ପର୍ଥ (ଅଷ୍ଟ୍ରେଲିଆ): ପ୍ରଥମ ତିନି ମ୍ୟାଚ୍ରେ ଅପରାଜେୟ ରହିବା ପରେ ଚଳିତ ଅଷ୍ଟ୍ରେଲିଆ ଗସ୍ତରେ ଭାରତୀୟ ହକି ଦଳ ପ୍ରଥମ ପରାଜୟ ବରଣ କରିଛି। ପ୍ରଥମ ଦୁଇଟି ମ୍ୟାଚ୍କୁ ଜିତିବା ପରେ ତୃତୀୟ ମ୍ୟାଚ୍ ଅମୀମାଂସିତ ରଖିଥିବା ଭାରତ ବୁଧବାର ପ୍ରକୃତ ପରୀକ୍ଷାରେ ବିଫଳ ହୋଇଛି। ପ୍ରଥମ ମ୍ୟାଚ୍ରେ ପଶ୍ଚିମ ଅଷ୍ଟ୍ରେଲିଆ ଥଣ୍ଡରଷ୍ଟିକ୍ସକୁ ୨-୦ ଏବଂ ଦ୍ବିତୀୟ ମ୍ୟାଚ୍ରେ ଅଷ୍ଟ୍ରେଲିଆ-ଏ’କୁ ୩-୦ରେ ହରାଇଥିଲା। ହେଲେ ସେହି ଅଷ୍ଟ୍ରେଲିଆ-ଏ’ ବିପକ୍ଷ ତୃତୀୟ ମ୍ୟାଚ୍କୁ ୧-୧ରେ ଅମୀମାଂସିତ ରଖିଥିଲା। ଫଳରେ ବିଜୟଧାରା ଅଟକି ଯାଇଥିଲା। ତେବେ ଚଳିତ ଗସ୍ତରେ ପ୍ରକୃତ ପରୀକ୍ଷା ଭାରତ ପାଇଁ ବୁଧବାର ଥିଲା। ଗସ୍ତର ଚତୁର୍ଥ ମ୍ୟାଚ୍ ବୁଧବାର ଅଷ୍ଟ୍ରେଲିଆ ଜାତୀୟ ଦଳ ସହ ଖେଳିଥିଲା। ହେଲେ ବିଶ୍ବ ମାନ୍ୟତାର ଦ୍ବିତୀୟ ଅଷ୍ଟ୍ରେଲିଆ ନିକଟରୁ ୦-୪ ଗୋଲ୍ରେ ହାର୍ମାନିଲା। ଭାରତ ଗୋଟିଏ ବି ଗୋଲ୍ କରିବାକୁ ସମର୍ଥ ହୋଇନଥିଲା ବେଳେ ଅଷ୍ଟ୍ରେଲିଆ ପକ୍ଷରୁ ବ୍ଲାକେ ଗୋଭର୍ସ (୧୫ ଓ ୬୦ ମିନିଟ୍) ଏବଂ ଜେରେମି ହେୱାର୍ଡ (୨୦ ଓ ୫୯ ମିନିଟ୍) ଦୁଇଟି ଲେଖାଏଁ ଗୋଲ୍ ଲଦି ଦେଇ ଘରୋଇ ଦଳକୁ ଏକପାଖିଆ ବିଜୟ ଭେଟି ଦେଇଥିଲେ। ଏହି ମ୍ୟାଚ୍ର ପଞ୍ଚମ ମିନିଟ୍ରେ ଭାରତକୁ ଗୋଟିଏ ପେନାଲ୍ଟି କର୍ନର ମିଳିଥିଲେ ମଧ୍ୟ ହର୍ମନ୍ପ୍ରୀତ୍ ସିଂହଙ୍କ ପ୍ରୟାସକୁ ଅଷ୍ଟ୍ରେଲିଆ ଭଣ୍ଡୁର କରି ଦେଇଥିଲା। ପୁଣି ୧୨ ମିନିଟ୍ରେ ହର୍ମନ୍ପ୍ରୀତ୍ ଓ ନୀଳକଣ୍ଠ ଶର୍ମାଙ୍କ ମିଳିତ ପ୍ରୟାସ ମଧ୍ୟ ନିଷ୍ଫଳ ହୋଇଯାଇଥିଲା। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ପାଇଥିବା ପ୍ରଥମ ପେନାଲ୍ଟି କର୍ନରକୁ ଗୋଲ୍ରେ ରୂପାନ୍ତରିତ କରିଥିଲା। ଗୋଭର୍ସଙ୍କ ଜୋର୍ଦାର ସଟ୍କୁ ଅଟକାଇବା ପାଇଁ ଭାରତୀୟ ଗୋଲ୍ରକ୍ଷକ ପିଆର୍ ଶ୍ରୀଜେସ୍ଙ୍କ ପାଖରେ ସୁଯୋଗ ନଥିଲା। ସେହିପରି ୨୦ ମିନିଟ୍ରେ ଭ୍ରମଣକାରୀ ଦଳର ବୀରେନ୍ଦ୍ର ଲାକ୍ରାଙ୍କ ତ୍ରୁଟି ଯୋଗୁଁ ଘରୋଇ ଦଳକୁ ଆଉ ଏକ ପେନାଲ୍ଟି ଉପହାର ମିଳିଥିଲା। ତାକୁ ହେୱାର୍ଡ ଗୋଲ୍ କରିବାରେ କୌଣସି ତ୍ରୁଟି କରିନଥିଲେ। ପ୍ରଥମାର୍ଧ ସୁଦ୍ଧା ୨-୦ରେ ଆଗେଇଯିବା ପରେ ଘରୋଇ ଦଳ ଦ୍ବିତୀୟାର୍ଧରେ ମଧ୍ୟ ଆଉ ଦୁଇଟି ଗୋଲ୍ କରି ମ୍ୟାଚ୍ ୪-୦ରେ ନିଜ ପକ୍ଷକୁ ନେଇଯାଇଥିଲା। ମ୍ୟାଚ୍ରେ ମୋଟ ୭ ପେନାଲ୍ଟି କର୍ନର ପାଇଥିଲେ ମଧ୍ୟ ଭାରତ ଏହାର କୌଣସି ବି ଫାଇଦା ଉଠାଇ ପାରିନଥିଲା। ଆସନ୍ତା ୧୭ ତାରିଖ ଦିନ ନିଜର ପଞ୍ଚମ ତଥା ଶେଷ ମ୍ୟାଚ୍ ଅଷ୍ଟ୍ରେଲିଆ ସହ ଖେଳି ଭାରତ ଗସ୍ତ ଶେଷ କରିବ।
ପ୍ରଥମ ପରାଜୟ, ଅଷ୍ଟ୍ରେଲିଆଠୁ ୦-୪ରେ ହାରିଲା ଭାରତ
/sambad/media/post_attachments/wp-content/uploads/2019/04/11-FieldHockey_HowtoPlay_01_300x3501.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)