ସିଡ୍‌ନି: ଅଷ୍ଟ୍ରେଲିଆ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ପିଙ୍କ୍ ଟେଷ୍ଟ୍‌ ଚତୁର୍ଥ ଦିନରେ ଶେଷ ହୋଇଯାଇଛି। ୮ ୱିକେଟ୍‌ରେ ସହଜ ବିଜୟ ସହ ପ୍ୟାଟ୍ କମିନ୍ସଙ୍କ ଦଳ ୩-୦ରେ ମୂଳପୋଛ କରି ଶୃଙ୍ଖଳା ଜିତିଛି। ଟେଷ୍ଟ୍ କ୍ରିକେଟ୍‌ ଇତିହାସରେ ଅଷ୍ଟ୍ରେଲିଆ ସପ୍ତମ ଥର ପାଇଁ ଏଭଳି ସଫଳତା ଅର୍ଜନ କରିଛି। ଘରୋଇ ମାଟିରେ ମଧ୍ୟ ଅଷ୍ଟ୍ରେଲିଆ କ୍ରମାଗତ ଭାବେ ୧୭ ମ୍ୟାଚ୍‌ରେ ପାକିସ୍ତାନକୁ ହରାଇବା ଧାରାକୁ ଆଗକୁ ନେଇଛି। ଅନ୍ୟ କୌଣସି ଦଳ ଏତେ କ୍ରମାଗତ ବିଜୟ ପାଇନାହିଁ। ଦ୍ବିତୀୟ ସର୍ବାଧିକ ୯ କ୍ରମାଗତ ଘରୋଇ ବିଜୟ ମଧ୍ୟ ଅଷ୍ଟ୍ରେଲିଆ ନାମରେ ରହିଛି। ୨୦୦୦ରୁ ୨୦୦୯ ମଧ୍ୟରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଅଷ୍ଟ୍ରେଲିଆ ଏହି ସଫଳତା ପାଇଛି। ପାକିସ୍ତାନ ବିପକ୍ଷରେ ଯେଉଁ ୭ ଟେଷ୍ଟ୍ ଶୃଙ୍ଖଳାକୁ ଅଷ୍ଟ୍ରେଲିଆ ମୂଳ‌ପୋଛ କରି (ଅନ୍ୟୁନ ୩ ଟେଷ୍ଟ୍‌) ଜିତିଛି ସେଥିରୁ ୬ଟି ଘରୋଇ ମାଟିରେ। ଇଂଲଣ୍ଡ ୫ ଥର ନ୍ୟୁଜିଲାଣ୍ଡ୍‌କୁ ଏବଂ ୪ ଥର ଭାରତକୁ ମୂଳପୋଛ କରି ହରାଇଛି। ଇଂଲଣ୍ଡକୁ ମଧ୍ୟ ଅଷ୍ଟ୍ରେଲିଆ ୪ ଥର ମୂଳପୋଛ କରିଛି।

Advertisment

ପ୍ରଥମ ପାଳିରେ ସାମାନ୍ୟ ଅଗ୍ରଣୀ ସତ୍ତ୍ବେ ପାକିସ୍ତାନ ଦ୍ବିତୀୟ ପାଳିରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଆଉ ଫେରିପାରି ନଥିଲା। ଶନିବାର ସାନ ମାସୁଦଙ୍କ ଦଳ ୬୮/୭ରୁ ଖେଳିବା ପରେ ୧୧୫ ରନ୍‌ରେ ସମସ୍ତ ୱିକେଟ୍ ହରାଇ ଦେଇଥିଲା। ଜୋସ୍ ହାଜେଲଉଡ୍ ପୂର୍ବଦିନ ୪ ୱିକେଟ୍ ନେଇ ପାକିସ୍ତାନର ଅଣ୍ଟା ମୋଡ଼ି ଦେଇଥିବା ବେଳେ ନାଥନ୍ ଲାୟନ୍ ଓ ପ୍ୟାଟ୍ କମିନ୍ସ ଶେଷ ୩ ୱିକେଟ୍‌କୁ ଦଖଲ କରି ନେଇଥିଲେ। ଅଷ୍ଟ୍ରେଲିଆ ସମ୍ମୁଖରେ ୧୩୦ ରନ୍‌ ବିଜୟ ଲକ୍ଷ୍ୟ ରହିଥିଲା। ଉସମାନ ଖୱାଜା ପ୍ରଥମ ଓଭରରେ ଆଉଟ୍ ହୋଇଯିବା ପରେ ଡେଭିଡ୍ ୱାର୍ଣ୍ଣର ତାଙ୍କ ବିଦାୟୀ ପାଳିରେ ୭୫ ବଲ୍‌ରୁ ୫୭ ରନ୍ ସଂଗ୍ରହ କରିଥିଲେ। ସାଜିଦ୍ ଖାନ୍‌ ତାଙ୍କୁ ମଧ୍ୟ ଏଲବିଡବ୍‌ଲ୍ୟୁ କରି ଦେଇଥିଲେ। ତେବେ ବିଦାୟୀ ଟେଷ୍ଟ୍‌ରେ ୱାର୍ଣ୍ଣର ଆକର୍ଷଣୀୟ ଅର୍ଦ୍ଧଶତକ ଅର୍ଜନ କରିବା ସହ ମାର୍ନସ ଲବୁସାନ୍ (୬୨*, ୭୩ ବଲ୍‌)ଙ୍କ ସହ ଦ୍ବିତୀୟ ୱିକେଟ୍ ପାଇଁ ୧୧୯ ରନ୍ ଯୋଡ଼ିଥିଲେ। ଆମିର ଆଜମଲ ପ୍ରଥମ ପାଳିରେ ୮୨ ରନ୍ ସଂଗ୍ରହ କରିବା ସହ ୬ ୱିକେଟ୍ ଅକ୍ତିଆର କରିଥିବାରୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ପ୍ୟାଟ୍ କମିନ୍ସ ମୋଟ ୧୯ ୱିକେଟ୍ ନେଇ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ସମ୍ମାନ ପାଇଛନ୍ତି। ବିଦାୟୀ ଟେଷ୍ଟ୍‌ରେ ଦଳକୁ ବିଜୟୀ କରାଇବା ସହ ୩-୦ ଶୃଙ୍ଖଳା ବିଜୟ ସହ ୱାର୍ଣ୍ଣର ମଧ୍ୟ ଚମତ୍କାର ଭାବେ ‌ନିଜ ଟେଷ୍ଟ୍ ଜୀବନ ଶେଷ କରିଛନ୍ତି। ପୂର୍ବରୁ ସେ ଦିନିକିଆ କ୍ରିକେଟ୍‌ ଛାଡ଼ି ସାରିଥିବା ବେଳେ ଏବେ କେବଳ ‌ଟ୍ବେଣ୍ଟି-୨୦ ଖେଳିବା ଜାରି ରଖିବେ।

ସଂକ୍ଷିପ୍ତ ସ୍କୋର: ପାକିସ୍ତାନ ପ୍ରଥମ ପାଳି: ୩୧୩। ଅଷ୍ଟ୍ରେଲିଆ ପ୍ରଥମ ପାଳି: ୨୯୯ (ମାର୍ନସ ଲବୁସାନ୍‌-୬୦, ମିଚେଲ୍ ମାର୍ସ-୫୪, ଅମିର ଜମାଲ-୬/୬୯)। ପାକିସ୍ତାନ ଦ୍ବିତୀୟ ପାଳି: ୪୩.୧ ଓଭରରେ ୧୧୫/୧୦ (ସାମ ଆୟୁବ-୩୩, ମହମ୍ମଦ ରିଜୱାନ-୨୮, ବାବର ଆଜମ-୨୩, ଜୋସ୍ ହାଜେଲଉଡ୍‌-୪/୧୬, ନାଥନ୍ ଲାୟନ-୩/୩୬, ମିଚେଲ୍ ଷ୍ଟାର୍କ-୧/୧୫, ଟ୍ରାଭିସ୍ ହେଡ୍‌-୧/୧୯, ପ୍ୟାଟ୍ କମିନ୍ସ-୧/୨୪)। ଅଷ୍ଟ୍ରେଲିଆ ଦ୍ବିତୀୟ ପାଳି: ୨୫.୫ ଓଭରରେ ୧୩୦/୨ (ଡେଭିଡ୍‌ ୱାର୍ଣ୍ଣର-୫୭, ମାର୍ନସ ଲବୁସାନ୍‌-୬୨, ଷ୍ଟିଭେନ୍ ସ୍ମିଥ୍‌-୪*, ସାଜିଦ୍ ଖାନ୍‌-୨/୪୯)।