ପାକିସ୍ତାନକୁ ୮ ୱିକେଟ୍‌ରେ ହରାଇଲା ଅଷ୍ଟ୍ରେଲିଆ

ସାରଜା: ପାକିସ୍ତାନ ବିପକ୍ଷ ଦ୍ବିତୀୟ ଦିନିକିଆକୁ ଅଷ୍ଟ୍ରେଲିଆ ୮ ୱିକେଟ୍‌ରେ ଜିତି ନେଇଛି। ତା’ ସହ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ୨-୦ରେ ଆଗୁଆ ହୋଇଯାଇଛି। ରବିବାର ରାତିର ଏହି ମୁକାବିଲାରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ମହମ୍ମଦ ରିଜୱାନ (୧୧୫)ଙ୍କ ଶତକ ବଳରେ ନିର୍ଧାରିତ ୫୦ ଓଭରରେ ୭ ୱିକେଟ୍ ହରାଇ ୨୮୪ ରନ୍ କରିଥିଲା। ଅଧିନାୟକ ସୋଏବ ମଲ୍ଲିକ ୬୦ ରନ୍‌ର ମହତ୍ବପୂର୍ଣ୍ଣ ଯୋଗଦାନ ଦେଇଥିଲେ। ହେଲେ ଏହା ଶକ୍ତିଶାଳୀ ବ୍ୟାଟିଂ ବାହିନୀ ଥିବା ଅଷ୍ଟ୍ରେଲିଆ ପାଇଁ ଆଦୌ ଥିଲା। ଅଷ୍ଟ୍ରେଲିଆ ୪୭.୫ ଓଭରରେ ମାତ୍ର ୨ ୱିକେଟ୍ ହରାଇ ୨୮୫ ରନ୍ କରିନେଇଥିଲା। ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଆରୋନ ଫିଞ୍ଚ (୧୫୩* ରନ୍, ୧୪୩ ବଲ୍, ୧୧ ଚୌକା, ୬ ଛକା) ଓ ଉସମାନ ଖୱାଜା (୮୮ ରନ୍, ୧୦୯ ବଲ୍, ୮ ଚୌକା) ପ୍ରଥମ ୱିକେଟ୍‌ରେ ୨୦୯ ରନ୍‌ର ଭାଗୀଦାରି କରି ପାକିସ୍ତାନ ହାତରୁ ମ୍ୟାଚ୍ ଛଡ଼ାଇ ନେଇଥିଲେ। ଦିନିକିଆ କ୍ରିକେଟ୍‌ରେ ଆଜି ସର୍ବାଧିକ ବ୍ୟକ୍ତିଗତ ରନ୍ କରିଥିବା କଙ୍ଗାରୁ ଦଳର ଅଧିନାୟକ ଫିଞ୍ଚ୍‌ ମ୍ୟା‌ଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଭାରତ ବିପକ୍ଷ ଶୃଙ୍ଖଳାର ଶେଷ ୩ ମ୍ୟାଚ୍ ଜିତିଥିବା ଅଷ୍ଟ୍ରେଲିଆ ମଧ୍ୟ କ୍ରମାଗତ ପଞ୍ଚମ ଦିନିକିଆ ବିଜୟ ହାସଲ କରିଥିଲା। ଅଷ୍ଟ୍ରେଲିଆ ବି ସାରଜା ପଡ଼ିଆରେ ସର୍ବବୃହତ୍ ପଶ୍ଚାତଧାବନ ବିଜୟ ପାଇବାର କୀର୍ତ୍ତିମାନ କରିଥିଲା।

ସମ୍ବନ୍ଧିତ ଖବର