ ସମ୍ଭବ ହୋଇଥିଲା।

ମେଘୁଆ ପାଗର ପୂର୍ବାନୁମାନ ରହିଥିଲେ ମଧ୍ୟ ଅଷ୍ଟ୍ରେଲିଆ ଗୁରୁବାର ସକାଳେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା। ନିଷ୍ପଳ ରହୁଥିବା ଜୋ ବର୍ନସ, ଟ୍ରାଭିସ୍‌ ହେଡ୍‌ ଦଳରୁ ବାଦ୍ ପଡ଼ିଥିବା ବେଳେ ଡେଭିଡ୍‌ ୱାର୍ନର ଏବଂ ୱିଲ୍ ପକସ୍କିଙ୍କୁ ସାମିଲ କରାଯାଇଥିଲା। ପ୍ରାରମ୍ଭିକ ଯୋଡ଼ିକୁ ଅଷ୍ଟ୍ରେଲିଆ ପରିବର୍ତନ କରିଥିଲା। ଅଭିଜ୍ଞ ଡେଭିଡ୍‌ ୱାର୍ନରଙ୍କ ସହ ପାଳି ଆରମ୍ଭ କରିଥିଲେ ନବାଗତ ୱିଲ୍ ପକସ୍କି। ପ୍ରଥମ ଓଭରରୁ ଉତ୍ସାହୀ ମହମ୍ମଦ ସିରାଜ ଉଭୟଙ୍କୁ ଅଡୁଆରେ ପକାଇବା ସହ ପୁରସ୍କାର ସ୍ବରୂପ ୱାର୍ନରଙ୍କୁ ଶିକାର ବନାଇଥିଲେ। ଆହତ କାରଣରୁ ପ୍ରଥମ ଦୁଇ ଟେଷ୍ଟ୍‌ ଖେଳିନଥିବା ୱାର୍ନର ମାତ୍ର ୫ ରନ୍ କରି ପୂଜାରାଙ୍କ ହାତରେ ଧରାପଡ଼ିଥିଲେ। ଘରୋଇ ପରିବେଶରେ ବିଗତ ୪ ବର୍ଷ ଏବଂ ଶେଷ ୨୫ ପାଳି ମଧ୍ୟରେ ପ୍ରଥମ ଥର ପାଇଁ ୱାର୍ନର ୧୦ ରନ୍‌ରୁ ତଳେ ଆଉଟ୍ ହୋଇଥିଲେ।

ପକସ୍କିଙ୍କ ପଦାର୍ପଣ ଅର୍ଧଶତକ
ପଦାର୍ପଣରେ ୨୩ ବର୍ଷୀୟ ଡାହାଣହାତୀ ଭିକ୍ଟୋରିଆ ବ୍ୟାଟ୍ସମ୍ୟାନ୍‌ ୱିଲ୍ ପକସ୍କି ଭାଗ୍ୟ ବଳରେ ଅର୍ଧଶତକ ହାସଲ କରିଛନ୍ତି। ଯୁବ ୱିକେଟ୍‌ରକ୍ଷକ ଋଷବ ପନ୍ତ ୨୮ ଓ ୩୨ ରନ୍‌ ବେଳେ ତାଙ୍କର ଦୁଇ ଥର କ୍ୟାଚ୍‌ ହାତଛଡ଼ା କରିବାରୁ ସେ ଫାଇଦା ଉଠାଇଥିଲେ। ୯୭ ବଲ୍‌ର ସମ୍ମୁଖୀନ ହୋଇ ୪ ଚୌକା ବଳରେ ୫୦ ରନ୍‌ ପୂର୍ଣ୍ଣ କରିଥିଲେ। ଚା’ପାନ ବିରତି ପରେ କିନ୍ତୁ ୧୧୦ ବଲ୍‌ ଖେଳି ୬୨ ରନ୍‌ରେ ଆଉଟ୍ ହୋଇଥିଲେ। ଭାରତ ପକ୍ଷରୁ ପଦାର୍ପଣ କରିଥିବା ନଭଦୀପ ସୈନି ତାଙ୍କୁ ଲେଗ୍‌ବିଫୋର ୱିକେଟ୍ କରାଇ ନେଇଥିଲେ। ପଦାର୍ପଣ ପାଳିରେ ଅର୍ଧଶତକ ଏବଂ ମାର୍ନସ ଲାବୁସେନଙ୍କ ସହ ଶତକୀୟ ଭାଗୀଦାରି (୧୦୦) ମଧ୍ୟ କରିନେଇଥିଲେ ଏହି ଯୁବ ତାରକା। ଅପରାହ୍ନରେ ବ୍ୟାଟିଂ କ୍ରମେ ସହଜ ହୋଇଥିଲା। ଲାବୁସେନ ୧୦୮ ବଲ୍‌ରୁ ନିଜ ଅର୍ଧଶତକ ହାସଲ କରିନେଇଥିଲେ। ଯେଉଁ ଅଶ୍ବିନ୍‌ ସେମାନଙ୍କୁ ଅଡୁଆରେ ପକାଉଥିଲେ ସେମାନେ ତାଙ୍କୁ ନିଜ ଇଚ୍ଛା ଅନୁସାରେ ସଟ୍‌ ଖେଳିବାକୁ ପଛାଇନଥିଲେ। ପ୍ରଥମ ଦିନ ଖେଳ ବେଳକୁ ଲାବୁସେନ୍‌ (୬୭*, ୧୪୯ ବଲ) ଏବଂ ଷ୍ଟିଭେନ୍ ସ୍ମିଥ୍ (୩୧*, ୬୩ ବଲ୍‌) ଅତୁଟ ତୃତୀୟ ୱିକେଟ୍ ପାଇଁ ୬୦ ରନ୍‌ ଭାଗୀଦାରି କରି ଖେଳୁଥିଲେ।

କ୍ୟାଚ୍‌ ଛାଡ଼ି ପନ୍ତ୍‌ ନିନ୍ଦିତ
ପ୍ରଥମ ଦିନ ‌ଖେଳର ସମ୍ମାନକୁ ଅଷ୍ଟ୍ରେଲିଆ ହାତେଇ ନେଇଛି। କିନ୍ତୁ ଏହା ପଛରେ ଭାରତୀୟ ୱିକେଟ୍‌ରକ୍ଷକ ଋଷବ ପନ୍ତଙ୍କ ଯୋଗଦାନ ରହିଛି। ପଦାର୍ପଣ କରିଥିବା ୱିଲ୍ ପକସ୍କିଙ୍କୁ ଦୁଇ ଥର ଆଉଟ୍‌ କରିବାର ସୁଯୋଗ ଛାଡ଼ିଥିଲେ ପନ୍ତ୍‌। ରବିଚନ୍ଦ୍ରନ ଅଶ୍ବିନଙ୍କ ବଲ୍‌ ପକସ୍କିଙ୍କ ବ୍ୟାଟ୍‌ ଧାର ଛୁଇଁ ଚାଲିଯାଉଥିବା ବେଳେ ପନ୍ତ୍‌ ଏହାକୁ କାବୁ କରିପାରିନଥିଲେ। ସେହ‌ିଭଳି ମହମ୍ମଦ ସିରାଜଙ୍କ ବୋଲିଂ ବେଳେ ମଧ୍ୟ ପନ୍ତ୍‌ ଆଉ ଏକ କ୍ୟାଚ୍‌ ହାତଛଡ଼ା କରିବା ପରେ ପକସ୍କି ଅର୍ଧଶତକ ପୂର୍ଣ୍ଣ କରିବା ସୁଯୋଗ ପାଇଥିଲେ। ଶେଷକୁ ସେ ଭାରତୀୟ ପଦାର୍ପଣକାରୀ ନଭଦୀପ ସୈନିଙ୍କ ଶିକାର ହୋଇଥିଲେ। ପନ୍ତ୍‌ଙ୍କୁ କିନ୍ତୁ ନିଜ ଦୁର୍ବଳତା ପାଇଁ ସାମାଜିକ ଗଣମାଧ୍ୟମରେ ଟ୍ରୋଲ୍‌ ହେବାକୁ ପଡ଼ିଛି। ପ୍ରଶଂସକମାନେ ତାଙ୍କୁ ଢେର କଟୁକ୍ତି କରିଛନ୍ତି। ୨୦୧୮ ମସିହାରେ ଟେଷ୍ଟ୍ ପଦାର୍ପଣ କରିବା ପରଠାରୁ ଭାରତ ତାଙ୍କ ଚୟନକୁ ନେଇ ସବୁବେଳେ ଦ୍ବିବିଧାରେ ରହି ଆସିଛି।

୩୬ ବର୍ଷୀୟ ସାହାଙ୍କୁ ଭଲ ୱିକେଟରକ୍ଷକ ବିବେଚନା କରାଯାଉଥିବା ବେଳେ ପନ୍ତ୍‌ଙ୍କୁ ଅପେକ୍ଷାକୃତ ଭଲ ବ୍ୟାଟ୍ସମ୍ୟାନ୍‌ କୁହାଯାଉଛି। ୨୦୧୮ ମସିହା ପରଠାରୁ ଅନ୍ୟୁନ ୧୦ ଟେଷ୍ଟ୍ ଖେଳିଥିବା ଖେଳାଳିଙ୍କ ମଧ୍ୟରେ ପନ୍ତ୍‌ଙ୍କ କ୍ୟାଚ୍‌ ଡ୍ରପ୍ ପ୍ରତିଶତ ୦.୮୬ ରହିଛି, ଯାହାକି ସବୁଠୁ ଖରାପ। ତାଙ୍କ କ୍ୟାଚ୍‌ କାବୁ ସଫଳତା ପେସ୍‌ (୯୩ ପ୍ରତିଶତ) ତୁଳନାରେ ସ୍ପିନ୍‌ ବିପକ୍ଷରେ (୫୬ ପ୍ରତିଶତ) ଉଲ୍ଲେଖନୀୟ ଭାବେ କମ୍‌ ରହିଛି। ମହମ୍ମଦ ସିରାଜ କିନ୍ତୁ ପନ୍ତ୍‌ଙ୍କ ପାଇଁ ସାନ୍ତ୍ବନା ବାଣୀ ଶୁଣାଇଛନ୍ତି। ‘କ୍ୟାଚ୍‌ ହାତଛଡ଼ା ଖେଳର ଅଂଶବିଶେଷ’ ବୋଲି ସିରାଜ କହିଥିଲେ। ପୂର୍ବତନ ଭାରତୀୟ ୱିକେଟରକ୍ଷକ ପାର୍ଥିବ ପଟେଲ୍‌ କିନ୍ତୁ ପନ୍ତଙ୍କ ଦୋଷ ଧରିଛନ୍ତି। ‘ସେ କ୍ୟାଚ୍‌କୁ ଉଭୟ ହାତକୁ ଟାଣ କରି ‌ଧରିବାକୁ ଚେଷ୍ଟା କରୁଛନ୍ତି। ଆଙ୍ଗୁଠିଗୁଡିକ ତଳମୁହାଁ ରହିବା ଉଚିତ୍, ଆଗ ଆଡକୁ ନୁହେଁ’ ବୋଲି ଭାରତ ପାଇଁ ୨୫ ଟେଷ୍ଟ୍ ଓ ୧୦୮ ଦିନିକିଆ ଖେଳିଥିବା ପଟେଲ୍ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର