ତ୍ରିରାଷ୍ଟ୍ରୀୟ ଶୃଙ୍ଖଳା ଫାଇନାଲ୍‌ରେ ଅଷ୍ଟ୍ରେଲିଆ

ମେଲ୍‌ବର୍ନ: ଇଂଲଣ୍ଡକୁ ଲଗାତାର ଦ୍ୱିତୀୟ ମ୍ୟାଚ୍‌ରେ ପରାସ୍ତ କରି ଅଷ୍ଟ୍ରେଲିଆ ଚଳିତ ତ୍ରିରାଷ୍ଟ୍ରୀୟ ଟେ୍ଵଣ୍ଟି-୨୦ ଶୃଙ୍ଖଳାରେ ପ୍ରଥମ ଦଳ ଭାବେ ଫାଇନାଲ୍‌ ପ୍ରବେଶ କରିଛି। ପ୍ରଥମ ଦୁଇଟି ମ୍ୟାଚ୍‌ରେ ଯଥାକ୍ରମେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ୍‌କୁ ପରାସ୍ତ କରିଥିବା ଅଷ୍ଟ୍ରେଲିଆ ଶନିବାର ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ମ୍ୟାଚ୍‌କୁ ୭ ଓ୍ଵିକେଟ୍‌ରେ ଜିତି ନେଇଛି। ଏଥି ସହିତ କ୍ରମାଗତ ତୃତୀୟ ବିଜୟ ସହ ଅପରାଜେୟ ଅଷ୍ଟ୍ରେଲିଆ ନ୍ୟୁଜିଲାଣ୍ଡ୍‌ ବିପକ୍ଷ ଦ୍ୱିତୀୟ ତଥା ଶେଷ ଗ୍ରୁପ୍‌ ମ୍ୟାଚ୍‌ ପୂର୍ବରୁ ଫାଇନାଲ୍‌ ସ୍ଥାନ ପକ୍କା କରିନେଇଛି। ଅଷ୍ଟ୍ରେଲିଆ ୩ ମ୍ୟାଚ୍‌ରୁ ୩ ବିଜୟ ସହ ୬ ପଏଣ୍ଟ୍‌ ପାଇ ତାଲିକାର ଶୀର୍ଷରେ ରହିଛି। ଶନିବାର ଟସ୍‌ ହାରି ବ୍ୟାଟିଂ ପାଇଥିବା ଇଂଲଣ୍ଡ ୭ ଓ୍ଵିକେଟ୍‌ ବିନିମୟରେ ୧୩୭ ରନ୍‌ କରିଥିଲା। ଇଓ୍ଵନ୍‌ ମୋର୍ଗାନ୍‌ ଆହତ ଥିବାରୁ ତାଙ୍କ ସ୍ଥାନରେ ନେତୃତ୍ୱ ନେଇଥିବା ଜୋସ୍‌ ବଟ୍ଟଲର୍‌ ୪୬, ସାମ୍‌ ବିଲିଙ୍ଗ୍‌ସ ୨୯, ଜେମ୍‌ସ ଭିନ୍‌ସେ ୨୧ ରନ୍‌ କରିଥିଲା ବେଳେ ଅଷ୍ଟ୍ରେଲିଆର ସଫଳ ବୋଲର ଭାବେ କେନ୍‌ ରିଚାର୍ଡସନ୍‌ ୩, ଷ୍ଟାନ୍‌ଲେକ୍‌ ୨ ଓ୍ଵିକେଟ୍‌ ନେଇଥିଲେ। ଜବାବରେ ପ୍ରଥମ ଓଭରରେ ଅଧିନାୟକ ଡେଭିଡ୍‌ ଓ୍ଵାର୍ନର (୨)ଙ୍କୁ ହରାଇବା ସତ୍ତ୍ୱେ ସର୍ଟ (୩୬* ରନ୍‌, ୩୩ ବଲ୍‌, ୩ ଚୌକା, ୧ ଛକା), କ୍ରିସ୍‌ ଲିନ୍‌ (୩୧ ରନ୍‌, ୧୯ ବଲ୍‌, ୪ ଚୌକା, ୨ ଛକା), ଗ୍ଲେନ୍‌ ମ୍ୟାକ୍ସେଓ୍ଵଲ୍‌ (୩୯ ରନ୍‌, ୨୬ ବଲ୍‌, ୩ ଚୌକା, ୨ ଛକା) ଏବଂ ଆରୋନ୍‌ ଫିଞ୍ଚ୍‌ (୨୦* ରନ୍‌, ୫ ବଲ୍‌, ୨ ଚୌକା, ୨ ଛକା)ଙ୍କ ବିସ୍ଫୋରକ ପାଳି ବଳରେ ଅଷ୍ଟ୍ରେଲିଆ ୩ ଓ୍ଵିକେଟ୍‌ ବିନିମୟରେ ୩୩ ବଲ୍‌ ପୂର୍ବରୁ ବିଜୟ ଲକ୍ଷ୍ୟରେ ପହଞ୍ଚି ଯାଇଥିଲା। କେନ୍‌ ରିଚାର୍ଡସନ୍‌ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ସମ୍ବନ୍ଧିତ ଖବର