ଅଷ୍ଟ୍ରେଲିଆକୁ ‘ଭୁବନେଶ୍ବର’ ହ୍ୟାଟ୍ରିକ୍

ଭୁବନେଶ୍ବର: ୩ ଥର ବିଶ୍ବକପ୍ ଜିତି ସାରିଥିଲେ ମଧ୍ୟ ହ୍ୟାଟ୍ରିକ୍ ମୁକୁଟ ବିଜେତା ହେବା ଗୌରବ ଲକ୍ଷ୍ୟରେ ଭୁବନେଶ୍ବର ଆସିଥିବା ଅଷ୍ଟ୍ରେଲିଆର ଏହି ସ୍ବପ୍ନ ଶନିବାର ଧୂଳିସାତ ହୋଇଯାଇଥିଲା। ବେଲ୍‌ଜିୟମ୍ ନିକଟରୁ ସେମିଫାଇନାଲରେ ସଡନ୍ ଡେଥ୍‌ରେ ହାରିଥିବା ଏହି କୁକାବୁରା ଦଳ କିନ୍ତୁ ଭୁବନେଶ୍ବର ସ୍ମୃତିକୁ ଅଭୁଲା ରଖିବାରେ ସକ୍ଷମ ହୋଇଛି। ପ୍ରତି ଥର କଳିଙ୍ଗ ଷ୍ଟାଡିୟମ୍‌ରେ ଖେଳିଥିବା ଏହି ଦେଶ ଖାଲି ହାତରେ ନ ଫେରି ପଦକ ବିଜୟରେ ହ୍ୟାଟ୍ରିକ୍ କରିଛି। ପୂର୍ବରୁ ୨୦୧୪ରେ ଚାମ୍ପିଅନ୍ସ ଟ୍ରଫି ସ୍ବର୍ଣ୍ଣ, ୨୦୧୭ ଡିସେମ୍ବରରେ ଅନୁଷ୍ଠିତ ବିଶ୍ବ ହକି ଲିଗ୍ ଫାଇନାଲ୍ସରେ କାଂସ୍ୟ ଜିତିଥିବାରୁ ଏହି ପଡ଼ିଆରେ ଲଗାତାର ୩ ଥର ପଦକ ଜିତିବାର ଗୌରବ ଅର୍ଜନ କରିଛି। ରବିବାରର ଚଳିତ ବିଶ୍ବ କପ୍‌ ଫାଇନାଲ୍‌ ମ୍ୟାଚ୍ ପୂର୍ବରୁ ଅଷ୍ଟ୍ରେଲିଆ ଆଉ ଏକ ପ୍ରାଧାନ୍ୟଭରା ମୁକାବିଲାରେ ଇଂଲଣ୍ଡକୁ ୮-୧ ଗୋଲ୍‌ରେ ହରାଇଥିଲା। ଏଥି ସହିତ ଅଷ୍ଟ୍ରେଲିଆ ନିଜର ପଞ୍ଚମ କାଂସ୍ୟ ପଦକ ସହିତ ମଧ୍ୟ ମୋଟ ବିଶ୍ବକପ୍‌ ପଦକ ସଂଖ୍ୟାକୁ ୧୦ରେ ପହଞ୍ଚାଇଛି। ୧୯୮୬, ୨୦୧୦ ଏବଂ ୨୦୧୪ରେ ବିଜେତା ହୋଇଥିବା ଅଷ୍ଟ୍ରେଲିଆ ଦୁଇ ଥର ରୌପ୍ୟ (୨୦୦୨, ୨୦୦୬) ଏବଂ ୫ ଥର କାଂସ୍ୟ (୧୯୭୮, ୧୯୮୨, ୧୯୯୦, ୧୯୯୪, ୨୦୧୮) ପଦକ ଜିତି ଅନ୍ୟତମ ସଫଳ ଦଳର ସ୍ବୀକୃତି ସାଉଁଟିଛି। ବିଶ୍ବକପ୍ ଇତିହାସରେ ସବୁଠୁ ବଡ଼ ବିଜୟ ସହ କାଂସ୍ୟ ଜିତିଛି। ଅନ୍ୟପକ୍ଷରେ ଇଂଲଣ୍ଡ ୧୯୮୬ ମସିହା ଫାଇନାଲରେ ସେହି ଅଷ୍ଟ୍ରେଲିଆଠାରୁ ହାରି ରୌପ୍ୟ ଜିତି ଏକମାତ୍ର ବିଶ୍ବକପ୍ ପଦକରେ ସୀମିତ ରହିଛି।

ରବିବାରର ଏହି କାଂସ୍ୟ ପଦକ ମୁକାବିଲାରେ ଇଂଲଣ୍ଡର ଖେଳ ପ୍ରଥମ ସେମିଫାଇନାଲ୍‌ ଭଳି ଥିଲା। ପୂର୍ବ ସଂଧ୍ୟାରେ ବେଲ୍‌ଜିୟମ୍‌ଠାରୁ ୦-୬ରେ ହାରିଥିବା ଇଂଲଣ୍ଡ ମଧ୍ୟ ସମାନ ପ୍ରଦର୍ଶନ ଦୋହରାଇଥିଲା। ଯୁବ ଓ ଅଭିଜ୍ଞ ଖେଳାଳିଙ୍କୁ ନେଇ ସମୃଦ୍ଧ ଅଷ୍ଟ୍ରେଲିଆ ପାଇଁ ରବିବାର ଟମ୍ କ୍ରେଗ୍ (୯, ୧୯, ୩୪) ତିନିଟି ଫିଲଡ୍‌ ଗୋଲ୍‌ ଦେଇ ହ୍ୟାଟ୍ରିକ୍ ଅର୍ଜନ କରିଥିଲେ। ପେନାଲଟି କର୍ନରରୁ ଜେରେମି ହେୱାର୍ଡ (୫୭, ୬୦) ଦୁଇଟି ଗୋଲ୍‌ ‌ଶେଷ ୩ ମିନିଟ ଭିତରେ ଦେଇଥିଲେ। ଅବଶିଷ୍ଟ ୩ ଗୋଲ୍ ବ୍ଲାକ୍‌ ଗୋଭର୍ସ (୮ ମିନିଟ), ଟ୍ରେଣ୍ଟ୍ ମିଟ୍ଟନ (୩୨ ମିନିଟ) ଓ ଟିମ୍ ବ୍ରାଣ୍ଡ୍‌ (୩୪ ମିନିଟ) ଦେଇଥିଲେ। ଇଂଲଣ୍ଡ ପାଇଁ ଏକମାତ୍ର ଗୋଲ୍‌ ଅଭିଜ୍ଞ ବ୍ୟାରି ମିଡଲଟନ୍ (୪୫ ମିନିଟ) ଦେଇଥିଲେ। ହ୍ୟାଟ୍ରିକ୍ ମ୍ୟାନ୍ ଟମି କ୍ରେଗ୍ ମ୍ୟାଚ୍‌ର‌ ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ପ୍ରାରମ୍ଭରେ କ୍ରୀଡ଼ା ନିର୍ଦେଶକ ଭିନିଲ୍ କ୍ରିଷ୍ଣା, ଏଫ୍‌ଆଇଏଚ୍ ମୁଖ୍ୟ କାର୍ଯ୍ୟନିର୍ବାହୀ ଥିଏରି ୱିଲ୍ ଏବଂ ପୁରସ୍କାର ବିତରଣ ଉତ୍ସବରେ ହକି ଇଣ୍ଡିଆର ମହାସଚିବ ରାଜିନ୍ଦର ସିଂହ, ପୂର୍ବତନ ଅନ୍ତର୍ଜାତୀୟ ହକି ଖେଳାଳି ଆର୍ ସି ସିଂହ ଏବଂ କ୍ରୀଡ଼ାମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ଅତିଥିଭାବେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର