ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅଷ୍ଟ୍ରେଲିଆର ବଲ ଟେମ୍ପରିଂ, ଘଟଣା ଥିଲା ଏମିତି…

କେପ୍‌ଟାଉନ୍‌: ଅଷ୍ଟ୍ରେଲିଆର କ୍ୟାପ୍‌ଟେନ୍‌ ଷ୍ଟିଭ୍‌ ସ୍ମିଥ କହିଛନ୍ତି, ମ୍ୟାଚ୍‌ ରଣନୀତି ପ୍ରସ୍ତୁତ ନେଇ ତାଙ୍କ ଦଳ ବଲ ଟେମ୍ପରିଂ କରିବାକୁ ଚିନ୍ତା କରିଥିଲା। କେପ୍‌ଟାଉନ୍‌ରେ ଚାଲିଥିବା ୩ୟ ଟେଷ୍ଟ ମ୍ୟାଚ୍‌ର ୩ୟ ଦିନରେ ଶନିବାର ବଲର ଅବସ୍ଥାରେ ପରିବର୍ତ୍ତନ ଅଣାଯିବା ପାଇଁ ଅଷ୍ଟ୍ରେଲିଆର ଖେଳାଳିମାନେ ଚିନ୍ତା କରିଥିଲେ।

ସ୍ମିଥ୍‌ ଓ ଦଳର ଅନ୍ୟ ବରିଷ୍ଠ ଖେଳାଳି କାଠିରେ ଘଷି ବଲର ଅବସ୍ଥାରେ ପରିବର୍ତ୍ତନ ଆଣିବାକୁ ଉଦ୍ୟମ କରିଥିଲେ। ନ୍ୟୁଲାଣ୍ଡରେ ମ୍ୟାଚ୍‌ ଚାଲିଥିବା ବେଳେ ଓପନିଂ ବ୍ୟାଟ୍ସମ୍ୟାନ୍‌ କ୍ୟାମରନ୍‌ ବେନ୍‌କ୍ରଫ୍ଟ କ୍ୟାମେରାରେ ଧରାପଡ଼ିଥିଲେ।

ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ(ଆଇସିସି) ବଲ ଟେମ୍ପରିଂ ଘଟଣାରେ ଦଳର ସର୍ବକନିଷ୍ଠ ଖେଳାଳି ତଥା ୨୫ ବର୍ଷିଅ ବେନ୍‌କ୍ରଫ୍ଟଙ୍କୁ ଦଣ୍ଡଦେଇଛି। ଗଭର୍ଣ୍ଣିଙ୍ଗ ବଡି ତାଙ୍କୁ ଗୋଟିଏ ମ୍ୟାଚ୍‌ରୁ ବହିଷ୍କାର କରିବା ସହିତ ମ୍ୟାଚ୍‌ର ଶତପ୍ରତିଶତ ଶୁଲ୍କ ଦଣ୍ଡ ଲଗାଇଛି।

୪ର୍ଥ ଦିନରେ ମଧ୍ୟାହ୍ନ ବିରତି ବେଳକୁ ଦକ୍ଷିଣ ଆଫ୍ରିକା ଗୋଟିଏ ଓ୍ଵିକେଟ୍‌ ହରାଇ ୧୦୦ ରନ୍‌ ସଂଗ୍ରହ କରିଛି। ଅଷ୍ଟ୍ରେଲିଆର ସ୍ମିଥ ଓ ଅନ୍ୟ ବରିଷ୍ଠ ଖେଳାଳିମାନେ ବଲ ଟେମ୍ପରିଂ ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ। ଏହି କାମ କରିବାକୁ ବେନ୍‌କ୍ରଫ୍ଟଙ୍କୁ ଦାୟିତ୍ୱ ଦିଆଯାଇଥିଲା।

ବେନ୍‌କ୍ରଫ୍ଟ ଏକ ହଳଦିଆ ରଙ୍ଗର କାଠିରେ ଘର୍ଷଣ କରି ବଲର ଚକ୍‌ ଚକ୍‌ କରୁଥିବା ରଙ୍ଗକୁ ଛଡ଼ାଇବାକୁ ଉଦ୍ୟମ କରିଥିଲେ। ପ୍ରସାରଣ ଦାୟିତ୍ୱରେ ଥିବା କ୍ୟାମେରାମ୍ୟାନ୍‌ ବାରମ୍ବାର ଦେଖୁଥିଲେ ଯେ, ବେନ୍‌କ୍ରଫ୍ଟ ବଲକୁ ରଙ୍ଗ ଛଡାଇବା ପାଇଁ ଉଦ୍ୟମ କରୁଛନ୍ତି। ଏହି ଘଟଣାକୁ ଷ୍ଟାଡିୟମରେ ଲାଗିଥିବା ବଡ଼ ସ୍କ୍ରିନ ଜରିଆରେ ଉପସ୍ଥିତ ଦର୍ଶକ ମଧ୍ୟ ଦେଖୁଥିଲେ।

ସୂଚନାଯୋଗ୍ୟ, ବଲ ଟେମ୍ପରିଂ ବିବାଦ ପରେ ଷ୍ଟିଭ୍‌ ସ୍ମିଥଙ୍କୁ ଅଷ୍ଟ୍ରେଲିଆ ଟିମ୍‌ର ଅଧିନାୟକ ପଦ ଛାଡିବାକୁ ପଡ଼ିଛି। ଏତଦ୍‌ ବ୍ୟତୀତ ଡେଭିଡ ଓ୍ଵାର୍ଣ୍ଣରଙ୍କୁ ମଧ୍ୟ ଦଳର ଉପ ଅଧିନାୟକ ପଦବି ହରାଇବାକୁ ପଡ଼ିଛି। ସ୍ମିଥଙ୍କ ସ୍ଥାନରେ ବର୍ତ୍ତମାନ ଓ୍ଵିକେଟ୍‌କିପର ଟିମ୍‌ ପେନ୍‌ଙ୍କୁ ଅଷ୍ଟ୍ରେଲିଆର ଅଧିନାୟକ ଦାୟିତ୍ୱ ଦିଆଯାଇଛି। କେପ୍‌ଟାଉନ୍‌ ଟେଷ୍ଟର ୪ର୍ଥ ଦିବସ ମ୍ୟାଚ୍‌ ଆରମ୍ଭ ପୂର୍ବରୁ ଜାତୀୟ ଗଣମାଧ୍ୟମରେ ଏହି ଖବର ପ୍ରକାଶ ପାଇଛି। ୩୩ ବର୍ଷିଅ ଟିମ୍‌ ପେନ୍‌ ଅଷ୍ଟ୍ରେଲିଆର ୪୬ତମ ଟେଷ୍ଟ ଅଧିନାୟକ ଦାୟିତ୍ୱ ଗ୍ରହଣ କରିଛନ୍ତି।

ସମ୍ବନ୍ଧିତ ଖବର