ସିଡ୍ନି: ବିବାହର ୭ ବର୍ଷ ପରେ ଅଷ୍ଟ୍ରେଲିଆ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମାଇକେଲ୍ କ୍ଲାର୍କ ପତ୍ନୀ କାଇଲି ବୋଲ୍ଡିଙ୍କୁ ଛାଡ଼ପତ୍ର ଦେଇଛନ୍ତି। ଭରଣପୋଷଣ ଓ କ୍ଷତିପୂରଣ ବାବଦରେ କାଇଲିଙ୍କୁ ସେ ୪୦ ନିୟୁତ ଡଲାର ବା ପାଖାପାଖି ୨୮୫ କୋଟି ଟଙ୍କା ଦେଇଛନ୍ତି। ସେହିଭଳି ଉଭୟ ନିଜର ଚାରି ବର୍ଷର ଝିଅ କେଲ୍ସି ଲି’କୁ ମିଳିତ ଭାବେ ପାଳିବାକୁ ନିଷ୍ପତ୍ତି ନେଇଛନ୍ତି। ଉଭୟଙ୍କ ସହମତିରେ ଛାଡ଼ପତ୍ର ହୋଇଥିବା ଜଣାପଡ଼ିଛି। ୩୮ ବର୍ଷୀୟ କ୍ଲାର୍କ ଓ କାଇଲ ୨୦୧୨ରେ ବିବାହ ବନ୍ଧନରେ ଆବନ୍ଧ ହୋଇଥିଲେ। ୨୦୧୫ରେ ଝିଅ କେଲ୍ସି ଜନ୍ମଗ୍ରହଣ କରିଥିଲା। ଅଷ୍ଟ୍ରେଲୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବର ଅନୁସାରେ ଏହି ଦୁଇ ଲୋକପ୍ରିୟ ଦମ୍ପତ୍ତି ଗତ ପାଞ୍ଚ ମାସ ହେବ ଅଲଗା ରହି ଆସୁଥିଲେ। ଏଥିନେଇ ଉଭୟ ବିଜ୍ଞପ୍ତି ପ୍ରକାଶ କରି କହିଛନ୍ତି ଯେ କିଛି ଦିନ ଅଲଗା ରହିବା ପରେ ଆମେ ପରସ୍ପରଠାରୁ ଛାଡ଼ପତ୍ର ନେବାର କଠିନ ଓ କଷ୍ଟକର ନିଷ୍ପତ୍ତି ନେଇଛୁ। ହେଲେ ପରସ୍ପର ପ୍ରତି ଆମର ଯଥେଷ୍ଟ ସମ୍ମାନ ରହିଛି। ଏହା ହିଁ ଆମ ପାଇଁ ସବୁଠାରୁ ଭଲ କଥା ହୋଇପାରିବ ବୋଲି ଆମେ ଭାବୁଛୁ। ଆମ ଝିଅ କେଲ୍ସିକୁ ଆମେ ମିଳିତ ଭାବେ ପାଳିବୁ। ସୂଚନାଯୋଗ୍ୟ ଯେ କ୍ଲାର୍କ ୨୦୦୪ରୁ ୨୦୧୫ ମଧ୍ୟରେ ଅଷ୍ଟ୍ରେଲିଆ ପକ୍ଷରୁ ୧୧୫ ଟେଷ୍ଟ୍ ଖେଳିଛନ୍ତି। ସେ ମଧ୍ୟ ୨୪୫ ଦିନିକିଆରେ ଅଷ୍ଟ୍ରେଲିଆର ପ୍ରତିନିଧିତ୍ବ କରିଛନ୍ତି। ୨୦୧୫ରେ ଅଷ୍ଟ୍ରେଲିଆ ତାଙ୍କ ନେତୃତ୍ବରେ ବିଶ୍ବକପ୍ ଜିତିଥିଲା। ଅନ୍ୟପକ୍ଷରେ କାଇଲି ଜଣେ ପୂର୍ବତନ ମଡେଲ ଓ ଟେଲିଭିଜନ ଉପସ୍ଥାପିକା।
ଅଷ୍ଟ୍ରେଲିଆ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ କ୍ଲାର୍କ-କାଇଲିଙ୍କ ଛାଡ଼ପତ୍ର
/sambad/media/post_attachments/wp-content/uploads/2020/02/56f4hfs7h89fs7h98sfhhhhhhhhhhhhhhhhhhhhhhhh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)