ଆଇପିଏଲ୍‌ ପ୍ରଥମ ସପ୍ତାହରୁ ବଞ୍ଚିତ ହେବେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ଖେଳାଳି

ମୁମ୍ବାଇ: ‌‌ସେପ୍ଟେମ୍ବର ୧୯ ତାରିଖରୁ ୟୁଏଇରେ ଆଇପିଏଲ୍‌ର ତ୍ରୟୋଦଶ ସଂସ୍କରଣ ଖେଳାଯିବାକୁ ଥିବାବେଳେ ଏହି ଟି-୨୦ ଲିଗ୍‌ର ପ୍ରଥମ ସପ୍ତାହ କିଛି ଖେଳାଳିଙ୍କ ପାଇଁ ଅସୁବିଧା ସୃଷ୍ଟି କରିବ। କାରଣ ୟୁଏଇ ସରକାରଙ୍କ ସାଧାରଣ ପରିଚାଳନା ପ୍ରକ୍ରିୟା (ଏସଓପି) ଅନୁସାରେ ଦେଶରେ ପହଞ୍ଚିବା ପରେ ଖେଳାଳିମାନଙ୍କୁ ଗୋଟିଏ ସପ୍ତାହ ସଙ୍ଗରୋଧରେ ରହିବା ସହ ଦୁଇ ଥର କୋଭିଡ୍‌ ପରୀକ୍ଷାର ସମ୍ମୁଖୀନ ହେବାକୁ ପଡ଼ିବ। ଏଥିପାଇଁ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ଖେଳାଳିଙ୍କୁ ପ୍ରଥମ ସପ୍ତାହରେ ଖେଳିବା ଅସୁବିଧା ହେବାର ଆଶଙ୍କା ରହିଛି। କାରଣ ଏହି ଦୁଇ ଦେଶ ମଧ୍ୟରେ ଖେଳାଯିବାକୁ ଥିବା ସୀମିତ ଓଭର ଶୃଙ୍ଖଳା ସେପ୍ଟେମ୍ବର ୧୬ରେ ସରିବ। ଏହାର ଠିକ୍ ୩ ଦିନ ପରେ ଆଇପିଏଲ୍ ଆରମ୍ଭ ହେବାକୁ ଯାଉଛି। ସବୁ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ଖେଳାଳି ନୁହଁନ୍ତି, ଯେଉଁମାନେ ଏହି ଶୃଙ୍ଖଳା ଲାଗି ଜାତୀୟ ଦଳରେ ରହିବେ ସେମାନଙ୍କ ପାଇଁ ଏହି ଆଶଙ୍କା ରହିବ। ସେମାନଙ୍କ ମଧ୍ୟରୁ ଡେଭିଡ୍ ୱାର୍ନର, ଷ୍ଟିଭ୍ ସ୍ମିଥ୍, ଜୋର୍ଫା ଆର୍ଚର, ବେନ୍ ‌ଷ୍ଟୋକ୍ସ, ପ୍ୟାଟ୍ କମିନ୍ସ ପ୍ରମୁଖ ଅନ୍ୟତମ। ଉଦାହରଣ ଭାବେ ଯଦି ପ୍ରଥମ ସପ୍ତାହରେ ସନ୍‌ରାଇଜର୍ସ ହାଇଦ୍ରାବାଦ ଏବଂ ରାଜସ୍ଥାନ ରୟାଲ୍ସ ମ୍ୟାଚ୍‌ ପଡିବ ତେବେ ଏହି ଖେଳାଳିମାନଙ୍କ ସଙ୍ଗରୋଧ ସପ୍ତାହ ସରିନଥିବ। ପ୍ରତିଯୋଗିତା ଲାଗି ଅନ୍ୟ ବହୁ ପ୍ରତିଷେଧକ ବ୍ୟବସ୍ଥା ମଧ୍ୟ ନିଆଯାଇଛି।

ଅନ୍ୟପକ୍ଷରେ ସିପିଏଲ୍ (କାରବୀୟ ପ୍ରିମିୟର୍ ଲିଗ୍) ଏବଂ ଏସ୍‌ପିଏଲ୍ (ଶ୍ରୀଲଙ୍କା ପ୍ରିମିୟର୍ ଲିଗ୍‌) ସେପ୍ଟେମ୍ବର ମାସରେ ଶେଷ ହେଉଥିଲେ ମଧ୍ୟ ଏହା ସମ୍ପୃକ୍ତ ଦେଶର ଖେଳାଳିଙ୍କୁ ବିଶେଷ ପ୍ରଭାବିତ କରିବ ନାହିଁ। ଆଇପିଏଲ୍‌ ଆରମ୍ଭର ଗୋଟିଏ ସପ୍ତାହ ପୂର୍ବରୁ ସେମାନେ ୟୁଏଇରେ ପହଞ୍ଚିଯିବେ। ସିପିଏଲ୍‌ ସେପ୍ଟେମ୍ବର ୧୦ ତାରିଖରେ ଶେଷ ହେଉଥିବାରୁ ୱେଷ୍ଟଇଣ୍ଡିଜ୍ ଖେଳାଳି ସଙ୍ଗରୋଧ ସପ୍ତାହ ପରେ ଆଇପିଏଲ୍‌ ପାଇଁ ଉପଲବ୍‌ଧ ହୋଇପାରିବେ। ଏସ୍‌ପିଏଲ୍ କିନ୍ତୁ ସେପ୍ଟେମ୍ବର ଅଧା ପର୍ଯ୍ୟନ୍ତ ଲମ୍ବିଥିବାରୁ ସାମାନ୍ୟ ଅସୁବିଧା ଅଛି। କିନ୍ତୁ ଏହା ଲସିଥ୍ ମାଲିଙ୍ଗାଙ୍କ ଛଡ଼ା ଅନ୍ୟମାନଙ୍କୁ ବିଶେଷ ପ୍ରଭାବିତ କରିବା ଆଶଙ୍କା ନାହିଁ। ଖେଳାଳିଙ୍କ ଉପଲବ୍‌ଧ ବଡ଼ ସମସ୍ୟା ନୁହେଁ ବୋଲି କୁହାଯାଉଛି। କାରଣ ବିଭିନ୍ନ ଫ୍ରାଞ୍ଚାଇଜ୍ ୟୁଏଇ ପଞ୍ଚହିବା ଓ ରହଣି ବ୍ୟବସ୍ଥା ଲାଗି ଯୋଜନା କରିବାରେ ଲାଗିଛନ୍ତି। କେବଳ ବିସିସିଆଇ ସବୁଜ ସଙ୍କେତକୁ ଅପେକ୍ଷା କରିଛନ୍ତି। ଭାରତୀୟ ଦଳ ସେଠାରୁ ଅଷ୍ଟ୍ରେଲିଆ ଗସ୍ତ କରିବାର ଥିବାରୁ ଦଳର ଫିଜିଓ ନୀତିନ ପଟେଲ୍ ଓ ଟ୍ରେନର୍‌ ନିକ୍ ୱେବ୍‌ଙ୍କ ସହ ସପୋର୍ଟ ଷ୍ଟାଫ୍‌ ମଧ୍ୟ ୟୁଏଇ ଗସ୍ତରେ ଯିବେ।

ସମ୍ବନ୍ଧିତ ଖବର