ଅଷ୍ଟ୍ରେଲିଆଠାରୁ ଶ୍ରୀଲଙ୍କାର ହ୍ୟାଟ୍ରିକ୍‌ ପରାଜୟ

କାନ୍‌ବେରା : ୫ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ଶୃଙ୍ଖଳା ଖେଳିବାକୁ ଅଷ୍ଟ୍ରେଲିଆ ଗସ୍ତ କରିଥିବା ଶ୍ରୀଲଙ୍କା ଦଳ ହ୍ୟାଟ୍ରିକ୍‌ ପରାଜୟ ବରଣ କରିଛି। ପ୍ରଥମ ମ୍ୟାଚ୍‌କୁ ୨୦ ରନ୍‌ ଏବଂ ଟାଇରେ ଶେଷ ହୋଇଥିବା ଦ୍ବିତୀୟ ମ୍ୟାଚ୍‌କୁ ସୁପର ଓଭରରେ ହାରିଥିବା ଭ୍ରମଣକାରୀ ସିଂହଳୀ ଦଳ ମଙ୍ଗଳବାର ତୃତୀୟ ମ୍ୟାଚ୍‌ରେ ୬ ୱିକେଟ୍‌ରେ ପରାସ୍ତ ହୋଇଛି। ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରିତ ଶ୍ରୀଲଙ୍କା ଅଧିନାୟକ ଦାସୁନ ସନକା (୩୯ ରନ୍‌, ୩୮ ବଲ୍‌, ୫ ଚୌକା)ଙ୍କ ଅପରାଜିତ ପାଳି ସାଙ୍ଗକୁ ୱିକେଟ୍‌ରକ୍ଷକ ଦୀନେଶ ଚାନ୍ଦିମାଳ (୨୫) ଓ ଓପ୍‌ନର ପଥୁନ ନିଶାଙ୍କ (୧୬)ଙ୍କ ଦୁଇ ଅଙ୍କ ବିଶିଷ୍ଟ ସ୍କୋର୍‌ ବଳରେ ୧୨୧/୬ କରିଥିଲା। ଘରୋଇ ଅଷ୍ଟ୍ରେଲିଆ ପକ୍ଷରୁ କେନ୍‌ ରିଚାର୍ଡସନ୍‌ (୪-୦-୨୧-୩) ସଫଳ ବୋଲର ରହିଥିଲେ। ତେବେ ସ୍ପିନର ଅଷ୍ଟନ ଅଗର (୪-୦-୧୪-୧) ଏବଂ ଗ୍ଲେନ୍‌ ମ୍ୟାକ୍ସୱେଲ (୧-୦-୩-୧) କଞ୍ଜୁସ୍‌ ବୋଲିଂ କରି ଶ୍ରୀଲଙ୍କାକୁ ବଡ଼ ସ୍କୋର୍‌ କରିବାରୁ ରୋକିଥିଲେ।

ଜବାବରେ ମହେଶ ଥିକ୍‌ସାନା (୪-୦-୨୪-୩)ଙ୍କ ଚମତ୍କାର ବୋଲିଂ ସତ୍ତ୍ବେ ଗ୍ଲେନ୍‌ ମ୍ୟାକ୍ସୱେଲ୍‌ (୩୯, ୨୬ ବଲ୍‌, ୩ ଚୌକା, ୨ ଛକା), ଅଧିନାୟକ ଆରୋନ୍‌ ଫିଞ୍ଚ୍‌ (୩୫, ୩୬ ବଲ୍‌, ୩ ଚୌକା), ଜୋସ୍‌ ଇଙ୍ଗ୍‌ଲିସ୍‌ (୨୧*, ୧୮ ବଲ୍‌, ୨ ଚୌକା) ଏବଂ ମାର୍କସ ଷ୍ଟୋଇନିସ୍‌ (୧୨, ୮ ବଲ୍‌, ୨ ଚୌକା)ଙ୍କ ଦମ୍‌ଦାର ବ୍ୟାଟିଂ ବଳରେ ୧୬.୫ ଓଭରରେ ୧୨୪ ରନ୍‌ରେ ୪ ୱିକେଟ୍‌ ହରାଇ ମ୍ୟାଚ୍‌ ଜିତିନେଇଥିଲା। ଅଷ୍ଟନ ଅଗର ୧୩ (୧୩ ବଲ୍‌, ୧ ଚୌକା, ୧ ଛକା) ରନ୍‌ର ମହତ୍ବପୂର୍ଣ୍ଣ ପାଳି ଖେଳିଥିଲେ। କେନ୍‌ ରିଚାର୍ଡସନ୍‌ଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ଏହି ବିଜୟ ସହ ଅଷ୍ଟ୍ରେଲିଆ ମଧ୍ୟ ୩-୦ର ଅଗ୍ରଣୀ ପାଇ ଶେଷ ୨ ମ୍ୟାଚ୍‌ ପୂର୍ବରୁ ଶୃଙ୍ଖଳା କରାୟତ କରିନେଇଛି।

ସମ୍ବନ୍ଧିତ ଖବର