ନୂଆଦିଲ୍ଲୀ: ଦେଢ଼ ମାସ ଧରି ଭାରତରେ ଚାଲିଥିବା ଦିନିକିଆ କ୍ରିକେଟ୍‌ ବିଶ୍ବକପ୍‌ ଏବେ ଶେଷ ପହାଚରେ ପହଞ୍ଚିଛି। ଆସନ୍ତା ରବିବାର ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଫାଇନାଲ୍‌ ମ୍ୟାଚ୍‌ ଖେଳାଯିବ। ୧୨ ବର୍ଷ ପରେ ଭାରତକୁ ବିଶ୍ବକପ୍‌ ଫେରିଥିବାରୁ ନଭେମ୍ବର ୧୯ ତାରିଖକୁ ଭାରତୀୟ ଖେଳାଳିମାନେ ସ୍ମରଣୀୟ କରିବାକୁ ଲକ୍ଷ୍ୟ ରଖିଛନ୍ତି। ତଥାପି ଅଷ୍ଟ୍ରେଲିଆ ଯେପରି ଲଢୁଆ ପ୍ରଦର୍ଶନ ଦେଇ ଫାଇନାଲ୍‌ ପର୍ଯ୍ୟନ୍ତ ଆସିଛି, ଏହି ଦଳକୁ କମ୍‌ ଆକଳନ କରିବା ଉଚିତ ହେବନି। ଯଦିଓ ଏଥି ପୂର୍ବରୁ ଅକ୍ଟୋବର ୮ ତାରିଖରେ ଭାରତ ପ୍ରଥମ ଲିଗ୍‌ ମ୍ୟାଚ୍‌‌ରେ ଅଷ୍ଟ୍ରେଲିଆକୁ ହରାଇଥିଲା, କିନ୍ତୁ କଙ୍ଗାରୁ ଦଳ ରବିବାର ତାହାର ପ୍ରତିଶୋଧ ନେବା ପାଇଁ ଚାହିବ। ଆଇସିସି ଇଭେଣ୍ଟରେ ତୃତୀୟ ଥର ପାଇଁ ଫାଇନାଲ୍‌ରେ ଏହି ଦୁଇ ଦଳଙ୍କ ମଧ୍ୟରେ ମୁକାବିଲା ହେବାକୁ ଯାଉଥିବା ବେଳେ ଅଷ୍ଟ୍ରେଲିଆ ୨-୦ରେ ଆଗରେ ରହିଛି। ୨୦୦୩ ଦିନିକିଆ ବିଶ୍ବକପ୍‌ ସହିତ ଚଳିତ ବର୍ଷ ବିଶ୍ବ ଟେଷ୍ଟ୍‌ ଚାମ୍ପିଅନ୍‌ସିପ୍‌ (ଡବ୍ଲୁଟିସି)ରେ ମଧ୍ୟ ଭାରତକୁ ପରାସ୍ତ କରିଥିଲା ଅଷ୍ଟ୍ରେଲିଆ।

Advertisment

ଦିନିକିଆ ବିଶ୍ବକପ୍‌-୨୦୦୩
ମାର୍ଚ୍ଚ ‌୨୩ ତାରିଖରେ ଜୋହାନସବର୍ଗର ନିଉ ୱାଣ୍ଡରର୍ସ ଷ୍ଟାଡିୟମ୍‌ରେ ହୋଇଥିବା ଫାଇନାଲ୍‌ରେ ଭାରତକୁ ଶୋଚନୀୟ ଭାବେ ପରାସ୍ତ କରି ଅଷ୍ଟ୍ରେଲିଆ ତୃତୀୟ ଥର ବିଶ୍ବ ବିଜେତା ହୋଇଥିଲା। ରିକିଂ ପଣ୍ଟିଂଙ୍କ ନେତୃତ୍ବାଧିନ ଦଳ ମାତ୍ର ୨ ୱିକେଟ୍‌ ବିନିମୟରେ ୩୫୯ ରନ୍‌ର ବିଶାଳ ସ୍କୋର ଛିଡ଼ା କରିଥିଲା। ପଣ୍ଟିଂ ଅଧିନାୟକ ପାଳି ଖେଳିବା ସହ ୧୪୦* ରନ୍‌ କରି ଅପରାଜିତ ରହିଥିଲେ। ଏଥିପାଇଁ ତାଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମଧ୍ୟ ମିଳିଥିଲା। ଯଦିଓ ସଚିନ ତେନ୍ଦୁଲକର ସେତେବେଳେ ଅଗ୍ରଣୀ ରନ୍‌ ସଂଗ୍ରହକାରୀ ଥିଲେ, ତଥାପି ଭାରତୀୟ ବ୍ୟାଟର୍‌ ପଶ୍ଚାତଧାବନ ସମୟରେ ଅସଫଳ ହୋଇଥିଲେ। ଯାହାଫଳରେ ୩୯.୨ ଓଭରରେ କେବଳ ୨୩୪ ରନ୍‌ କରି ଦଳ ଅଲଆଉଟ୍‌ ହୋଇଥିଲା। ଏହାଫଳରେ ଅଷ୍ଟ୍ରେଲିଆ ଲଗାତାର ବିଶ୍ବକପ୍‌ ଜିତିବା ସହ ତୃତୀୟ ଥର ପାଇଁ ଟ୍ରଫି ହାତେଇଥିଲା।

ବିଶ୍ବ ଟେଷ୍ଟ ଚାମ୍ପିଅନ୍‌ସିପ୍‌-୨୦୨୩
୨୦ ବର୍ଷ ପରେ ପୁଣି ଥରେ ଆଇସିସି ଇଭେଣ୍ଟର ଫାଇନାଲ୍‌ରେ ମୁହାଁମୁହିଁ ହୋଇଥିଲେ ଭାରତ ଓ ଅଷ୍ଟ୍ରେଲିଆ। ଡବ୍ଲୁଟିସି ଦ୍ବିତୀୟ ସଂସ୍କରଣର ଫାଇନାଲ୍‌ ମ୍ୟାଚ୍‌ ଇଂଲଣ୍ଡର ଓଭାଲ୍‌ରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଅଷ୍ଟ୍ରେଲିଆ ୨୦୯ ରନ୍‌ରେ ଭାରତକୁ ପରାସ୍ତ କରି ପ୍ରଥମ ଥର ଟ୍ରଫି ଜିତିଥିଲା। ଏହି ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ପ୍ରଥମ ପାଳିରେ ୪୬୯ ରନ୍‌ କରି ଦୃଢ଼ ମୂଳଦୁଆ ପକାଇଥିଲା। କିନ୍ତୁ ଭାରତ ପ୍ରଥମ ପାଳିରେ ମାତ୍ର ୨୯୬ ରନ୍‌‌ରେ ଅଲଆଉଟ୍‌ ହୋଇଥିଲା। ପରେ ଅଷ୍ଟ୍ରେଲିଆ ଦ୍ବିତୀୟ ପାଳିରେ ୨୭୦/୮ରେ ପାଳି ଘୋ‌ଷଣା କରିବା ପରେ ଭାରତ ୨୩୪ ରନ୍‌ରେ ସମସ୍ତ ୱିକେଟ୍‌ ହରାଇଥିଲା। ଏହି ବିଜୟ ଫଳରେ ଅଷ୍ଟ୍ରେଲିଆ ଆଇସିସିର ସମସ୍ତ ଟ୍ରଫିରେ ବିଜେତା ହେବାର ଏକକ କୀର୍ତ୍ତିମାନ ଅର୍ଜନ କରିଛି।