ସିଡ୍ନି: ଇଂଲଣ୍ଡ ଗସ୍ତରେ ଅଷ୍ଟ୍ରେଲିଆ ୩ ମ୍ୟାଚ୍ ଲେଖାଏଁ ଟି-୨୦ ଓ ଦିନିକିଆ ଶୃଙ୍ଖଳା ଖେଳିବା ଲାଗି ଯୋଜନା ଚାଲିଛି। ଏହି ଶୃଙ୍ଖଳା ସେପ୍ଟେମ୍ବର ୪ରୁ ଆରମ୍ଭ ହେବାର ସମ୍ଭାବନା ରହିଛି। ବିଶେଷ ସୂତ୍ରରୁ ଜଣାପଡ଼ିଛି ଯେ ଅଷ୍ଟ୍ରେଲିଆ ଦଳ ଘରୋଇ ବିମାନରେ ୟୁକେରେ ପହଞ୍ଚିବ। ସେପ୍ଟେମ୍ବର ୪,୬, ୮ରେ ଟି-୨୦ ଏବଂ ୧୦, ୧୨, ୧୫ ତାରିଖରେ ଦିନିକିଆ ମ୍ୟାଚ୍ ଖେଳାଯିବ। ମାଞ୍ଚେଷ୍ଟର ନିକଟରେ ହୋଟେଲ ଥିବାରୁ ସାଉଥମ୍ପଟନ୍ ଏବଂ ଓଲ୍ଡ ଟ୍ରାଫୋର୍ଡରେ ମ୍ୟାଚ୍ ଗୁଡ଼ିକ ଖେଳାଯିବାର ରହିଛି। ମହାମାରୀ କରୋନା ଯୋଗୁଁ ବନ୍ଦ ରହିଥିବା କ୍ରିକେଟ୍ ପ୍ରତିଯୋଗିତା ଏହି ଦୁଇ ପଡ଼ିଆରୁ ଆରମ୍ଭ ହୋଇଛି। ସଂପ୍ରତି ଇଂଲଣ୍ଡ-ୱେଷ୍ଟଇଣ୍ଡିଜ୍ ଟେଷ୍ଟ୍ ଶୃଙ୍ଖଳା ଏଠାରେ ଖେଳାଯାଉଛି। ଏହା ପରେ ପାକିସ୍ତାନ-ଇଂଲଣ୍ଡ ଶୃଙ୍ଖଳା ମଧ୍ୟ ଏଠାରେ ଖେଳାଯିବ।
ଗତ ସପ୍ତାହରେ ଅଷ୍ଟ୍ରେଲିଆ ଚୟନକର୍ତ୍ତା ୨୬ ଜଣିଆ ପ୍ରାରମ୍ଭିକ ଖେଳାଳି ତାଲିକା ପ୍ରକାଶ କରିଛି। ଖେଳାଳି, ଅଧିକାରୀ ଓ ଜନସାଧାରଣଙ୍କ ସ୍ବାସ୍ଥ୍ୟ ଓ ସୁରକ୍ଷା ଆମ ପାଇଁ ଗୁରୁତ୍ବପୂର୍ଣ୍ଣ। ସଂଗରୋଧ ସୁବିଧା ସେଠାରେ ମିଳିବ କି ନାହିଁ ତାହା ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନି। ଯଦି ଅଷ୍ଟ୍ରେଲିଆ ସରକାର ଅନ୍ତର୍ଜାତୀୟ ଗସ୍ତ କରିବାକୁ ଅନୁମତି ଦିଅନ୍ତି। ତେବେ ଆମେ ଇଂଲଣ୍ଡ ଗସ୍ତ ଲାଗି କାର୍ଯ୍ୟ ଆରମ୍ଭ କରିବୁ ବୋଲି କ୍ରିକେଟ୍ ଅଷ୍ଟ୍ରେଲିଆ ମୁଖ୍ୟ ବେନ୍ ଓଲିଭର ପ୍ରକାଶ କରିଛନ୍ତି।