ଅଷ୍ଟ୍ରେଲିଆ ପାଳି ଓ ୪୦ ରନ୍‌ରେ ବିଜୟୀ

ବ୍ରିସବନ୍‌: ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟ୍‌କୁ ଅଷ୍ଟ୍ରେଲିଆ ଏକ ପାଳି ଓ ୪୦ ରନ୍‌ ବ୍ୟବଧାନରେ ଜିତି ୨ ମ୍ୟାଚ୍ ଶୃଙ୍ଖଳାରେ ୧-୦ରେ ଆଗୁଆ ହୋଇଯାଇଛି। ଉଭୟ ପାଳିରୁ ୧୦ ୱିକେଟ୍‌ ସଂଗ୍ରହ କରିଥିବା ପ୍ୟାଟ୍ କମିନ୍ସ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି। ପ୍ରଥମ ପାଳିରେ ମାତ୍ର ୧୪୪ ରନ୍ କରିଥିବା ଭ୍ରମଣକାରୀ ଶ୍ରୀଲଙ୍କା ଦଳ ଦ୍ବିତୀୟ ପାଳିରେ ଅନୁରୂପ ଭାବେ ଦୟନୀୟ ବ୍ୟାଟିଂ କରି ୧୩୯ ରନ୍‌ରେ ସମସ୍ତ ୱିକେଟ୍ ହରାଇଥିଲା। ଫଳରେ ପାଳି ପରାଜୟକୁ ମଧ୍ୟ ଏଡ଼ାଇ ପାରିନଥିଲା। ଡାହାଣହାତୀ ଦ୍ରୁତ ବୋଲର ପ୍ୟାଟ୍ କମିନ୍ସ (୧୪.୪-୩-୩୯-୪ ଏବଂ ୧୫-୮-୨୩-୬)ଙ୍କୁ ଖେଳିବାରେ ସିଂହଳି ବ୍ୟାଟସମ୍ୟାନ୍ ସମ୍ପୂର୍ଣ୍ଣ ବିଫଳ ହୋଇଥିଲେ। ଏହି ଅବସରରେ କମିନ୍ସ ନିଜ ଖେଳ ଜୀବନର ଶ୍ରେଷ୍ଠ ବୋଲିଂ ଚିତ୍ର ବି ପାଇଥିଲେ। ଫଳରେ ଅଢ଼େଇ ଦିନ ଭିତରେ ହିଁ ଏହି ଟେଷ୍ଟ୍ ଶେଷ ହୋଇଯାଇଥିଲା। ଅଷ୍ଟ୍ରେଲିଆକୁ ଦ୍ବିତୀୟ ପାଳି ଖେଳିବାକୁ ପଡ଼ିନଥିଲା। ଦ୍ବିତୀୟ ତଥା ଶେଷ ଟେଷ୍ଟ୍‌ କାନବେରାରେ ଫେବ୍ରୁଆରି ପହିଲାରୁ ଖେଳାଯିବ।
ସଂକ୍ଷିପ୍ତ ସ୍କୋର: ଶ୍ରୀଲଙ୍କା ପ୍ରଥମ ପାଳି: ୧୪୪ (ନି‌ରୋସନ ଡିକୱାଲା-୬୪, ଦିମୁଥ କରୁଣାରତ୍ନେ-୨୪, ପ୍ୟାଟ୍ କମିନ୍ସ-୪/୩୯, ଝାଏ ରିଚାର୍ଡସନ-୩/୨୬, ମିଚେଲ୍‌ ଷ୍ଟାର୍କ-୨/୪୧, ନାଥନ୍ ଲାୟନ୍‌-୧/୩୮)। ଅଷ୍ଟ୍ରେଲିଆ ପ୍ରଥମ ପାଳି: ୩୨୩ (ଟ୍ରାଭିସ୍ ହେଡ୍‌-୮୪, ମାର୍ନସ ଲବୁସାନ୍‌-୮୧, ସୁରଙ୍ଗା ଲକମଲ-୫/୭୫, ଦିଲ୍‌ରୁୱାନ ପେରେରା-୨/୮୪)। ଶ୍ରୀଲଙ୍କା ଦ୍ବିତୀୟ ପାଳି: ୫୦.୫ ଓଭରରେ ୧୩୯ (ଲାହିରୁ ଥିରିମାନେ-୩୨, ପ୍ୟାଟ୍ କମିନ୍ସ-୬/୨୩, ଝାଏ ରିଚାର୍ଡସନ-୨/୧୯, ନାଥନ୍ ଲାୟନ୍‌-୧/୧୭)

ସମ୍ବନ୍ଧିତ ଖବର