୨ୟ ଦିନିକିଆ ବି ହାରିଲା ଭାରତ, ଅଷ୍ଟ୍ରେଲିଆ ସିରିଜ ବିଜୟୀ

ସିଡନି : ସିଡନି କ୍ରିକେଟ ଗ୍ରାଉଣ୍ଡଠାରେ ଆଜି ଖେଳାଯାଇଥିବା ୨ୟ ଦିନିକିଆରେ ଅଷ୍ଟ୍ରେଲିଆ ଭାରତକୁ  ୫୧ ରନରେ ପରାସ୍ତ କରିଛି । ଏହା ସହିତ ଘରୋଇ ଦଳ ଏହି ୩ଟିକିଆ ମ୍ୟାଚ ବିଶିଷ୍ଟ ସିରିଜକୁ ଜିତିନେଇଛି ।

ଆଜି ଅଷ୍ଟ୍ରେଲିଆ ଟସ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦଳ ପ୍ରଥମେ ବ୍ୟାଟିଂ କରି ୪ ଓ୍ବିକେଟ ହରାଇ ୩୮୯ ରନ କରିଥିଲା । ଅଷ୍ଟ୍ରେଲିଆ ପକ୍ଷରୁ ଓ୍ବାର୍ଣ୍ଣର ୮୩, ଆରନ ଫିଞ୍ଚ୍ ୬୦ ରନ, ଷ୍ଟିଭେନ ସ୍ମିଥ ୧୦୪, ମାର୍ନସ  ଲାବୁସାନ ୭୦ ଓ ମାକ୍ସଓ୍ବେଲ ୬୩ରନ କରିଥିଲେ ।

୩୯୦ରନର ବିଶାଳ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଭାରତର ଦୁଇ ଓପନର ଶିଖର ଧଓ୍ବନ ଓ ମୟଙ୍କ ଅଗ୍ରଓ୍ବାଲ ଭଲ ଆରମ୍ଭ କରିଥିଲେ ମଧ୍ୟ ବଡ଼ ସ୍କୋର କରିପାରିନଥିଲେ । ୩୦ ରନ କରି ଧଓ୍ବନ ଆଉଟ ହେବା ପରେ ଆସିଥିବା ଅଧିନାୟକ ବିରାଟ କୋହଲି ଲଢୁଆ ବ୍ୟାଟିଂର ପ୍ରଦର୍ଶନ କରି ୮୯ ରନ କରିଥିଲେ । ସେ ଶ୍ରେୟସ ଆୟର  ଓ କେଏଲ ରାହୁଲଙ୍କ ସହ ମିଶି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ଆୟର ୩୮ ଓ ରାହୁଲ ୭୬ରନ କରିଥିଲେ । ତେବେ ଭାରତର ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ବଡ଼ ସ୍କୋର କରିପାରିନଥିଲେ । ଫଳରେ ଦଳ ୫୦ ଓଭରରେ ୯ ଓ୍ବିକେଟ ହରାଇ ୩୩୮ ରନ କରିଥିଲା ।

ସମ୍ବନ୍ଧିତ ଖବର