ଦ୍ବିତୀୟ ଟି-୨୦: ସୁପର ଓଭରରେ ଶ୍ରୀଲଙ୍କାକୁ ହରାଇଲା ଅଷ୍ଟ୍ରେଲିଆ

ସିଡ୍‌ନି : ପ୍ରଥମ ଟି-୨୦କୁ ୨୭ ରନ୍‌ରେ ଜିତିଥିବା ଅଷ୍ଟ୍ରେଲିଆ ମଙ୍ଗଳବାର ଖେଳାଯାଇଥିବା ଦ୍ବିତୀୟରେ ଭ୍ରମଣକାରୀ ଶ୍ରୀଲଙ୍କାକୁ ସୁପର ଓଭରରେ ହରାଇ ଦେଇଛି। ନିର୍ଦ୍ଧାରିତ ଓଭରରେ ଉଭୟ ଦଳ ୧୬୪ ରନ୍‌ ଲେଖାଏଁ କରିବାରୁ ମ୍ୟାଚ୍‌ ‌ଟାଇ ରହିଥିଲା। ସୁପର ଓଭରରେ ପ୍ରଥମେ ଶ୍ରୀଲଙ୍କା ବ୍ୟାଟିଂ କରିଥିଲା ବେଳେ ଜୋସ ହାଜଲେଉଡ୍‌ଙ୍କ ବୋଲିଂକୁ ସମ୍ନା କରିନପାରି ଗୋଟିଏ ୱିକେଟ୍‌ ହରାଇ ମାତ୍ର ୫ ରନ୍‌ କରିଥିଲା। ଜବାବରେ ଅଷ୍ଟ୍ରେଲିଆ ୩ ବଲ୍‌ରେ ୨ ଚୌକା ସହ ୯ ରନ୍‌ କରି ମ୍ୟାଚ୍‌ ଜିତି ନେଇଥିଲା। ଫଳରେ ୫ ମ୍ୟାଚ୍‌ ବିଶିଷ୍ଟ ଏହି ଶୃଙ୍ଖଳା ଏବେ ୨-୦ରେ ଅଷ୍ଟ୍ରେଲିଆ ସପକ୍ଷରେ ରହିଛି।

ପୂର୍ବରୁ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ଜୋସ ଇଙ୍ଗଲିସଙ୍କ ୪୮ ଓ ଅଧିନାୟକ ଆରୋନ୍‌ ଫିଞ୍ଚ୍‌ଙ୍କ ୨୫ ରନ୍‌ ବଳରେ ୬ ୱିକେଟ୍‌ ହରାଇ ୧୬୪ ରନ୍‌ କରିଥିଲା। ଶ୍ରୀଲଙ୍କା ପକ୍ଷରୁ ଦୁଷ୍ମନ୍ତ ଚାମିରା ଓ ୱାନିନ୍ଦୁ ହସରଙ୍ଗା ୨‌ ଲେଖାଏଁ ୱିକେଟ୍‌ ନେଇଥିଲେ। ଜବାବରେ ଶ୍ରୀଲଙ୍କା ପାଥୁନ ନିଶଙ୍କ (୭୩ ରନ୍‌, ୫୩ ବଲ୍‌)ଙ୍କ ଅର୍ଦ୍ଧଶତକ ଓ ଦସୁନ ସନଙ୍କା ୩୪ ରନ୍‌ ସତ୍ତ୍ବେ ଲଗାତାର ୱିକେଟ୍‌ ହରାଇ ସଙ୍କଟରେ ପଡ଼ିଥିଲା। ଶେଷ ୩ ବଲ୍‌ରେ ବିଜୟ ପାଇ ୧୨ ରନ୍‌ ଆବଶ୍ୟକ ଥିଲା ବେଳେ ମହେଶ ଥିକସାନା ଛକା ଓ ଦୁଷ୍ମନ୍ତ ଚାମିରା ଚୌକା ମାରି ମ୍ୟାଚ୍‌ ଟାଇ କରିଦେଇଥି‌ଲେ। ବିଜୟରେ ପ୍ରମୁଖ ଭୂମିକା ନେଇଥିବା ହାଜେଲଉଡ୍‌ (୩/୨୨) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ଆହତ ସ୍ମିଥ୍‌ ଟି-୨୦ ଶୃଙ୍ଖଳାରୁ ବାଦ୍‌
ଆହତ ଅଷ୍ଟ୍ରେଲିଆ ବ୍ୟାଟର୍‌ ଷ୍ଟିଭ୍‌ ସ୍ମିଥ୍‌ ଶ୍ରୀଲଙ୍କା ବିପକ୍ଷ ପୂରା ଟି-୨୦ ଶୃଙ୍ଖଳାରୁ ବାଦ୍‌ ପଡ଼ିଛନ୍ତି। ଦ୍ବିତୀୟ ମ୍ୟାଚ୍‌ର ଶେଷ ଓଭରରେ ମହେଶ ଥିକ୍‌ସାନଙ୍କ ଛକାକୁ ବାଉଣ୍ଡାରି ଲାଇନ୍‌ ପାଖରେ ଅଟକାଇବା ବେଳେ ସ୍ମିଥ୍‌ଙ୍କ ମୁଣ୍ଡରେ ବଲ୍‌ ବାଜିଥିଲା। ସଙ୍ଗେ ସଙ୍ଗେ ସେ ପଡ଼ିଆ ଛାଡ଼ିଥିଲେ। ଏହି ଆଘାତ ସମସ୍ୟାରୁ ସୁସ୍ଥ ହେବାକୁ ତାଙ୍କୁ ୬/୭ ଦିନ ‌ଲାଗିବ। ତେଣୁ ଏହି ଶୃଙ୍ଖଳାରୁ ବାଦ୍‌ ଦିଆଯାଇଛି। ଏହି ଶୃଙ୍ଖଳାର ତୃତୀୟ ମ୍ୟାଚ୍‌ ମଙ୍ଗଳବାର ଖେଳାଯିବ।

ସମ୍ବନ୍ଧିତ ଖବର