ଆସେସ୍‌ ରଖିଲା ଅଷ୍ଟ୍ରେଲିଆ : ଇଂଲଣ୍ଡ ୧୮୫ ରନ୍‌ରେ ପରାସ୍ତ, ସ୍ମିଥ୍‌ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି

କୋହଲି, ବର୍ଡରଙ୍କୁ ଟପିଲେ ସ୍ମିଥ୍‌

ମା‌ଞ୍ଚେଷ୍ଟର୍‌ : ବିଶ୍ବ ଟେଷ୍ଟ୍‌ ପ୍ରତିଯୋଗିତା ଅନ୍ତର୍ଗତ ଆସେସ୍ ଶୃଙ୍ଖଳାର ଚତୁର୍ଥ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ୧୮୫ ରନ୍‌ରେ ଉତ୍କଣ୍ଠାପୂର୍ଣ୍ଣ ବିଜୟ ହାସଲ କରିଛି। ଏଥି ସହିତ ଅଷ୍ଟ୍ରେଲିଆ ୨-୧ରେ ଆଗୁଆ ହୋଇ ଶୃଙ୍ଖଳିତ ଥିବାରୁ ଆସେସ୍ ବିଜୟ ହାସଲ କରିଛି। ୨୦୦୧ ମସିହା ପରେ ଇଂଲଣ୍ଡରେ ପ୍ରଥମ ଥର ଅଷ୍ଟ୍ରେଲିଆ ଆସେସ୍‌ ବଜାୟ ରଖିଛି। ଇଂଲଣ୍ଡ ସମ୍ମୁଖରେ ୩୮୩ ରନ୍ ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ପଞ୍ଚମ ଦିନ‌ରେ ଇଂଲଣ୍ଡ ଅମୀମାଂସିତ ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଥିଲେ ମଧ୍ୟ ପାରିନଥିଲା। ୧୯୭ ରନ୍‌ରେ ସମସ୍ତ ୱିକେଟ୍‌ ହରାଇ‌‌‌ ଦେଇଥିଲା।

ପୂର୍ବ ସଂଧ୍ୟାରେ ରୋରି ବର୍ନସ ଏବଂ ଜୋ ରୁଟଙ୍କୁ ପ୍ରଥମ ଓଭରରେ ଲଗାତାର ବଲରେ ଶୂନରେ ଆଉଟ୍ କରିଦେଇଥିଲେ ପ୍ୟାଟ୍‌ କମିନ୍ସ। ରବିବାର ଇଂଲଣ୍ଡ ପୂର୍ବଦିନର‌ ସ୍କୋର୍‌ ୧୮/୨ରୁ ଖେଳିଥିଲା। ରବିବାର ସକାଳେ ମଧ୍ୟ କମିନ୍ସ ଆଉ ଦୁଇଟି ଝଟକା ଦେଇଥିଲେ। ଜାସନ୍ ରୟ (୩୧, ୬୭ ବଲ) ଏବଂ ବେନ୍ ଷ୍ଟୋକ୍ସ (୧, ୧୭ ବଲ୍‌)ଙ୍କୁ ପ୍ୟାଭିଲିଅନ୍ ରାସ୍ତା ଦେଖାଇଥିଲେ। ପ୍ରାରମ୍ଭିକ ବ୍ୟାଟସମ୍ୟାନ୍‌ ଜୋ ‌ଡେନଲି (୫୩, ୧୨୩ ବଲ୍‌, ୬ ଚୌକା)ଙ୍କୁ ନାଥନ୍ ଲାୟନ୍‌ ମଧ୍ୟାହ୍ନ ଭୋଜନ ବିରତି ପରେ ଆଉଟ୍ କରି ଦେଇ ଇଂଲଣ୍ଡକୁ ଶକ୍ତ ଝଟକା ପହଞ୍ଚାଇଥିଲେ। ଏହି ସମୟରେ କିନ୍ତୁ ଜୋସ୍ ବଟ୍ଟଲର୍‌ (୩୪, ୧୧୧ ବଲ)‌ ଢେର ସମୟ ଲଢ଼ିଥିଲେ। ଚା’ପାନ ବିରତି ପରେ ବଟ୍ଟଲର ଏବଂ ଜୋର୍ଫା ଆର୍ଚର (୧)ଙ୍କୁ ଲଗାତାର ଓଭରରେ ହାଜେଲଉଡ୍‌ ଏବଂ ଲାୟନ ଆଉଟ୍ କରି ଦେଇଥିଲେ। ଫଳରେ ଇଂଲଣ୍ଡ ହଠାତ୍‌ ୧୭୨/୮ରେ ପହଞ୍ଚିଯାଇଥିଲା। ଜ୍ୟାକ୍‌ ଲିଚ୍ ଏବଂ କ୍ରେଗ୍ ଓଭରଟନ୍ ନବମ ୱିକେଟ୍‌ ପାଇଁ କିଛି ସମୟ ଲଢ଼ିଥିଲେ ମଧ୍ୟ ସାମୟିକ ମାର୍ନସ ଲାବୁସାନ୍ ଏମାନଙ୍କୁ ଅଲଗା କରିଥିଲେ। ଓଭରଟନ୍‌ଙ୍କୁ ଆଉଟ୍ କରି ହାଜେଲଉଡ୍ ଇଂଲଣ୍ଡ ଦ୍ବିତୟ ପାଳିକୁ ୧୯୭ ରନ୍‌ରେ ଶେଷ କରି ଦେଇଥିଲେ। ଷ୍ଟିଭେନ୍ ସ୍ମିଥ୍ (୨୧୧, ୮୨) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ସଂକ୍ଷିପ୍ତ ସ୍କୋର: ଅଷ୍ଟ୍ରେଲିଆ ପ୍ରଥମ ପାଳି: ୪୯୭/୮, ଘୋଷଣା (ଷ୍ଟିଭେନ୍‌ ସ୍ମିଥ୍‌-୨୧୧, ଷ୍ଟୁଆର୍ଟ ବ୍ରଡ୍‌-୩/୯୭)। ଇଂଲଣ୍ଡ ପ୍ରଥମ ପାଳି: ୩୦୧ (ରୋରି ବର୍ନସ-୮୧, ‌ଜୋ ରୁଟ୍‌-୭୧, ହାଜେଲଉଡ୍‌-୪/୫୭, କମିନ୍ସ-୩/୬୦, ଷ୍ଟାର୍କ-୩/୮୦)। ଅଷ୍ଟ୍ରେଲିଆ ଦ୍ବିତୀୟ ପାଳି: ୧୮୬/୬, ଘୋଷିତ (ଷ୍ଟିଭେନ୍ ସ୍ମିଥ୍-୮୨, ଜୋଫ୍ରା ଆର୍ଚର-୩/୪୫, ଷ୍ଟୁଆର୍ଟ ବ୍ରଡ୍‌-୨/୫୪, ଜ୍ୟାକ୍‌ ଲିଚ୍‌-୧/୫୮)। ଇଂଲଣ୍ଡ ଦ୍ବିତୀୟ ପାଳି: ୯୧.୩ ଓଭରରେ ୧୯୭ (ଜୋ ଡେନଲି-୫୩, ଜୋସ ବଟ୍ଟଲର୍‌-୩୪, ଜାସନ୍ ରୟ-୩୧, ଜନି ବେୟାରଷ୍ଟୋ-୨୫, କ୍ରେଗ୍ ଓଭରଟନ୍‌-୨୧, ଜ୍ୟାକ୍‌ ଲିଚ୍-୧୨, ପ୍ୟାଟ୍ କମିନ୍ସ-୪/୪୩, ନାଥନ୍ ଲାୟନ୍‌-୨/୫୧, ଜୋସ ହାଜେଲଉଡ୍‌-୨/୩୧, ମାର୍ନସ ଲାବୁସାନ୍‌-୧/୯, ମିଚେଲ ଷ୍ଟାର୍କ-୧/୪୬)।

NewsX

କୋହଲି, ବର୍ଡରଙ୍କୁ ଟପିଲେ ସ୍ମିଥ୍‌

ମାଞ୍ଚେଷ୍ଟର୍‌ : ବଲ୍‌ ବିକୃତ ବିବାଦ ପାଇଁ ବର୍ଷକର ନିଲମ୍ବନ ଦଣ୍ଡ ଭୋଗିଥିବା ଷ୍ଟିଭେନ୍ ସ୍ମିଥ୍‌ ଟେଷ୍ଟ୍‌ କ୍ରିକେଟ୍‌କୁ ଚମତ୍କାର ଢଙ୍ଗରେ ପ୍ରତ୍ୟାବର୍ତନ କରିବା ପରଠାରୁ ଗୋଟିଏ ପରେ ଗୋଟିଏ ମାଇଲଖୁଣ୍ଟ ଅତିକ୍ରମ କରି ଚାଲିଛନ୍ତି। ପ୍ରତ୍ୟାବର୍ତନ ଟେଷ୍ଟ୍‌ର ଉଭୟ ପାଳିରେ ଶତକ ହାସଲ କରିଥିବା ଏହି ୩୦ ବର୍ଷୀୟ ପୂର୍ବତନ ଅଧିନାୟକ ଓଲ୍ଡ ଟ୍ରାଫର୍ଡ ଟେଷ୍ଟ୍‌ର ଉଭୟ ପାଳିରେ ଯଥାକ୍ରମେ ଦ୍ବିଶତକ (୨୧୧) ଏବଂ ଅର୍ଧଶତକ (୮୨) ହାସଲ କରିଛନ୍ତି। ସ୍ମିଥ୍‌ ଦଶମ ଥର ପାଇଁ ଗୋଟିଏ ଟେଷ୍ଟ୍‌ରେ ଶତକ ଏବଂ ଅର୍ଧଶତକ ହାସଲ କରି ବିରାଟ କୋହଲି (୮ ଥର), ଆଲାନ୍ ବର୍ଡର, କୁମାର ସାଙ୍ଗାକାରା (ଉଭୟ ୯ ଥର ଲେଖାଏଁ)ଙ୍କୁ ଟପିଯାଇଛନ୍ତି। ରିକି ପଣ୍ଟିଂ ମଧ୍ୟ ୧୦ ଥର ଏଭଳି କରିଥିଲେ। ସ୍ମିଥ୍‌ ଏବେ ଦକ୍ଷିଣ ଆଫ୍ରିକା ଅଲରାଉଣ୍ଡର୍‌ ଜ୍ୟାକ୍ ସାଲିସ (୧୧)ଙ୍କ ତଳକୁ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ଚଳିତ ଆସେସ୍ ଶୃଙ୍ଖଳାରେ ସ୍ମିଥ୍ ମଧ୍ୟ ଲଗାତାର ୯ ଥର ୫୦ ଅତିକ୍ରମ କରି ବିରାଟ କୋହଲି ଏବଂ ବ୍ରାଏନ୍ ଲାରାଙ୍କ କୀର୍ତ୍ତିମାନକୁ ପଛରେ ପକାଇଛନ୍ତି। ଚଳିତ ଶୃଙ୍ଖଳାରେ ସ୍ମିଥ୍ ମଧ୍ୟ ୨ ଅର୍ଧଶତକ, ୨ ଶତକ, ୧ ଦ୍ବିଶତକ ହାସଲ କରି ମୋଟ ୬୭୧ ରନ୍ ସଂଗ୍ରହ କରି ସାରିଛନ୍ତି। ଏଥି ପାଇଁ ସେ ମାତ୍ର ୫ ପାଳି ଖେଳିଛନ୍ତି। ମୋଟ ଆସେସ୍ ଶତକ ହାସଲରେ ସ୍ମିଥ୍ (୧୧) ଏବେ କେବଳ ସାର୍ ଡନ୍ ବ୍ରାଡମ୍ୟାନ୍ (୧୯) ଏବଂ ଜ୍ୟାକ୍ ହବ୍ସ (୧୨)ଙ୍କ ପଛରେ ରହିଛନ୍ତି।

ସମ୍ବନ୍ଧିତ ଖବର