ଭାରତୀୟ ଦଳ ଗସ୍ତ ଖର୍ଚ ଛାଡ଼ କରିବା ଯୋଜନାରେ ଅଷ୍ଟ୍ରେଲିଆ

ମେଲବର୍ଣ୍ଣ: ଚଳିତ ବର୍ଷ ଶେଷ ଭାଗରେ ଭାରତୀୟ କ୍ରିକେଟ୍ ଦଳ ଅଷ୍ଟ୍ରେଲିଆ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। କୋଭିଡ୍‌-୧୯ ପାଇଁ ଏହି ଗସ୍ତ ଆଶଙ୍କା ଭିତରକୁ ଯିବାର ବିପଦ ବି ବଢ଼ିଛି। ତେବେ ଆର୍ଥିକ ସଙ୍କଟ ମୁହାଁ ହୋଇଥିବା କ୍ରିକେଟ୍ ଅଷ୍ଟ୍ରେଲିଆ (ସିଏ) ଭାରତୀୟ ଦଳର ଗସ୍ତକୁ ପ୍ରୋତ୍ସାହିତ କରିବା ଲାଗି ଏହ‌ାର ଗସ୍ତଖର୍ଚକୁ ଛାଡ଼ କରିବା ଯୋଜନାରେ ରହିଛି। ଅଦ୍ୟାବଧି ୮୦ ଭାଗ କର୍ମଚାରୀଙ୍କୁ କ୍ରିକେଟ୍ ଅଷ୍ଟ୍ରେଲିଆ ଛୁଟିରେ ପଠାଇ ସାରିଛି। ଆର୍ଥିକ ସଙ୍କଟରୁ ବାହାରିବା ପାଇଁ ଭାରତ-ଅଷ୍ଟ୍ରେଲିଆ ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍ ଶୃଙ୍ଖଳା ଗୁରୁତ୍ବପୂର୍ଣ୍ଣ ଥିବାରୁ ‘ସିଏ’ ନରମ ମନୋଭାବ ଦେଖାଇଛି। ଏହା ଡିସେମ୍ବର-ଜାନୁଆରିରେ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। କୋଭିଡ୍‌-୧୯ ଭୟାବହତା ପରେ ଅଷ୍ଟ୍ରେଲିଆର ସୀମାକୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ସିଲ୍ କରି ଦିଆଯାଇଛି। ଭାରତ ଗସ୍ତ ସମ୍ଭବ ନ ହେଲେ ଅଷ୍ଟ୍ରେଲିଆକୁ ପ୍ରାୟ ୩୦୦ ମିଲିଅନ୍‌ ଅଷ୍ଟ୍ରେଲିଆନ୍ ଡଲାର୍ (ପ୍ରାୟ ୧୪୬ କୋଟି ଟଙ୍କା) କ୍ଷତି ସହିବାକୁ ପଡ଼ିବ।

ଭାରତୀୟ ଦଳର ଅନ୍ତର୍ଜାତୀୟ ଗସ୍ତ ଖର୍ଚକୁ ଛାଡ଼ କରିବା ଲାଗି ମଧ୍ୟ କ୍ରିକେଟ୍ ଅଷ୍ଟ୍ରେଲିଆକୁ ସରକାରଙ୍କ ଅନୁମତି ଆବଶ୍ୟକ। ସରକାରଙ୍କଠାରୁ ‘ସିଏ’କୁ ସକାରାତ୍ମକ ସ‌‌ଙ୍କେତ ମିଳିଥିବା ମଧ୍ୟ ସୂଚନା ମିଳିଛି। ମୋଟ ଉପରେ କ୍ରିକେଟ୍ ଅଷ୍ଟ୍ରେଲିଆ ଆଗାମୀ ଋତୁରୁ ୫୦୦ ନିୟୁତ ଅଷ୍ଟ୍ରେଲିଆନ୍ ଡଲାର ରାଜସ୍ବ ଅର୍ଜନ କରିବା ଆଶ‌ାରେ ରହିଥିଲା। ଅଧିକାଂଶ ରାଜସ୍ବ ଟିଭି ପ୍ରସାରଣରୁ ମିଳିଥାଏ। କ୍ରିକେଟ୍‌ ଅଷ୍ଟ୍ରେଲିଆର ପ୍ରସ୍ତାବ ପରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସନ୍ ମଧ୍ୟ କ୍ରିକେଟ୍ କାର୍ଯ୍ୟକଳାପ ସମ୍ପର୍କରେ ସମସ୍ତ ବିକଳ୍ପକୁ ଦେଖିବେ ବୋଲି ପ୍ରକାଶ କରିଛନ୍ତି। ଅଷ୍ଟ୍ରେଲିଆ ପାଇଁ ଭାରତୀୟ ଦଳର ଭ୍ରମଣ କେତେ ଗୁରୁତ୍ବପୂର୍ଣ୍ଣ ଏହି ଦେଶ ଭଲ ଭାବେ ବୁଝିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର