ମେଲବର୍ଣ୍ଣ: ଇଂଲଣ୍ଡର ଆସେସ୍ ଶୃଙ୍ଖଳାକୁ ଜୀବୀତ ରଖିବା ଆଶା ମଉଳିଯାଇଛି। ବକ୍ସିଂ ଡେ’ ଟେଷ୍ଟ୍ରେ ଭ୍ରମଣକାରୀ ଜୋ ରୁଟଙ୍କ ଦଳ ଦ୍ବିତୀୟ ଦିନରୁ ହିଁ ପରାଜୟ ମୁହାଁ ହୋଇଛି। ଇଂଲଣ୍ଡ ପ୍ରଥମ ପାଳିରେ ମାତ୍ର ୧୮୫ ରନ୍ କରିଥିଲେ ମଧ୍ୟ ଦଳର ବୋଲରମାନେ ଘରୋଇ ଦଳର ପ୍ରଥମ ପାଳିକୁ ସୋମବାର ୨୬୭ ରନ୍ରେ ରୋକି ଦେଇଥିଲେ। ତେବେ ୮୨ ରନ୍ ପଛରେ ପଡ଼ିଯିବା ପରେ ଇଂଲଣ୍ଡ ଦ୍ବିତୀୟ ଦିନ ସୁଦ୍ଧା ୩୧ ରନ୍ରେ ୪ ୱିକେଟ୍ ହରାଇ ଦେଇଛି। ମିଚେଲ ଷ୍ଟାର୍କ ଲଗାତାର ବଲରେ ଏବଂ ପ୍ରଥମ ପଦାର୍ପଣକାରୀ ଆଦିମ ଅଧିବାସୀ କ୍ରିକେଟର୍ ସ୍କଟ୍ ବୋଲାଣ୍ଡ୍ ଗୋଟିଏ ଓଭରରେ ଦୁଇଟି ୱିକେଟ୍ ନେଇ ଇଂଲଣ୍ଡର ଦ୍ବିତୀୟ ପାଳିକୁ ପ୍ରଥମରୁ ଛିନ୍ ଭିନ୍ କରି ଦେଇଛନ୍ତି। ଅଷ୍ଟ୍ରେଲିଆ ସୋମବାର ୬୧/୧ରୁ ଖେଳିଥିବା ବେଳେ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇଥିଲା। ତେବେ ପ୍ରାରମ୍ଭିକ ବ୍ୟାଟର୍ ମାର୍କସ ହାରିସ୍ (୭୬, ୧୮୯ ବଲ୍)ଙ୍କ ଅର୍ଦ୍ଧଶତକ ଏବଂ ନିମ୍ନକ୍ରମରେ ଛୋଟ ଛୋଟ ଅବଦାନ କାରଣରୁ ୨୬୭ ରନ୍ ସଂଗ୍ରହ କରି ନେଇଥିଲା। ଅଭିଜ୍ଞ ଜେମ୍ସ ଆଣ୍ଡରସନ୍ ମାତ୍ର ୩୩ ରନ୍ ବିନିମୟରେ ୪ ୱିକେଟ୍ ନେଇ ସର୍ବାଧିକ ସଫଳତା ପାଇଥିଲେ। ଅଷ୍ଟ୍ରେଲିଆ ଏହି ୫ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ୨-୦ରେ ଆଗୁଆ ଥିବାରୁ ଏବେ ଆସେସ୍ ବଜାୟ ରଖିବା ସମ୍ଭାବନାକୁ ଉଜ୍ବଳ କରିଛି।
ସଂକ୍ଷିପ୍ତ ସ୍କୋର: ଇଂଲଣ୍ଡ ପ୍ରଥମ ପାଳି-୧୮୫ (ଜୋ ରୁଟ୍ ୫୦, ପ୍ୟାଟ୍ କମିନ୍ସ ୩/୩୬, ନାଥନ ଲାୟନ ୩/୩୬, ମିଚେଲ ଷ୍ଟାର୍କ ୨/୫୪)। ଅଷ୍ଟ୍ରେଲିଆ ପ୍ରଥମ ପାଳି: ୮୭.୫ ଓଭରରେ ୨୬୭ (ମାର୍କସ ହାରିସ୍ ୭୬, ଡେଭିଡ୍ ୱାର୍ଣ୍ଣର ୩୮, ଟ୍ରାଭିସ୍ ହେଡ୍-୨୭, ମିଚେଲ ଷ୍ଟାର୍କ-୨୪*, ଜେମ୍ସ ଆଣ୍ଡରସନ୍ ୪/୩୩, ଓଲି ରବିନ୍ସନ୍-୨/୬୪, ମାର୍କ ଉଡ୍-୨/୭୧, ଜ୍ୟାକ୍ ଲିଚ୍-୧/୪୬, ବେନ୍ ଷ୍ଟୋକ୍ସ-୧/୪୭)। ଇଂଲଣ୍ଡ ଦ୍ବିତୀୟ ପାଳି: ୧୨ ଓଭରରେ ୩୧/୪ (ଜୋ ରୁଟ୍-୧୨*, ବେନ୍ ଷ୍ଟୋକ୍ସ-୨*, ସ୍କଟ ବୋଲାଣ୍ଡ୍-୨/୧, ମିଚେଲ ଷ୍ଟାର୍କ-୨/୧୧)।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/ashes-test.jpg)