ଅଧୁରା ରହିଲା ଚାମ୍ପିଅନ୍ସ ଟ୍ରଫି ସ୍ୱପ୍ନ

ପୁଣି ଅଷ୍ଟ୍ରେଲିଆଠୁ ପେନାଲ୍‌ଟିରେ ହାରି ଭାରତ ଉପବିଜେତା

ବ୍ରେଦା (ନେଦରଲାଣ୍ଡ୍‌ସ): ୧୯୭୮ ମାସିହାରୁ ଅରମ୍ଭ ହୋଇଥିବା ଚାମ୍ପିଅନ୍ସ ଟ୍ରଫି ହକି ପ୍ରତିଯୋଗିତାରେ ଭାରତର ବିଜେତା ହେବା ସ୍ୱପ୍ନ ଅଧୁରା ରହିଗଲା ଗତ ସଂସ୍କରଣ ଭଳି ଚଳିତ ବର୍ଷ ମଧ୍ୟ ଅଷ୍ଟ୍ରେଲିଆଠୁ ପୁଣିଥରେ ସେହି ପେନାଲ୍‌ଟି ଷ୍ଟୋକ୍ସରେ ହାରି ଉପ-ବିଜେତାରେ ହିଁ ସନ୍ତୁଷ୍ଟ ରହିଲା। ଏହି ଷଡ଼ରାଷ୍ଟ୍ରୀୟ ପ୍ରତିଯୋଗିତାର ରବିବାର ଫାଇନାଲ୍‌ରେ ଅଷ୍ଟ୍ରେଲିଆ ୩-୧ (୧-୧) ପେନାଲ୍‌ଟି ଷ୍ଟୋକ୍ସରେ ଭାରତକୁ ହରାଇ ଟ୍ରଫି କରାୟତ କରିଥିଲା। ଗତ ସଂସ୍କରଣ ଫାଇନାଲ୍‌ର ପୁନରାବୃତ୍ତି ଘଟାଇ ଅଷ୍ଟ୍ରେଲିଆ ମଧ୍ୟ ପଞ୍ଚଦଶ ଥର ପାଇଁ ଟ୍ରଫି ହାତେଇନେଲା। ଅନ୍ୟପକ୍ଷରେ ଆର୍ଜେଣ୍ଟିନାକୁ ୨-୦ ଗୋଲ୍‌ରେ ପରାସ୍ତ କରି ଆୟୋଜକ ନେଦରଲାଣ୍ଡ୍‌ ତୃତୀୟ ସ୍ଥାନ ଅକ୍ତିଆର କଲା। ରବିବାର ସଂଘର୍ଷ ପୂର୍ଣ୍ଣ ଫାଇନାଲ୍‌ର ନିର୍ଧାରିତ ସମୟ ୧-୧ ଗୋଲ୍‌ରେ ଅମୀମାଂସିତ ରହିଥିଲା। ପ୍ରଥମ କ୍ୱାର୍ଟର୍‌ ୦-୦ ଅମୀମାଂସିତ ରହିଥିଲା ବେଳେ ଦ୍ୱିତୀୟ କ୍ୱାର୍ଟର୍‌ରେ ବ୍ଲାକ୍‌ ଗୋଭର୍ସ (୨୪ ମିନିଟ୍‌)ଙ୍କ ଗୋଲ୍‌ ବଳରେ ଅଷ୍ଟ୍ରେଲିଆ ୧-୦ରେ ଆଗୁଆ ହୋଇଥିଲା। ହେଲେ ତୃତୀୟ କ୍ୱାର୍ଟରରେ ଭାରତର ବିବେକ ପ୍ରସାଦ (୪୨ ମିନିଟ୍‌) ଗୋଲ୍‌ଟିକୁ ଶୁଝି ସ୍ଥିତି ୧-୧ ସ୍ତରକୁ ଆଣିଥିଲେ। ଚତୁର୍ଥ କ୍ୱାର୍ଟର୍‌ରେ ଉଭୟ ଦଳ ଗୋଲ ଦେବାକୁ ସଂଘର୍ଷ କରିଥିଲେ ମଧ୍ୟ ଏଥିରେ ସମର୍ଥ ହୋଇନଥିଲେ। ଶେଷରେ ମ୍ୟାଚ୍‌ ଅମୀମାଂସିତ ହେବାରୁ ଫଳାଫଳ ଲାଗି ପେନାଲ୍‌ଟି ଷ୍ଟୋକ୍ସର ସହଯୋଗ ନିଆଯାଇଥିଲା।

ପ୍ରଥମ ପେନାଲ୍‌ଟିକୁ ଅଷ୍ଟ୍ରେଲିଆ ଅଧିନାୟକ ଆରନ୍‌ ଜଲେଓ୍ଵସ୍କି ଗୋଲ୍‌ କରିବାରେ ସଫଳ ହୋଇଥିଲା ବେଳେ ଭାରତର ସର୍ଦାର ସିଂହ ବିଫଳ ହୋଇଥିଲେ। ସେହିପରି ଦ୍ୱିତୀୟ ସଟ୍‌ରେ ମଧ୍ୟ ଅଷ୍ଟ୍ରେଲିଆର ଡାନିଏଲ୍‌ ବେଲ୍‌ ଗୋଲ୍‌ କରିଥିଲା ବେଳେ ଭାରତର ହରମନ୍‌ପ୍ରୀତ୍‌ ସିଂହ ବିଫଳ ହୋଇଥିଲେ। ପ୍ରଥମ ଦୁଇ ସେଟ୍‌ରେ ଅଷ୍ଟ୍ରେଲିଆ ଆଗୁଆ ହୋଇଯାଇଥିଲା। ହେଲେ ଅଷ୍ଟ୍ରେଲିଆର ତୃତୀୟ ପ୍ରୟାସ (ମାଥ୍ୟୁ ସାଓ୍ଵନ୍‌)କୁ ଅଧିନାୟକ ଶ୍ରୀଜେସ ପ୍ରତିହିତ କରି ଭାରତ ପାଇଁ ଆଶା ସଞ୍ଚାର କରିଥିଲେ। ହେଲେ ଲଲିତ ଉପାଧ୍ୟୟ ଗୋଲ୍‌ ଦେବାରେ ବିଫଳ ହେବାରୁ ଭାରତ ୦-୨ରେ ପଛରେ ପଡ଼ିଥିଲା। ପୁଣିଥରେ ଶ୍ରୀଜେସ୍‌ ଅଷ୍ଟ୍ରେଲିଆର ଚତୁର୍ଥ ସଟ୍‌ (ଟମ୍‌ କ୍ରେଗ୍‌)କୁ ଅଟକାଇ ଦେବା ସହ ମନ୍‌ପ୍ରୀତ ସିଂହ ସଫଳ ହେବାରୁ ସ୍ଥିତି ୧-୨ ହୋଇଥିଲା।  ତେବେ ଅଷ୍ଟ୍ରେଲିଆର ଜେରେମି ଏଡଓ୍ଵାର୍ଡସଙ୍କ ଶେଷ ସଟ୍‌କୁ ଶ୍ରୀଜେସ୍‌ ଅଟକାଇବାରେ ବିଫଳ ହେବାରୁ ଭାରତ ପାଇଁ ଆଉ ସୁଯୋଗ ରହିନଥିଲା। ଏଥି ସହିତ ଲିଗ୍‌ ପର୍ଯ୍ୟାୟ ଭଳି ଫାଇନାଲ୍‌ରେ ମଧ୍ୟ ଅଷ୍ଟ୍ରେଲିଆଠୁ ଭାରତ ହାର୍‌ ମାନିଲା।

ସମ୍ବନ୍ଧିତ ଖବର