ସିଡ୍ନି: ଚଳିତ ବର୍ଷ ପ୍ରାରମ୍ଭରୁ ଦକ୍ଷିଣ ଆଫ୍ରିକା ବିପକ୍ଷ କେପ୍ ଟାଉନ୍ ଟେଷ୍ଟ୍ରେ ବଲ୍ ବିକୃତ ଘଟଣା କ୍ରିକେଟ୍ ଦୁନିଆକୁ ଚକିତ କରିଥିଲା। ଏହାକୁ ନେଇ ଅଷ୍ଟ୍ରେଲିଆ କ୍ରିକେଟ୍ ଦଳ ମଧ୍ୟ ଖୁବ୍ ନିନ୍ଦିତ ହୋଇଥିଲା। ଏହାକୁ ନେଇ ଅଷ୍ଟ୍ରେଲିଆ ଦଳର ପୂବର୍ତନ ଅଧିନାୟକ ସ୍ମିଭ୍ ସ୍ମିଥ୍, ଉପଅଧିନାୟକ ଡେଭିଡ୍ ୱର୍ନର ୧୨ ମାସ ବାସନ୍ଦ ଦଣ୍ଡ ଭୋଗୁଥିଲା ବେଳେ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ କାମେରନ୍ ବାନ୍କ୍ରଫ୍ଟଙ୍କୁ ୯ ମାସ ବାସନ୍ଦ ହୋଇଥିଲା। ବାନ୍କ୍ରଫ୍ଟଙ୍କ ବାସନ୍ଦାଦେଶ ଆସନ୍ତା ୨୯ ତାରିଖରେ ପୂରି ଯାଉଥିଲା ବେଳେ ସ୍ମିଥ୍ ଓ ୱର୍ନରଙ୍କ ବାସନ୍ଦ ଆସନ୍ତାବର୍ଷ ମାର୍ଚ ମାସରେ ପୂରିଯିବ। ତେବେ ବାସନ୍ଦ ଦଣ୍ଡ ପାଇବା ପରେ ସ୍ମିଥ୍ ଶୁକ୍ରବାର ପ୍ରଥମ ଥର ଲାଗି ମୁହଁ ଖୋଲିଛନ୍ତି। ଦକ୍ଷିଣ ଆଫ୍ରିକାରୁ ଫେରିବା ପରେ ସିଡ୍ନି ବିମାନ ବନ୍ଦରରେ ଗଣମାଧ୍ୟମର ସାମ୍ନା କରିବା ପରେ ପ୍ରଥମ ଥର ଲାଗି ସେ ବଲ୍ ବିକୃତ ଘଟଣା ସଂପର୍କରେ ମୁହଁ ଖୋଲିଛନ୍ତି। ବଲ୍ ବିକୃତ ଘଟଣାରେ ସିଧାସଳଖ ମୋର କୌଣସି ସଂପୃକ୍ତି ନଥିଲା ବୋଲି ସ୍ମିଥ୍ ଶୁକ୍ରବାର କହିଛନ୍ତି। ସିଡ୍ନି କ୍ରିକେଟ୍ ପଡ଼ିଆରେ ସିଡ୍ନି ସିକ୍ସର୍ସ ପକ୍ଷରୁ ବୋଲିଂ ପ୍ରସ୍ତୁତି ବେଳେ ସ୍ମିଥ୍ ଏହି ଖୁଲାସା କରିଛନ୍ତି। ବଲ୍ ବିକୃତ କରିବା ପାଇଁ ଯେଉଁ ଯୋଜନା ହୋଇଥିଲା ସେଥିରେ ମୁଁ ନଥିଲି। ନ୍ୟୁଲାଣ୍ଡ୍ର ଡ୍ରେସିଂ ରୁମ୍ରେ ଏଭଳି ଯୋଜନା ହୋଇଥିବା ସଂପର୍କରେ ମୁଁ କିଛି ଜାଣି ପାରିନଥିଲି। ତେବେ ଘଟଣାକୁ ରୋକିବା ପାଇଁ ସୁଯୋଗ ଥିଲା। ହେଲେ ମୁଁ କରିପାରିନଥିଲି। ଯାହାକି ମୋ ନେତୃତ୍ବର ବିଫଳତା ଥିଲା। ଶେଷରେ ଦଳର ଅଧିନାୟକ ଭାବେ ଦାୟିତ୍ବ ନିଜ ଉପରକୁ ନେଇ କ୍ଷମା ମାଗି ନେଇଥିଲି ବୋଲି ସ୍ମିଥ୍ କହିଛନ୍ତି। ବଲ୍ ବିକୃତ ଭଳି ଲଜ୍ଜାଜନକ ଘଟଣା ପରେ ସ୍ମିଥ୍ ଗଣମାଧ୍ୟମଠୁ ଦୂରେଇ ରହୁଥିଲେ। ବାସନ୍ଦ ସମୟ ମଧ୍ୟରେ ସେ କାନାଡା ଓ ୱେଷ୍ଟଇଣ୍ଡିଜ୍ରେ ଟ୍ବେଣ୍ଟି-୨୦ ପ୍ରତିଯୋଗିତା ଖେଳିଥିଲେ ମଧ୍ୟ ଗଣମାଧ୍ୟମକୁ ଏଡ଼ାଇ ଯାଉଥିଲେ। ହେଲେ ନିଜର ସିଡ୍ନି କ୍ଲବ୍କୁ ଫେରିବା ପରେ ଶୁକ୍ରବାର ପ୍ରଥମ ଥର ଲାଗି ଗଣମାଧ୍ୟମ ସାମ୍ନାକୁ ଆସି ବଲ୍ ବିକୃତ ଘଟଣା ସଂପର୍କରେ ସଫେଇ ଦେଇଥିଲେ। ଏହାଦ୍ବାରା ସ୍ମିଥ୍ ନିଜର ହଜିଯାଇଥିବା ଭାବମୂର୍ତ୍ତିକୁ ଫେରାଇ ଆଣିବା ପାଇଁ ଚେଷ୍ଟା କରିଛନ୍ତି। ସେ ମଧ୍ୟ ନିଜର ପୂର୍ବତନ ଅଷ୍ଟ୍ରେଲୀୟ ଦଳ ସାଥୀଙ୍କ ସହ ଅଭ୍ୟାସ ଆରମ୍ଭ କରିଛନ୍ତି। ତେବେ ବଲ୍ ବିକୃତ ଘଟଣାରେ ତାଙ୍କ ନାମ ଯୋଡ଼ି ହୋଇଥିବାରୁ ସେଥିପାଇଁ ବହୁତ ମୂଲ୍ୟ ଦେବାକୁ ପଡ଼ିଲାଣି ବୋଲି ସ୍ମିଥ୍ ସ୍ବୀକାର କରିଛନ୍ତି। ଏଥିପାଇଁ ତାଙ୍କର ବ୍ୟାବସାୟିକ କ୍ଷତି ଘଟିଛି। ସେ ଯାହାହେଉ, କେପ୍ଟାଉନ୍ ଟେଷ୍ଟ୍ର ସେହି କଳଙ୍କିତ ଅଧ୍ୟାୟ ମୋ ଜୀବନର ସବୁଠୁ ଖରାପ ଥିଲା ବୋଲି ସ୍ମିଥ୍ କହିଛନ୍ତି। ସତ କ’ଣ ଜନସାଧାରଣ ଜାଣିଛନ୍ତି। ସେଥିପାଇଁ ମୋର ଦୁର୍ଦିନ୍ ସମୟରେ ଘନିଷ୍ଠ ବନ୍ଧୁ ଓ ପରିବାର ବର୍ଗ ମୋତେ ପୂର୍ଣ୍ଣ ସମର୍ଥନ ଦେଇଆସିଛନ୍ତି। ଦିନକୁ ଦିନ ମଧ୍ୟ ମୁଁ ମାନସିକ ଭାବେ ତାଜା ହେଉଛି। ଜାତୀୟ ଦଳ ପକ୍ଷରୁ ଖେଳିବା ପାଇଁ ଆଉ ଏକ ସୁଯୋଗ ଅପେକ୍ଷାରେ ରହିଛି। ପ୍ରସ୍ତୁତି ମଧ୍ୟ ଜାରି ରଖିଛି। ସବୁକିଛି ସମୟ ଠିକ୍ କରିଦେବ। ମୁଁ ଆସନ୍ତାବର୍ଷ ବିଶ୍ବକପ୍ ପୂର୍ବରୁ ଅଷ୍ଟ୍ରେଲିଆ ଦିନିକିଆ ଦଳକୁ ଏବଂ ଆସେସ୍ ପୂର୍ବରୁ ଟେଷ୍ଟ୍ ଦଳକୁ ନିଶ୍ଚିତ ଫେରିଥିବି ବୋଲି ସିଡ୍ନି କ୍ରିକେଟ୍ ପଡ଼ିଆରେ ଶୁକ୍ରବାର ସ୍ମିଥ୍ କହିଛନ୍ତି।
ବଲ୍ ବିକୃତିରେ ସଂପୃକ୍ତ ନଥିଲି: ସ୍ମିଥ୍
ସୁଯୋଗ ଥିଲା, ହେଲେ ରୋକିପାରିନଥିଲି
/sambad/media/post_attachments/wp-content/uploads/2018/12/Untitled-3-18.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)