ପର୍ଥ: ପର୍ଥ ଟେଷ୍ଟ୍ର ପ୍ରଥମ ଦିନରେ ବଲ୍ ଓ ବ୍ୟାଟ୍ର ମନଲୋଭା ଲଢ଼େଇ ଦେଖିବାକୁ ମିଳିଛି। ଏଠାକାର ଜୀବନ୍ତ ତଥା ଘାସୁଆ ପିଚ୍ରେ ପ୍ରଥମ ଏକ ଘଣ୍ଟା ଖେଳରେ ୱିକେଟ୍ ବର୍ଷା ହେବ ବୋଲି ଆଶା କରାଯାଉଥିଲା। ହେଲେ ସେମିତି କିଛି ହୋଇ ନଥିଲା। ଆଶା ବିପରୀତ ଅଷ୍ଟ୍ରେଲିଆ ଟସ୍ ଜିତି ବ୍ୟାଟିଂ କରିବା ପରେ ପ୍ରଥମ ଅଧିବେଶନର ପୂରା ୨୬ ଓଭର ଖେଳରେ କୌଣସି ୱିକେଟ୍ ହରାଇ ନଥିଲା। ଫଳରେ ଏହି ଅଧିବେଶନର ସବୁ ସମ୍ମାନ ଘରୋଇ ଦଳ ଖାତାକୁ ଯାଇଥିଲା। ପରବର୍ତୀ ଦୁଇ ଅଧିେବସନରେ କିନ୍ତୁ ଭାରତୀୟ ବୋଲର ସଫଳ ପ୍ରତ୍ୟାବର୍ତନ କରିଥିଲେ। ଶୁକ୍ରବାରର ୯୦ ଓଭର ଖେଳରେ ଭାରତୀୟ ବୋଲର ୬ ଜଣ କଙ୍ଗାରୁ ବ୍ୟାଟ୍ସମ୍ୟାନଙ୍କୁ ଶିକାର କରିଥିଲେ। ତେବେ ତିନିଟି ଅର୍ଧଶତକ ବଳରେ ଅଷ୍ଟ୍ରେଲିଆ ୨୭୭ ରନ୍ କରିନେଇ ନିଜ ସ୍ଥିତିକୁ ସୁଦୃଢ଼ କରିଥିଲା। ଅଷ୍ଟ୍ରେଲିଆ ଲାଞ୍ଜ ବେଶ୍ ଶକ୍ତିଶାଳୀ ହୋଇଥିବାରୁ ଶନିବାର ପ୍ରଥମ ଏକଘଣ୍ଟାର ଖେଳ ଏବେ ଉଭୟ ଦଳ ପାଇଁ ଗୁରୁତ୍ବପୂର୍ଣ୍ଣ ହୋଇଯାଇଛି। ଶେଷ ୪ ବ୍ୟାଟ୍ସମ୍ୟାନ୍ ଅଷ୍ଟ୍ରେଲିଆ ସ୍କୋରରେ ଆଉ କେତେ ରନ୍ ଯୋଡ଼ୁଛନ୍ତି, ତା ଉପରେ ମ୍ୟାଚ୍ର ଭାଗ୍ୟ ନିର୍ଭର କରିବାର ଯଥେଷ୍ଟ ସମ୍ଭାବନା ରହିଛି। ଷ୍ଟମ୍ପ୍ସ ଅପସାରଣ ବେଳକୁ କଙ୍ଗାରୁ ଅଧିନାୟକ ଟିମ୍ ପାଇନ୍ ୧୬ ଓ ପ୍ୟାଟ୍ କମିନ୍ସ ୧୧ ରନ୍ କରି ଅପରାଜିତ ରହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଶୁକ୍ରବାର ଭାରତୀୟ ବୋଲରମାନେ ନୂଆ ବଲ୍ରୁ ବିଶେଷ ଫାଇଦା ଉଠାଇ ପାରି ନଥିଲେ। ଫଳରେ ଅଷ୍ଟ୍ରେଲିଆର ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଆରୋନ ଫିଞ୍ଚ (୫୦) ଓ ମାର୍କସ ହାରିସ୍ (୭୦) ଅର୍ଧଶତକ ପୂରଣ କରି ନେଇଥିଲେ। ଉଭୟ ଆଡିଲେଡ୍ ବିଫଳତାରୁ ଶିକ୍ଷା ନେଇ ଶତକୀୟ ଭାଗୀଦାରି କରିଥିଲେ। ଫିଞ୍ଚ୍ଙ୍କୁ ଯଶ୍ପ୍ରୀତ ବୁମରା (୨୨-୮-୪୧-୧) ଆଉଟ୍ କରି ଯୋଡ଼ି ଭାଙ୍ଗିବା ପୂର୍ବରୁ ଅଷ୍ଟ୍ରେଲିଆ ୧୧୨ ରନ୍ କରି ନେଇଥିଲା। ଏହି ଦୁଇ ଜଣଙ୍କ ପରେ ସନ୍ ମାର୍ସ (୪୫) ଓ ଟ୍ରାଭିସ୍ ହେଡ୍ (୫୮) ଦାୟିତ୍ବପୂର୍ଣ୍ଣ ବ୍ୟାଟିଂ କରି ଅଷ୍ଟ୍ରେଲିଆର ସ୍ଥିତି ସୃଦୃଢ଼ କରି ନେଇଥିଲେ। ତେବେ ଭାରତୀୟ ବୋଲର ଦ୍ବିତୀୟ ଅଧିବେଶନରେ ୩୬ ରନ୍ରେ ୪ ଜଣ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନଙ୍କୁ ଆଉଟ୍ କରି ମ୍ୟାଚ୍କୁ ଫେରିଥିଲେ। ମାର୍ସ ଓ ହେଡଙ୍କୁ ମଧ୍ୟ ବିପଜ୍ଜନକ ହେବା ପୂର୍ବରୁ ବିଦା କରି ଦେଇଥିଲେ। ଅବଶ୍ୟ ପ୍ରଥମ ଦିନର ଖେଳ ଶେଷ ବେଳକୁ ଅଷ୍ଟ୍ରେଲିଆ ୬ ୱିକେଟ୍ ହରାଇ ୨୭୭ ରନ୍ କରିନେଇଥିବାରୁ ପ୍ରଥମ ଦିନର ସମ୍ମାନକୁ ଉଭୟ ଦଳ ୬୦:୪୦ ଅନୁପାତରେ ବାଣ୍ଟିଥିଲେ। ଅଷ୍ଟ୍ରେଲିଆ ଆଗରେ ରହିଥିଲା।
ବିନା ସ୍ପିନରରେ ତୃତୀୟ ଥର
ଭାରତ ଶୁକ୍ରବାର ତା’ ଟେଷ୍ଟ୍ ଇତିହାସରେ ତୃତୀୟ ଥର ପାଇଁ କୌଣସି ବିଶେଷଜ୍ଞ ସ୍ପିନରଙ୍କ ବିନା ପଡ଼ିଆକୁ ଓହ୍ଲାଇଥିଲା। ଆହତ ହୋଇ ରବିଚନ୍ଦ୍ରନ୍ ଅଶ୍ବିନ ଦଳରୁ ବାଦ ପଡ଼ିଥିଲେ। ରବୀନ୍ଦ୍ର ଜାଦେଜାଙ୍କ ପରିବର୍ତେ ନବାଗତ ହନୁମା ବିହାରୀଙ୍କୁ ଚୂଡ଼ାନ୍ତ ଦଳରେ ସୁଯୋଗ ମିଳିଥିଲା। ଅଷ୍ଟ୍ରେଲିଆର ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ହାରିସ୍ ଓ ଫିଞ୍ଚ୍ (୫୦) ପ୍ରଥମ ୱିକେଟ୍ରେ ଶତକୀୟ ଭାଗୀଦାରି କରି ଏହି ନିଷ୍ପତ୍ତି ଲାଗି ଭାରତକୁ ପସ୍ତାଇବାକୁ ବାଧ୍ୟ କରିଥିଲେ। ବିଶେଷଜ୍ଞ ସ୍ପିନର ନଥିବାରୁ ଦ୍ରୁତ ବୋଲରଙ୍କୁ ଖେଳିବା ସେମାନଙ୍କୁ ତୁଳନାତ୍ମକ ଭାବେ ସହଜ ହୋଇଥିଲା। ଅଶ୍ବିନ କିମ୍ବା ରବୀନ୍ଦ୍ର ଜାଦେଜାଙ୍କ ଅନୁପସ୍ଥିତି ପାଇଁ ଦ୍ରୁତ ବୋଲର ଈଶାନ୍ତ ଶର୍ମା, ଯଶ୍ପ୍ରୀତ ବୁମରା ଓ ମହମ୍ମଦ ସାମିଙ୍କ ଉପରେ ଅତିରିକ୍ତ ଚାପ ସୃଷ୍ଟି କରିଥିଲା। ଭାରତୀୟ ବୋଲରମାନେ ମଧ୍ୟ ପ୍ରଥମ ଏକ ଘଣ୍ଟାରେ କଙ୍ଗାରୁ ଦଳର କୌଣସି କ୍ଷତି ଘଟାଇ ପାରି ନଥିଲେ। ସେଥିପାଇଁ ମଧ୍ୟାହ୍ନ ଭୋଜନ ବେଳକୁ ଅଷ୍ଟ୍ରେଲିଆ କୌଣସି ୱିକେଟ୍ ହରାଇ ନଥିଲା।
ହାରିସ୍, ହେଡ୍ ଓ ଫିଞ୍ଚ୍ଙ୍କ ଅର୍ଧଶତକ
ମଧ୍ୟାହ୍ନ ଭୋଜନ ପରେ କିନ୍ତୁ ଭାରତୀୟ ବୋଲର ସେମାନଙ୍କ ତାଳ ଓ ଲୟ ପାଇଯାଇଥିଲେ। ୧୧୨ ରନ୍ର ସ୍କୋରରେ ଆରୋନ ଫିଞ୍ଚ୍ଙ୍କୁ ଏଲବିଡବ୍ଲ୍ୟୁ କରି ବୁମ୍ରା ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ଏହା ପୂର୍ବରୁ ଅବଶ୍ୟ ଉଭୟ ଫିଞ୍ଚ୍ ଓ ହାରିସ୍ ନିଜ ନିଜର ଅର୍ଧଶତକ ପୂରଣ କରି ସାରିଥିଲେ। ଖାତା ଖୋଲିବା ଲାଗି ୧୬ ବଲ୍ ନେଇଥିବା ହାରିସ୍ ୯୦ ବଲ୍ରୁ ୯ ଚୌକା ସହାୟତାରେ ଖେଳ ଜୀବନର ପ୍ରଥମ ଏବଂ ଫିଞ୍ଚ୍ ୧୦୩ ବଲ୍ରୁ ଶୃଙ୍ଖଳାର ପ୍ରଥମ ଅର୍ଧଶତକ ପୂରଣ କରିଥିଲେ। ଏହା ପରେ ଉସ୍ମାନ ଖୱାଜା (୫) ଉମେଶ ଯାଦବଙ୍କ ବଲ୍କୁ କଟ୍ କରିବା ପ୍ରୟାସରେ ଋଷବ ପନ୍ତ୍ଙ୍କ ହାତରେ ଧରା ପଡ଼ିଥିଲେ। ଦଳୀୟ ସ୍କୋର ୧୩୪ ବେଳେ ହନୁମା ବିହାରୀଙ୍କ ବଲ୍ରେ ହାରିସ୍ ନିଜ ୱିକେଟ୍ ହରାଇଥିଲେ। ପିଟର ହ୍ୟାଣ୍ଡ୍ସକମ୍ବ (୭)ଙ୍କ ଆଉଟ୍ କିନ୍ତୁ ଶୁକ୍ରବାରର ସବୁଠାରୁ ଚର୍ଚିତ ଅଧ୍ୟାୟ ଥିଲା। ଈଶାନ୍ତ ଶର୍ମାଙ୍କ ବଲରେ ଭାରତୀୟ ଅଧିନାୟକ ବିରାଟ କୋହଲି ଡାଇଭ୍ ମାରି ଗୋଟିଏ ହାତରେ ଚିତ୍ତାକର୍ଷକ କ୍ୟାଚ୍ ନେଇ ହ୍ୟାଣ୍ଡ୍ସକମ୍ବଙ୍କୁ ପ୍ୟାଭିଲିୟନ ଫେରାଇ ଦେଇଥିଲେ। ମଧ୍ୟାହ୍ନ ଭୋଜନ ପରେ କଙ୍ଗାରୁ ଦଳ ମିନି ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୩୬ ରନ୍ରେ ୪ ୱିକେଟ୍ ହରାଇଥିଲା। ଏହା ପରେ ସନ୍ ମାର୍ସ (୪୫) ଏବଂ ଟ୍ରାଭିସ୍ ହେଡ୍ (୫୮) ଅଷ୍ଟ୍ରେଲିଆ ପାଳିକୁ ପୁଣି ଥରେ ସଜାଡ଼ିବା ଆରମ୍ଭ କରିଥିଲେ। ଉଭୟ ଷଷ୍ଠ ୱିକେଟରେ ୮୪ ରନ୍ ଯୋଡ଼ିଥିଲେ। ହେଲେ ଶେଷ ଅଧିବେଶନରେ ଉଭୟ ମାର୍ସ ଓ ହେଡଙ୍କୁ ଆଉଟ୍ କରି ଭାରତ ପୁଣି ଥରେ ମ୍ୟାଚ୍କୁ ଫେରିଥିଲା। ତେବେ ହେଡ୍, ହାରିସ୍ ଓ ଫିଞ୍ଚଙ୍କ ଅର୍ଧଶତକ ପାଇଁ ଅଷ୍ଟ୍ରେଲିଆ ପଲ୍ଲା ଆଶିଂକ ଭାରି ରହିଥିଲା। ଭାରତ ପାଇଁ ଈଶାନ୍ତ ଶର୍ମା ଓ ହନୁମା ବିହାରୀ ଦୁଇଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ। ବୁମରା ଓ ଯାଦବଙ୍କୁ ଗୋଟିଏ ଲେଖାଏଁ ୱିକେଟ୍ ମିଳିଥିଲା।
ବୁମ୍ରାଙ୍କ ପାଇଁ ଥମ୍ପସନ୍ ମନେ ପଡ଼ିଲେ
ପ୍ରଥମ ଦିନ ଖେଳର ପ୍ରଥମ ଅଧିବେସନରେ ଭାରତୀୟ ଦ୍ରୁତ ବୋଲର ଯଶ୍ପ୍ରୀତ ବୁମ୍ରା ଚମକହୀନ ରହିଥିଲେ। ପରବର୍ତୀ ଦୁଇ ଅଧିବେସନରେ କିନ୍ତୁ ପୂରା ଅଗ୍ନିବର୍ଷୀ ବୋଲିଂ କରିଥିଲେ। ଅଷ୍ଟ୍ରେଲିଆ ଅଧିନାୟକ ଟିମ୍ ପାଇନ୍ ଆଜି ବୁମରାଙ୍କ ଶାଣିତ ବୋଲିଂର ଖଟା ସ୍ବାଦ ଚାଖିଥିଲେ। ବିଶେଷ କରି ଅଷ୍ଟ୍ରେଲିଆ ପାଳିର ୮୪ତମ ଓଭରରେ ବୁମରା ପକାଇଥିବା ବଲ୍ ଦୁର୍ଦ୍ଧର୍ଷ ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ଜେଫ୍ ଥମ୍ପସନଙ୍କୁ ମନେ ପକାଇ ଦେଇଥିଲା। ଏହି ଓଭରର ଚତୁର୍ଥ ବଲ୍ ପିଚ୍ରେ ବାଜି ହଠାତ୍ ଉପରକୁ ଉଠିବା ସହ ୱିକେଟ୍ ରକ୍ଷକ ଋଷବ ପନ୍ତଙ୍କ ମୁଣ୍ଡ ଉପର ଦେଇ ସୀମା ରେଖା ଆଗରେ ପଡ଼ିଥିଲା। ଗୁଡ୍ ଲେନ୍ଥରେ ଥିବା ଏହି ବଲ୍ ବିଳମ୍ବରେ ଘୂରିବା ସହ ଏତେ ଗତିରେ ଆସିଥିଲା ଯେ ପାଇନ୍ ଏହାକୁ ଆଦୌ ବୁଝି ପାରି ନଥିଲେ। ପନ୍ତ ମଧ୍ୟ ଅବାକ ହୋଇ ଯାଇଥିଲେ। ଲମ୍ଫ ମାରିବା ସତ୍ତ୍ବେ ସେ ଏହାକୁ ଧରି ପାରି ନଥିଲେ। ବଲ୍ ପ୍ରଥମ ବାଉନ୍ସରେ ହିଁ ସୀମା ରେଖା ବାହାରକୁ ଚାଲି ଯାଇଥିଲା। ଅଷ୍ଟ୍ରେଲିଆ ବାଇରୁ ୪ ରନ୍ ପାଇଥିଲା। ଥମ୍ପସନ୍ ମଧ୍ୟ ଏକଦା ୱାକା ପଡ଼ିଆରେ ପକାଇଥିବା ଏକ ବଲ୍ ଗୋଟିଏ ବାଉନ୍ସରେ ୱିକେଟ୍ ରକ୍ଷକଙ୍କ ମୁଣ୍ଡ ଉପରେ ଯାଇ ସିଧା ସାଇଟ୍-ସ୍କ୍ରିନର ଠିକ୍ ଆଗରେ ପଡ଼ିଥିଲା। କ୍ରିକେଟ୍ ଜଗତର ଅନ୍ୟତମ ମହାନ ଦ୍ରୁତ ବୋଲର ଥମ୍ପସନ୍ ବୁମରାଙ୍କ ବଲ୍କୁ ଦେଖି ସମ୍ଭବତଃ ବହୁତ ଖୁସି ହୋଇଥିବେ। ଏକ ସାକ୍ଷାତକାର ଅବସରରେ ମଧ୍ୟ ବୁମରାଙ୍କୁ ଥମ୍ପସନ୍ ପ୍ରଶଂସା କରି ସାରିଛନ୍ତି। ବୁମରାଙ୍କ ବୋଲିଂ ଦିନକୁ ଦିନ ଶାଣିତ ହୋଇ ଚାଲିଛି ବୋଲି ସେ କହିଥିଲେ।