INDvAUS: ଆଡିଲେଡ୍ ଓଭାଲଠାରେ ଗୁରୁବାର ଖେଳାଯାଇଥିବା ୨ୟ ଦିନିକିଆରେ ଭାରତକୁ ୨ ୱିକେଟରେ ପରାସ୍ତ କରିଛି ଅଷ୍ଟ୍ରେଲିଆ । ଏହା ସହିତ ଏହି ତିନି ମ୍ୟାଚ ବିଶିଷ୍ଟ ସିରିଜରେ ଅଷ୍ଟ୍ରେଲିଆ ୨-୦ରେ ଆଗୁଆ ହେବା ସହ ସିରିଜ ଉପରେ କବଜା କରିଛି । ୨୬୫ ରନର ଲକ୍ଷ୍ୟକୁ ଅଷ୍ଟ୍ରେଲିଆ ୪୬.୨ ଓଭରରେ ୮ ଓ୍ବିକେଟ ହରାଇ ହାସଲ କରିନେଇଥିଲା ।
କୋହଲି ପୁଣି ବିଫଳ
ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୯ ଓ୍ବିକେଟ ହରାଇ ୨୬୪ ରନ କରିଥିଲା। ଫଳରେ ଅଷ୍ଟ୍ରେଲିଆ ଆଗରେ ୨୬୫ ରନର ଲକ୍ଷ୍ୟ ରହିଥିଲା । ଭାରତ ପକ୍ଷରୁ ରୋହିତ ଶର୍ମା ୭୩ ରନ କରିଥିବାବେଳେ ଶ୍ରେୟସ୍ ଆୟର ୬୧ ରନ କରିଥିଲେ । ସେହିପରି ଅକ୍ଷର ପଟେଲ ୪୪ ରନ କରିଥିଲେ । ତେବେ ତାରକା ବ୍ୟାଟର ବିରାଟ କୋହଲି ପୁଣି ବିଫଳ ହେବା ସହ ଶୂନରେ ଆଉଟ ହୋଇଥିଲେ।
ସର୍ଟଙ୍କ ବଡ଼ ଇନିଂସ
ଅଷ୍ଟ୍ରେଲିଆ ପକ୍ଷରୁ ମାଥ୍ୟ ସର୍ଟ ୭୪ ରନ କରିଥିବାବେଳେ କୁପର କାନୋଲି ୬୧ ରନ କରିଥିଲେ । ସେହିପରି ମିଚେଲ ଓଓ୍ବେନ ୩୬ରନ କରିଥିବାବେଳେ ମ୍ୟାଟ୍ ରେନସ ୩୦ ରନ କରିଥିଲେ । ଭାରତ ପକ୍ଷରୁ ହର୍ଷିତ ରାଣା, ଓ୍ବାସିଂଟନ ସୁନ୍ଦର ଓ ଅର୍ଶଦୀପ ସିଂ ୨ଟି ଲେଖାଏଁ ୱିକେଟ ନେଇଥିଲେ ।