ନଟିଂହାମ: ଚଳିତ ବିଶ୍ବକପ୍ର ଦଶମ ମ୍ୟାଚ୍ରେ ଗତଥରର ବିଜେତା ଅଷ୍ଟ୍ରେଲିଆ ଗୁରୁବାର ପୂର୍ବବିଜେତା ୱେଷ୍ଟଇଣ୍ଡିଜ୍କୁ ୧୫ ରନ୍ରେ ପରାସ୍ତ କରିଛି। ୭୯ ରନ୍ରେ ୫ ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିବା କଙ୍ଗାରୁ ଦଳ ଅଲରାଉଣ୍ଡର ନାଥନ କୁଲଟର ନାଇଲ୍ ଏବଂ ଷ୍ଟିଭନେ ସ୍ମିଥଙ୍କ ଦାୟିତ୍ବବାନ ବ୍ୟାଟିଂ ବଳରେ ୨୮୯ ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଏହା ପରେ ମିଚେଲ ଷ୍ଟାର୍କଙ୍କ ୫ ୱିକେଟ୍ ସଫଳତା ବଳରେ ନାଟକୀୟ ବିଜୟ ହାସଲ କରିଥିଲା। ଇଣ୍ଡିଜ୍ ବୋଲର ପ୍ରଥମ ୨୦ ଓଭରରେ ଅଷ୍ଟ୍ରେଲିଆକୁ ପୂରା ଘାଇଲା କରି ଦେଇଥିଲେ। ହେଲେ ଶେଷ ଆଡ଼କୁ ଦୁଇଟି ଭାଗୀଦରି ଭାଙ୍ଗି ନପାରି ଅଷ୍ଟ୍ରେଲିଆକୁ ଏକ ସମ୍ମାନଜନକ ସ୍କୋର କରିବାକୁ ଦେଇଥିଲେ। ଏହାର ଜବାବରେ ଇଣ୍ଡିଜ୍ ନିର୍ଧାରିତ ୫୦ ଓଭରରେ ୯ ୱିକେଟ୍ ହରାଇ ୨୭୩ ରନ୍ କରି ପାରିଥିଲା। କୁଲଟର ନାଇଲ୍ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଷ୍ଟାର୍କଙ୍କ ନାଁରେ ପ୍ରଥମ ୫ ୱିକେଟ୍
ୱେଷ୍ଟଇଣ୍ଡିଜ୍ର ପଶ୍ଚାତଧାବନ ନାଟକୀୟ ଢଙ୍ଗରେ ଆରମ୍ଭ ହୋଇଥିଲା। ପ୍ରଥମ ଓଭରର ଚତୁର୍ଥ ବଲ୍ରେ ଏଭିନ ଲୁଇସ୍ (୧) ପ୍ୟାଟ୍ କମିନ୍ସଙ୍କୁ ନିଜ ୱିକେଟ୍ ଫିଙ୍ଗି ଦେଇଥିଲେ। ଅନ୍ୟପକ୍ଷରେ ବିସ୍ଫୋରକ କ୍ରିସ୍ ଗେଲ୍ ଗୋଟିଏ ଓଭରରେ ଅମ୍ପାୟାରଙ୍କ ଦ୍ବାରା ଦୁଇ ଥର ଆଉଟ୍ ଘୋଷିତ ହୋଇଥିଲେ ମଧ୍ୟ ରିଭ୍ୟୁରେ ବର୍ତି ଯାଇଥିଲେ। ତୃତୀୟ ରିଭ୍ୟୁରେ ବିଫଳ ହୋଇଥିଲେ। ଫଳରେ ବ୍ୟକ୍ତିଗତ ୨୧ ରନ୍ କରି ପ୍ୟାଭିଲିୟନ ଫେରିଥିଲେ। ଗେଲ୍ ଆଉଟ୍ ହୋଇଥିବା ବଲ୍ର ପୂର୍ବବଲ୍ ନୋ’ ବଲ୍ ଥିଲେ ମଧ୍ୟ ଅମ୍ପାୟାର ଏହାକୁ ଧରି ପାରି ନଥିଲେ। ଏହା ପୂର୍ବରୁ ଗେଲ୍ ଅବଶ୍ୟ ବିଶ୍ବକପରେ ୧,୦୦୦ ରନ୍ ପୂରଣ କରି ନେଇଥିଲେ। ସାଇ ହୋପ୍ (୬୮) ଓ ନିକୋଲାସ୍ ପୂରାନ (୪୦) ତୃତୀୟ ୱିକେଟ୍ରେ ୬୮ ରନ୍ ଯୋଡ଼ି ସ୍ଥିତି କିଛିଟା ସୁଧାରି ନେଇଥିଲେ। ଆଦାମ ଜାମ୍ପାଙ୍କ ବଲ୍ରେ ଅଧିନାୟକ ଆରୋନ୍ ଫିଞ୍ଚ ଗୋଟିଏ ହାତରେ କ୍ୟାଚ୍ ନେଇ ଯୋଡ଼ିବା ଭାଙ୍ଗିବା ମ୍ୟାଚ୍ ମୋଡ଼ ବଦଳାଇ ଦେଇଥିଲା। ଏହା ପରେ ମିଚେଲ ଷ୍ଟାର୍କ (୧୦-୧-୪୬-୫) ଜଣକ ପରେ ଜଣେ ଇଣ୍ଡିଜ୍ ବ୍ୟାଟ୍ସମ୍ୟାନଙ୍କୁ ଆଉଟ୍ କରି ଚାଲିଥିଲେ। ଅଧିନାୟକ ଜାସନ ହୋଲ୍ଡର (୫୧) ଅଧର୍ଶତକୀୟ ପାଳି ଖେଳିଥିଲେ। ହେଲେ ଅନ୍ୟପଟୁ ୱିକେଟ୍ ପତନ ଧାରା ଜାରି ରହିବା ଚାପକୁ ସହି ନପାରି ଆଉଟ୍ ହୋଇ ଯାଇଥିଲେ। ଆନ୍ଦ୍ର ରସେଲଙ୍କ ଆଉଟ୍ ମଧ୍ୟ ଆଉ ଏକ ମୋଡ଼ ବଦଳାଇବା କ୍ଷଣ ଥିଲା। ଷ୍ଟାର୍କଙ୍କ ବଲ୍କୁ ରସେଲ ଛକା ମାରିବାକୁ ପ୍ରୟାସ କରୁଥିଲା ବେଳେ ମିସ୍ ଟାଇମ୍ ସଟ୍ ପଏଣ୍ଟ ଅଞ୍ଚଳକୁ ଚାଲି ଯାଇଥିଲା। ମ୍ୟାକ୍ସୱେଲ୍ ଦୌଡ଼ି ଦୌଡ଼ି ଏକ ଚମତ୍କାର କ୍ୟାଚ୍ ନେବା ସହ ତାଙ୍କ ପାଳିରେ ପୂର୍ଣ୍ଣଛେଦ ଟାଣି ଦେଇଥିଲେ। ଶେଷ ଓଭରରେ ଆସଲେ ନର୍ସ ଲଗାତାର ଚାରିଟି ଚୌକା ମାରିଥିଲେ ମଧ୍ୟ ଏହା କେବଳ ଇଣ୍ଡିଜର ପରାଜୟ ବ୍ୟବଧାନକୁ କମାଇଥିଲା। ସେଲଡନ କଟରେଲଙ୍କୁ ଆଉଟ୍ କରି ଷ୍ଟାର୍କ ଦିନିକିଆରେ ଷଷ୍ଠ ଏବଂ ଚଳିତ ବିଶ୍ବକପର ପ୍ରଥମ ପାଞ୍ଚ ୱିକେଟ୍ ସଫଳତା ପାଇଥିଲେ।
ସୁଯୋଗ ହାତଛଡ଼ା କଲା ଇଣ୍ଡିଜ୍
ଗୁରୁବାର ୱେଷ୍ଟଇଣ୍ଡିଜ୍ ଅଧିନାୟକ ଜାସନ ହୋଲ୍ଡର ଟସ୍ ଜିତି କ୍ଷେତ୍ରରକ୍ଷଣ ନିଷ୍ପତ୍ତି ନେଇଥିଲେ। ତାଙ୍କ ନିଷ୍ପତ୍ତିର ପୂରା ସମ୍ମାନ ରଖିଥିଲା ଇଣ୍ଡିଜ୍ ବୋଲିଂ ବାହିନୀ। ଧୂଆଁଧାର ବୋଲିଂ କରି ଅଷ୍ଟ୍ରେଲିଆକୁ ଆରମ୍ଭରୁ ଅଣନିଶ୍ବାସୀ କରି ଦେଇଥିଲେ ସେମାନେ। ଓସାନେ ଥୋମାସ (୧୦-୦-୬୩-୨), ସେଲଡନ କଟରେଲ୍ (୯-୦-୫୬-୨), ଆନ୍ଦ୍ରେ ରସେଲ (୮-୦-୪୧-୨), କାର୍ଲୋସ୍ ବ୍ରାଥୱେଟ୍ (୧୦-୦-୬୭-୩) ଓ ନିେଜ ଜାସନ ହୋଲ୍ଡର (୭-୨-୨୮-୧) କଙ୍ଗାରୁ ଖେଳାଳିଙ୍କୁ ଝଟ୍କା ଉପରେ ଝଟ୍କା ଦେଇଥିଲେ। ପ୍ରଥମ ୧୦ ଓଭରରେ ଇଣ୍ଡିଜ୍ ଦ୍ରୁତ ବୋଲିଂ ବାହିନୀ ବାଉନ୍ସର ଏବଂ ସର୍ଟ ପିଚ୍ ବଲ୍ରେ ଏମିତି ଭୟ ସୃଷ୍ଟି କରିଥିଲେ ଯେ ଭାଷ୍ୟକାର ଅଶି ଦଶକର ଦୁର୍ଦ୍ଧର୍ଷ ୱେଷ୍ଟଇଣ୍ଡିଜ୍ ବୋଲରଙ୍କୁ ଜଣକ ପରେ ଜଣେ ମନେ ପକାଇଥିଲେ। ଡେଭିଡ୍ ୱାର୍ନରଙ୍କଠାରୁ ଆରମ୍ଭ କରି ମାର୍କସ ଷ୍ଟୋଇନିସ୍ ପର୍ଯ୍ୟନ୍ତ କେହି ଇଣ୍ଡିଜ୍ ବୋଲରଙ୍କ ସମ୍ମୁଖୀନ ହୋଇ ପାରି ନଥିଲେ। ୱାର୍ନର ୩, ଫିଞ୍ଚ ୬, ଉସମାନ ଖୱାଜା ୧୩, ଷ୍ଟୋଇନିସ୍ ୧୯ ରନ୍ କରିବା ସହ ଗ୍ଲେନ୍ ମ୍ୟାକ୍ସୱେଲ୍ ଖାତା ଖୋଲି ପାରି ନଥିଲେ। ଅଷ୍ଟ୍ରେଲିଆ ୭୯ ରନ୍ରେ ୫ ୱିକେଟ୍ ହରାଇ ଘୋର ସଙ୍କଟରେ ପଡ଼ିଥିଲା। ବଲ୍ ଟିକିଏ ପୁରୁଣା ହେବା ପରେ ଅବଶ୍ୟ ଷ୍ଟିଭେନ ସ୍ମିଥ୍ (୭୩), ନାଥନ କୁଲଟର ନାଇଲ୍ (୯୨) ଓ ଆଲେକ୍ସ କ୍ୟାରି (୪୫) ଇଣ୍ଡିଜ୍ ବୋଲରଙ୍କୁ ପ୍ରତିଆକ୍ରମଣ କରିଥିଲେ। କ୍ୟାରି ଓ ସ୍ମିଥ୍ ଷଷ୍ଠ ୱିକେଟ୍ରେ ୬୮ ରନ୍ ଯୋଡ଼ିଥିଲେ। ଅର୍ଧଶତକର ପୂରଣର ୫ ରନ୍ ପୂର୍ବରୁ କିନ୍ତୁ କ୍ୟାରି ଏକାଗ୍ରତା ହରାଇ ଆନ୍ଦ୍ରେ ରସେଲଙ୍କୁ ୱିକେଟ୍ ଟେକି ଦେଇଥିଲେ। ଏହା ପରେ କୁଲଟର ନାଇଲ୍ ଓ ସ୍ମିଥ୍ ସପ୍ତମ ୱିକେଟ୍ରେ ଯୋଡ଼ିଥିବା ୧୦୨ ରନ୍ ବଳରେ ହିଁ ଏକଦା ସଂଘର୍ଷ କରୁଥିବା କଙ୍ଗାରୁ ଦଳ ଅଢ଼େଇ ଶହ ରନ୍ ଟପି ଯାଇଥିଲା। ସ୍ମିଥ୍ ଚଳିତ ବିଶ୍ବକପର ପ୍ରଥମ ଏବଂ ଖେଳ ଜୀବନର ୨୦ତମ ଅର୍ଧଶତକ ପୂରଣ କରିଥିଲେ। ସ୍ମିଥ୍-କୁଲଟର ନାଇଲ୍ ଯୋଡ଼ିକୁ ଓସାନେ ଥୋମାସ ଭାଙ୍ଗିବା ପୂର୍ବରୁ ଅଷ୍ଟ୍ରେଲିଆ ୨୪୯ ରନ୍ କରି ନେଇଥିଲା। କୁଲଟର ନାଇଲ୍ ଦ୍ରୁତ ଗତିରେ ନିଜ ପ୍ରଥମ ଦିନିକିଆ ଶତକ ଆଡ଼କୁ ଅଗ୍ରସର ହେଉଥିଲା ବେଳେ ୪୯ତମ ଓଭରର ଦ୍ବିତୀୟ ବଲ୍ରେ ବ୍ରାଥୱେଟ୍ ଏଥିରେ ରୋକ୍ ଲଗାଇଥିଲେ। ବ୍ରାଥୱେଟ୍ ଚାରିଟି ବଲ୍ ଭିତରେ ତାଙ୍କୁ ଏବଂ ମିଚେଲ ଷ୍ଟାର୍କଙ୍କୁ ଆଉଟ୍ କରିବା ପରେ ଅଷ୍ଟ୍ରେଲିଆ ଗୋଟିଏ ଓଭର ପୂର୍ବରୁ ଅଲଆଉଟ୍ ହୋଇ ଯାଇଥିଲେ। ଇଣ୍ଡିଜ୍ କୁଲଟର ନାଇଲଙ୍କ ଦୁଇଟି କ୍ୟାଚ୍ ହାତଛଡ଼ା କରିବା ଅଷ୍ଟ୍ରେଲିଆକୁ ବଞ୍ଚାଇ ଦେଇଥିଲା।