ଭାରତ ଆସିବାକୁ ଅଷ୍ଟ୍ରେଲିଆ ରାଜି

ଦିନିକିଆ ଶୃଙ୍ଖଳା ଜାନୁଆରିରେ

ମେଲବର୍ନ: ପୂର୍ବ ସୂଚୀ ଅନୁଯାୟୀ ଆସନ୍ତା ବର୍ଷ ପ୍ରାରମ୍ଭରୁ ଭାରତ ଗସ୍ତରେ ଆସି ଦିନିକିଆ ଶୃଙ୍ଖଳା ଖେଳିବାକୁ କ୍ରିକେଟ୍‌ ଅଷ୍ଟ୍ରେଲିଆ ମଙ୍ଗଳବାର ରାଜି ହୋଇଛି। ନିଜର ପ୍ରମୁଖ ମହିଳା ଖେଳାଳି (ଇଲିସେ ପେରି, ମେଗ୍‌ ଲାନିଙ୍ଗ୍‌ ଓ ଆଲିସା ହିଲେ)ଙ୍କୁ ଜୟପୁରରେ ଏବେ ଚାଲିଥିବା ମିନି ଟ୍ବେଣ୍ଟି-୨୦ ଲିଗ୍‌ରେ ଖେଳିବାକୁ ବାରଣ କରିବାର ଦିନକ ପରେ କ୍ରିକେଟ୍‌ ଅଷ୍ଟ୍ରେଲିଆ ମତ ବଦଳାଇବାକୁ ବାଧ୍ୟ ହୋଇଛି। ଫଳରେ
ଅଷ୍ଟ୍ରେଲିଆ ଦଳ ଆସନ୍ତା ବର୍ଷ ଜାନୁଆରି ମଧ୍ୟଭାଗରେ ୧୦ ଦିନ ଲାଗି ଭାରତ ଗସ୍ତ କରିବ। ଏହା ମଧ୍ୟରେ ଭ୍ରମଣକାରୀ ଦଳ ୩ଟି ଦିନିକିଆ ମ୍ୟାଚ୍‌ ଖେଳିବ। ଉଭୟ ଦେଶ ମଧ୍ୟରେ ହୋଇଥିବା ଦ୍ବିପାକ୍ଷିକ ଚୁକ୍ତିକୁ ଆମେ ସମ୍ମାନ ଜଣାଇ ଏହି ଗସ୍ତ ଲାଗି ରାଜି ହୋଇଛୁ। ଆମର ଅନ୍ତର୍ଜାତୀୟ ସୂଚୀ ଅନୁଯାୟୀ ଦିନିକିଆ ଲାଗି ଜାନୁଆରି ମାସକୁ ଅଗ୍ରାଧିକାର ଦେଇଛୁ‌ ବୋଲି କ୍ରିକେଟ୍‌ ଅଷ୍ଟ୍ରେଲିଆର ପରିଚାଳନା ମୁଖ୍ୟ ପିଟର ରୋଚ୍‌ କହିଛନ୍ତି। ସୂଚନାଯୋଗ୍ୟ ଯେ ଚଳିତ ମାସରେ କ୍ରିକେଟ୍‌ ଅଷ୍ଟ୍ରେଲିଆର ସିଇଓ କେଭିନ ରର୍ବଟ୍ସ ଏବଂ ବିସିସିଆଇ ସିଇଓ ରାହୁଲ ଜୋହରିଙ୍କ ମଧ୍ୟରେ ଦ୍ବିପାକ୍ଷିକ ଚୁକ୍ତିକୁ ନେଇ ଆଲୋଚନା ହୋଇଥିଲା। ଏଥିରେ ଉଭୟ ଦେଶ କୌଣସି ମତେ ପୂର୍ବ ଚୁକ୍ତିରୁ ଓହରିବେନି ବୋଲି ନି‌ଷ୍ପତ୍ତି ନେଇଥିଲେ। ଅବଶ୍ୟ ଏହି କାରଣରୁ ନ୍ୟୁଜିଲାଣ୍ଡ୍‌ ବିପକ୍ଷ ଅଷ୍ଟ୍ରେଲିଆର ଘରୋଇ ଶୃଙ୍ଖଳା ପ୍ରଭାବିତ ହେବ। ତେବେ ନ୍ୟୁଜିଲାଣ୍ଡ୍‌ ଦଳ ଡିସେମ୍ବରରେ ଅଷ୍ଟ୍ରେଲିଆ ସହ ଚାପେଲ-ହାଡ୍‌ଲି ଟ୍ରଫି (୩ ଟେଷ୍ଟ୍‌) ଖେଳି ସ୍ବଦେଶ ଫେରିଯିବ। ଏହାପରେ ଅଷ୍ଟ୍ରେଲିଆ ଦଳ ଭାରତ ଗସ୍ତ କରି ଫେରିବା ପରେ ମାର୍ଚରେ ପୁଣି ନ୍ୟୁଜିଲାଣ୍ଡ୍‌ ସହ ଘରେ ଦିନିକିଆ ଶୃଙ୍ଖଳା ଖେଳିବ।

ସମ୍ବନ୍ଧିତ ଖବର