ଅଷ୍ଟ୍ରେଲିଆଠୁ ହାରିଲା ଭାରତ

ବ୍ରେଦା (ନେଦରଲାଣ୍ଡ): ଚଳିତ ଷଡ଼ ରାଷ୍ଟୀୟ ଚାମ୍ପିଅନ୍‌ସ ଟ୍ରଫି ହକି ପ୍ରତିଯୋଗିତାରେ କ୍ରମାଗତ ଦୁଇଟି ବିଜୟ ପରେ ବୁଧବାର ଭାରତୀୟ ଦଳ ପ୍ରଥମ ପରାଜୟ ବରଣ କରିଛି। ବିଶ୍ୱ ବିଜେତା ଅଷ୍ଟ୍ରେଲିଆ ଭାରତର ବିଜୟ ଧାରାକୁ ରୋକି ଦେଇଛି। ପିଆର୍‌ ଶ୍ରୀଜେସ୍‌ଙ୍କ ନେତୃତ୍ୱାଧୀନ ଦଳ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୪-୦ ଓ ଅଲିମ୍ପିକ୍‌ ବିଜେତା ଆର୍ଜେଣ୍ଟିନାକୁ ୨-୧ ଗୋଲ୍‌ରେ ପରାସ୍ତ କରିବା ପରେ ବୁଧବାର ତୃତୀୟ ମ୍ୟାଚ୍‌ରେ ପ୍ରବଳ ଲଢ଼େଇ କରିବା ସତ୍ତ୍ୱେ ବିଶ୍ୱ ବିଜେତା ତଥା ଗତଥର ଚାମ୍ପିଅନ୍‌ସ ଟ୍ରଫି ବିଜେତା ଅଷ୍ଟ୍ରେଲିଆ ନିକଟରୁ ହାରିଯାଇଛି। ଆରମ୍ଭରୁ ଆଧିପତ୍ୟ ବିସ୍ତାର କରିଥିବା ଅଷ୍ଟ୍ରେଲିଆ ପ୍ରଥମାର୍ଧ ସୁଦ୍ଧା ୨-୧ ଗୋଲ୍‌ରେ ଆଗୁଆ ରହିଥିଲା ବେଳେ ଶେଷରେ ୩-୧ରେ ମ୍ୟାଚ୍‌ ଜିତିନେଲା। ତୃତୀୟ କ୍ୱାର୍ଟର ସୁଦ୍ଧା ୧-୩ରେ ପଛୁଆ ରହିଥିବା ଭାରତ ଚତୁର୍ଥ କ୍ୱାର୍ଟରରେ ଗୋଟିଏ ଗୋଲ୍‌ ଶୁଝି ପାରିଥିଲେ ମଧ୍ୟ ମ୍ୟାଚ୍‌ ଅମୀମାଂସିତ ରଖିବାରେ ସମର୍ଥ ହୋଇନାରିନଥିଲା। ଭାରତ ପାଇଁ ବରୁଣ କୁମାର ଦଶମ ମିନିଟ୍‌ରେ ପ୍ରଥମ ଏବଂ ହର୍‌ମନ୍‌ପ୍ରୀତ୍‌ ସିଂହ ୫୮ ମିନିଟ୍‌ରେ ଦ୍ୱିତୀୟ ଗୋଲ୍‌ କରିଥିଲେ। ଏଥି ମଧ୍ୟରେ ଅନେକ ସୁଯୋଗ ପାଇଥିଲେ ମଧ୍ୟ ସ୍ଥିତି ବରାବର କରିପାରିନଥିଲା ଭାରତ। ଅନ୍ୟପକ୍ଷରେ ମ୍ୟାଚ୍‌ର ଷଷ୍ଠ ମିନିଟ୍‌ରେ ଲାଚ୍‌ଲାନ୍‌ ସାର୍ପ ଅଷ୍ଟ୍ରେଲିଆ ପାଇଁ ଗୋଲ୍‌ ଅଭିଯାନ ଆରମ୍ଭ କରିଥିଲେ। ତାଙ୍କ ଗୋଲ୍‌ ହିଁ ଚାମ୍ପିଅନ୍‌ସ ଟ୍ରଫିରେ ଭାରତ ବିପକ୍ଷରେ ଅଷ୍ଟ୍ରେଲିଆର ୫୦ତମ ଗୋଲ୍‌ ଥିଲା। ଏହାପରେ ୧୫ ମିନିଟ୍‌ରେ ଟମ୍‌ କ୍ରେଗ୍‌ ଏବଂ ୩୩ ମିନିଟ୍‌ରେ ଟ୍ରେଣ୍ଟ୍‌ ମିଟ୍ଟନ୍‌ ଗୋଟିଏ ଲେଖାଏଁ ଗୋଲ୍‌ କରି ଅଷ୍ଟ୍ରେଲିଆକୁ ଆଗୁଆ ରଖିବା ସହ ବିଜୟ ଭେଟି ଦେଇଥିଲେ। ଫଳରେ ଚଳିତ ଚାମ୍ପିଅନ୍‌ସ ଟ୍ରଫିରେ ଭାରତ ପ୍ରଥମ ପରାଜୟ ବରଣ କଲା। ଆଉ ଏହି ପରାଜୟ ଯୋଗୁଁ ଭାରତ ମଧ୍ୟ ପଏଣ୍ଟ୍‌ ତାଲିକାର ଶୀର୍ଷରୁ ତୃତୀୟ ସ୍ଥାନକୁ ଖସିଗଲା। ୩ ଲେଖାଏଁ ମ୍ୟାଚ୍‌ ଶେଷ ହୋଇଥିଲା ବେଳେ ଏବେ ଭାରତ ଉପରକୁ ଅଷ୍ଟ୍ରେଲିଆ ଓ ନେଦରଲାଣ୍ଡ୍‌ ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ରହିଲେ। ଏବେ ଫାଇନାଲ୍‌ ପ୍ରବେଶ ପାଇଁ କର ବା ମର ପାଲଟିଯାଇଛି। ଭାରତ ତା’ର ଏହି ଅତି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଆସନ୍ତାକାଲି ବିଶ୍ୱ ମାନ୍ୟତାର ତୃତୀୟ ବେଲ୍‌ଜିୟମ୍‌କୁ ଭେଟିବ।

ସମ୍ବନ୍ଧିତ ଖବର