ମହିଳା ଟି-୨୦ ବିଶ୍ବକପ୍ : ଭାରତକୁ ୫ ରନରେ ହରାଇ ଫାଇନାଲରେ ଅଷ୍ଟ୍ରେଲିଆ

କେପଟାଉନ: ଦକ୍ଷିଣ ଆଫ୍ରିକାର କେପଟାଉନରେ ଖେଳାଯାଇଥିବା ମହିଳା ଟି-୨୦ ବିଶ୍ବକପ୍ ସେମିଫାଇନାଲରେ ପରାଜିତ ହୋଇଛି ଭାରତ । ଏହା ସହିତ ଭାରତର ବିଶ୍ବକପ ବିଜୟ ଅଭିଯାନ ଶେଷ ହୋଇଯାଇଛି । ଭାରତକୁ ୫ ରନରେ ପରାସ୍ତ କରି ଅଷ୍ଟ୍ରେଲିଆ ଫାଇନାଲରେ ପ୍ରବେଶ କରିଛି ।

ଏହି ମ୍ୟାଚରେ ବିଜୟ ପାଇଁ ଭାରତ ଆଗରେ ୧୭୩ ରନର ଲକ୍ଷ୍ୟ ଥିବାବେଳେ ଭାରତ ୨୦ ଓଭରରେ ୮ ଓ୍ବିକେଟ ହରାଇ ୧୬୭ ରନ ହିଁ କରିପାରିଥିଲା । ଭାରତର ପ୍ରାରମ୍ଭିକ ୩ ଜଣ ବ୍ୟାଟ୍ସର ସହଳ ଆଉଟ ହୋଇ ଫେରିବା ଫଳରେ ଆରମ୍ଭରୁ ହିଁ ଭାରତୀୟ ଦଳକୁ ଝଟକା ଲାଗିଥିଲା । ତେବେ ଅଧିନାୟିକା ହରମନପ୍ରିତ କୌର ସର୍ବାଧିକ ୫୨ ରନ କରିଥିବାବେଳେ ଜେମିମା ରୋଡ୍ରଗସ ୪୩ରନ କରିଥିଲେ । ଉଭୟ ଲଢୁଆ ବ୍ୟାଟିଂ କରି ଦଳର ଆଶାକୁ ବଞ୍ଚାଇରଖିଥିଲେ । ତେବେ କୌର ରନଆଉଟ ହେବା ପରେ ପୁଣି ଦଳ ପାଇଁ ବିପଦ ମାଡ଼ିଆସିଥିଲା ।

ଏହା ପୂର୍ବରୁ ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା ବର୍ତ୍ତମାନର ଚାମ୍ପିଅନ ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୨୦ ଓଭରରେ ୪ ଓ୍ବିକେଟ ହରାଇ ୧୭୨ ରନ କରିଥିଲା । ଅଷ୍ଟ୍ରେଲିଆ ପକ୍ଷରୁ ଏହି ଗୁରୁତ୍ୱପୂର୍ଣ୍ଣ ସେମିଫାଇନାଲ ମ୍ୟାଚରେ ଓପନର ବେଥ୍ ମୁନି ୩୭ ବଲ୍ ରୁ ୫୪ ରନ୍ କରିଥିଲେ। ସେହିପରି ଅଧିନାୟକ ମେଗ୍ ଲାନିଂ ୩୪ ବଲରେ ୪ ଚୌକା ଓ ୨ ଛକା ସାହାଯ୍ୟରେ ଅପରାଜିତ ୪୯ ରନ୍ କରିଥିଲେ ।  ସେହିପରି ଆଲିସା ହିଲି ୨୫ ରନ ଓ ଆସଲେ ଗାଡନର ୩୧ ରନ କରିଥିଲେ ।

 

 

ସମ୍ବନ୍ଧିତ ଖବର