ଆଡିଲେଡ୍: ଗୁରୁବାରଠାରୁ ଖେଳାଯିବାକୁ ଥିବା ଭାରତ-ଅଷ୍ଟ୍ରେଲିଆ ଦିବାରାତ୍ର (ପିଙ୍କ୍ ବଲ୍) ଟେଷ୍ଟ୍ ମ୍ୟାଚ୍ ଉପରେ ଏବେଠାରୁ କ୍ରିକେଟ୍ପ୍ରେମୀ ନଜର ପକାଇଲେଣି। ଉଭୟ ଦଳ ଆହତ ସମସ୍ୟା ଓ ଖେଳାଳି ଚୟନ ଦ୍ବନ୍ଦ୍ବ ଭିତରେ ରହିଥିଲେ ମଧ୍ୟ ଅଷ୍ଟ୍ରେଲିଆ ଗତଥରର ପ୍ରତିଶୋଧ ଲକ୍ଷ୍ୟରେ ରହିଛି। ଗତ ୨୦୧୮-୧୯ ଅଷ୍ଟ୍ରେଲିଆ ଗସ୍ତରେ ଭାରତ ୨-୧ରେ ବିଜୟୀ ହୋଇଥିଲା। ସେଥର କିନ୍ତୁ ବଲ୍ ବିକୃତ ନିଲମ୍ବନ ପାଇଁ ଡେଭିଡ୍ ୱାର୍ନର ଏବଂ ଷ୍ଟିଭେନ୍ ସ୍ମିଥ୍ ଦଳରେ ନଥିଲେ। ଏବେ ପ୍ରଥମ ଥର ପାଇଁ ଭାରତ ବିପକ୍ଷରେ ପିଙ୍କ୍ ବଲ୍ ଟେଷ୍ଟ୍ ଖେଳିବାକୁ ଯାଉଛି ଅଷ୍ଟ୍ରେଲିଆ। ସ୍ମିଥ୍ ମଧ୍ୟ ଭଲ ଫର୍ମରେ ରହିଛନ୍ତି। ୱାର୍ନର ଆହତ କାରଣରୁ ପ୍ରଥମ ଟେଷ୍ଟରୁ ବାଦ୍ ପଡ଼ିଛନ୍ତି। ଭାରତ ବିପକ୍ଷ ମୁକାବିଲାକୁ ‘ବଡ଼ ପ୍ରତିଦ୍ବନ୍ଦ୍ବୀ’ କହିଛନ୍ତି ଅଷ୍ଟ୍ରେଲିଆ ପ୍ରଶିକ୍ଷକ ଜଷ୍ଟିନ୍ ଲାଙ୍ଗର। ହୃତ ଗୌରବକୁ ଫେରାଇ ଆଣିବାକୁ ଲାଙ୍ଗର୍ ‘ଲେଉଟାଇ ଆଣ’ ଆହ୍ବାନ ଦେଇଛନ୍ତି। ଏବେ ଆମେ ବରିଷ୍ଠ ଦଳ ହୋଇଗଲେଣି, ସଡ଼କରେ ସୋ’ ଦେଖାଇବାକୁ ଆଉ ଅପେକ୍ଷା କରିହେବନି ବୋଲି ସେ ପ୍ରକାଶ କରିଛନ୍ତି। ଗତ ଶୃଙ୍ଖଳା ହାରିଥିଲେ ମଧ୍ୟ ଅଷ୍ଟ୍ରେଲିଆ ଆଗାମୀ ୪ ମ୍ୟାଚ୍ ଶୃଙ୍ଖଳା ଆରମ୍ଭ ପୂର୍ବରୁ ସୁବିଧାଜନକ ସ୍ଥିତିରେ ରହିଛି। ବର୍ଡର-ଗାଭାସ୍କର ଟ୍ରଫି ଜିତି ଆଇସିସି ଟେଷ୍ଟ୍ ଚାମ୍ପିଅନସିପ୍ ପଏଣ୍ଟ ଟେବୁଲ୍ରେ ଘରୋଇ ଦଳ ନିଜ ସ୍ଥିତି ଦୃଢ଼ କରିନେବ ବୋଲି ଯୋଜନା କରିଛି।
ଅଷ୍ଟ୍ରେଲିଆ ୭, ଭାରତ ୧
ଦିବାରାତ୍ର ଟେଷ୍ଟ୍ ତଥା ପିଙ୍କ୍ ବଲ୍ ଅଭିଜ୍ଞତାରେ ଭାରତ ଢେର ପଛରେ। ଅଷ୍ଟ୍ରେଲିଆ ମୋଟ ୭ଟି ଖେଳି ସାରିଥିବା ବେଳେ ଭାରତ ଗୋଟିଏ ଖେଳିଛି। ପିଙ୍କ୍ ବଲ୍ରେ ଖେଳିବାକୁ ଭାରତ ଅରାଜି ରହୁଥିବାରୁ ଏଡ଼ାଇ ଚାଲିଥିଲା। ଗତବର୍ଷ ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି ବିସିସିଆଇ ସଭାପତି ହେବା ପରେ ବିରାଟ କୋହଲିଙ୍କ ଦଳ ବାଂଲାଦେଶ ବିପକ୍ଷରେ ଇଡେନ୍ ଗାର୍ଡେନ୍ସରେ ଏକମାତ୍ର ଦିବାରାତ୍ର ଟେଷ୍ଟ୍ ଖେଳିଥିଲା। ଅଢ଼େଇ ଦିନରେ ମଧ୍ୟ ଭାରତ ବିଜୟୀ ହୋଇଥିଲା। ଏବେ ପିଙ୍କ୍ ବଲ୍ ଅଭ୍ୟାସ ମ୍ୟାଚ୍ରେ ଭାରତ ଭଲ କରିଥିବାରୁ ଆଡିଲେଡ୍ରେ ଏହି ଅଭିଜ୍ଞତାକୁ ଉପଯୋଗ କରିବ ବୋଲି ଆଶା ରଖିଛି। ପୂର୍ବରୁ ପିଙ୍କ୍ ବଲ୍ ଟେଷ୍ଟ୍ ଖେଳିଛୁ, ଆମେ ଅଭ୍ୟସ୍ତ ବି ଅଛୁ। ତେଣୁ କରି ପେସାଦାର ଆଚରଣ ଦେଖାଇ ପରିସ୍ଥିତି ସହ ଖାପ ଖୁଆଇ ଖେଳିପାରିବୁ’ ବୋଲି କହିଛନ୍ତି ଟେଷ୍ଟ୍ ସ୍ପେଶାଲିଷ୍ଟ୍ ବ୍ୟାଟ୍ସମ୍ୟାନ୍ ଚେତେଶ୍ବର ପୂଜାରା। ଟ୍ବିଲାଇଟ୍ ସମୟ ଆସିଲେ ବଲ୍ର ଗତି ଭିନ୍ନ ରହିବ। ଏଥିପାଇଁ ଆମେ ପ୍ରସ୍ତୁତ ବୋଲି କହିଛନ୍ତି ଅନ୍ୟତମ ଟେଷ୍ଟ୍ ସ୍ପେଶାଲିଷ୍ଟ୍ ହନୁମା ବିହାରୀ।
ଆହତ ଚିନ୍ତା
ଉଭୟ ଦଳକୁ ଆହତ ସମସ୍ୟା ଚିନ୍ତାରେ ପକାଇଛି। ଅଷ୍ଟ୍ରେଲିଆ ଦଳ ଡେଭିଡ୍ ୱାର୍ନରଙ୍କ ବିନା ଆଡିଲେଡ୍ରେ ଖେଳିବ। ତାଙ୍କ ବଦଳରେ ଖେଳିବାକୁ ଥିବା ୱିଲ୍ ପୁକୋସ୍କି ମସ୍ତିଷ୍କାଘାତ ସମସ୍ୟାରେ ପଡ଼ିବାରୁ ମଧ୍ୟ ବାଦ୍ ପଡ଼ିଛନ୍ତି। ମାର୍କସ ହାରିସଙ୍କୁ ଡକରା ମିଳିଛି। ଜୋ ବର୍ନସ ଫର୍ମରେ ନଥିବାରୁ ମାଥ୍ୟୁ ୱାଦେ ତାଙ୍କ ବିକଳ୍ପ ରହିବେ। ଆମକୁ କଠୋର ନିଷ୍ପତ୍ତି ନେବାକୁ ପଡ଼ିଛି, କଠୋର ନିଷ୍ପତ୍ତି ବି ଭଲ, କାରଣ ଏହା ପ୍ରତିଦ୍ବନ୍ଦ୍ବିତା ସ୍ତରକୁ ପ୍ରତିଫଳିତ କରିଥାଏ। ଭାରତୀୟ ଦଳ ରବୀନ୍ଦ୍ର ଜାଦେଜାଙ୍କୁ ମସ୍ତିଷ୍କାଘାତ କାରଣରୁ ପ୍ରଥମ ଟେଷ୍ଟ୍ରେ ଖେଳାଇପାରିବ ନାହିଁ। ରୋହିତ ଶର୍ମା ଏବଂ ଈଶାନ୍ତ ଶର୍ମା ମଧ୍ୟ ବଞ୍ଚିତ ରହିବେ। ଈଶାନ୍ତ ଶର୍ମାଙ୍କ ସେବାରୁ ବଞ୍ଚିତ ହେବାକୁ ଥିଲେ ମଧ୍ୟ ସଚିନ ତେନ୍ଦୁଲକର ଭାରତର ବୋଲିଂ ବାହିନୀକୁ ‘ସମ୍ପୂର୍ଣ୍ଣ’ ଆଖ୍ୟା ଦେଇଛନ୍ତି।
ରାହାଣେଙ୍କ ସେହି ‘୪୦-୫୦ ମିନିଟ୍’
ପ୍ରଥମ ଟେଷ୍ଟ୍ ପରେ ବିରାଟ କୋହଲି ନିଜ ପ୍ରଥମ ସନ୍ତାନ ପାଇଁ ପିତୃତ୍ବ ଅବକାଶରେ ଯିବେ। ଏହି କାରଣରୁ ଅଜିଙ୍କ୍ୟ ରାହାଣେ ଅବଶିଷ୍ଟ ୩ ଟେଷ୍ଟ୍ରେ ଦଳର ନେତୃତ୍ବ ନେବେ। ଦଳର ପ୍ରାରମ୍ଭିକ ଯୋଡି ପୃଥ୍ବୀ ସ’ ଏବଂ ମୟଙ୍କ ଅଗ୍ରୱାଲଙ୍କୁ ନେଇ ସଂଶୟ ରହିଛି। ପୃଥ୍ବୀ’ଙ୍କ ସଂଘର୍ଷ କାରଣରୁ ଲୟରେ ଥିବା ଶୁବମନ ଗିଲ୍ ଦଳ ପାଇଁ ଭଲ ଚିନ୍ତା ବଢ଼ାଇଛନ୍ତି। ଭାରତୀୟ ବୋଲିଂ ବାହିନୀ ଉପରେ କିନ୍ତୁ ରାହାଣେ ସମ୍ପୂର୍ଣ୍ଣ ଆସ୍ଥା ପ୍ରକଟ କରିଛନ୍ତି। ମହମ୍ମଦ ସାମି, ଯଶପ୍ରୀତ୍ ବୁମରା, ଉମେଶ ଯାଦବ ପେସ୍ ଆକ୍ରମଣ ଏବଂ ରବି ଅଶ୍ବିନ୍/କୁଲଦୀପ ଯାଦବ ସ୍ପିନ୍ ଭାର ସମ୍ଭାଳିବା ଦୌଡ଼ରେ ରହିଛନ୍ତି। କିନ୍ତୁ ଆଡିଲେଡ୍ରେ ପିଙ୍କ୍ ବଲ୍ ଟେଷ୍ଟ୍ ବେଳେ ଏକାଗ୍ରତା ବଡ଼ ଭୂମିକା ତୁଲାଇବ ବୋଲି ଅଜିଙ୍କ୍ୟ ରାହାଣେ କହିଛନ୍ତି। ଅଧିନାୟକ ବିରାଟ କୋହଲି ବହୁବାର ଏହି କଥା କହି ଆସିଛନ୍ତି। ପ୍ରତିଟି ସେସନ୍ରେ ଏକାଗ୍ର ରହି ପ୍ରତିପକ୍ଷକୁ ଚାପ ପକାଇବାର ସୁଯୋଗ ନ ଦେବାକୁ ଯୋଜନା କରିଛି ଭାରତୀୟ ଶିବିର। କାରଣ ଗୋଟିଏ ସେସନ୍ର ଢିଲା ଭାରତକୁ ଏକାଧିକ ଥର ଭଲ ସ୍ଥିତିରୁ ପରାଜୟ ମୁହାଁ କରିଥିବାର ନଜର ରହିଛି। ଏହାର ଦୁଇଟି ସ୍ପଷ୍ଟ ଉଦାହରଣ ହେଉଛି ୨୦୧୩-୧୪ ଡର୍ବାନ୍ ଟେଷ୍ଟ୍ ଏବଂ ୨୦୧୪-୧୫ ବ୍ରିସବନ୍ ଟେଷ୍ଟ୍। ଡର୍ବାନରେ ଭାରତ ୧୯୮/୧ରୁ ୧୯୯/୪ରେ ପହଞ୍ଚି ୩୩୪ ରନ୍ରେ ପାଳି ଶେଷ କରିଥିଲା। ରିଭର୍ସ ସୁଇଙ୍ଗ ଆଗରେ ହାର୍ ମାନି ନେଇଥିଲା। ବ୍ରିସବନ୍ରେ ଭାରତ ପ୍ରଥମ ପାଳିରେ ୪୦୦ରୁ ଊର୍ଧ୍ବ ସ୍କୋର୍ କରିଥିଲା। ଦ୍ବିତୀୟ ପାଳିରେ ଭଲ ଆରମ୍ଭ କରିଥିବାରୁ ମ୍ୟାଚ୍ ବଞ୍ଚାଇବା ସ୍ଥିତିରେ ପହଞ୍ଚିଯାଇଥିଲା। ହେଲେ ନେଟ୍ସରେ ଘଟିଥିବା ଏକ ଆହତ ସମସ୍ୟା କିନ୍ତୁ ଚତୁର୍ଥ ଦିନ ସକାଳେ ଭାରତକୁ ପରାଜୟ ଆଡକୁ ଟାଣି ନେଇଥିଲା। ଏହାପରଠାରୁ ବାସ୍ତବରେ ଭାରତ ଆଉ କୌଣସି ଗୋଟିଏ ବି ସେସନ୍ ସମ୍ପୂର୍ଣ୍ଣ ଖରାପ ଖେଳିନାହିଁ। ଉପ ଅଧିନାୟକ ଅଜିଙ୍କ୍ୟ ରାହାଣେ କିନ୍ତୁ ଆଡିଲେଡ୍ର ପିଙ୍କ୍ ବଲ୍ ଟେଷ୍ଟ୍ ଲାଗି ଏକାଗ୍ରତା ଓ ଧୈର୍ଯ୍ୟ ଉପରେ ଗୁରୁ୍ତ୍ବ ଦେଇଛନ୍ତି। ବିଶେଷ କରି ଟ୍ବିଲାଇଟ୍ ଆସିବା ପରବର୍ତୀ ୪୦-୫୦ ମିନିଟ୍ରେ ବଲ୍ର ଗତି ବଦଳୁଥିବାରୁ ସତର୍କ ରହି ଆହ୍ବାନକୁ ସମ୍ମୁଖୀନ ହେବାକୁ ରାହାଣେ ପରାମର୍ଶ ଦେଇଛନ୍ତି। ଏହି ସମୟରେ ଏକାଗ୍ରତା ରଖିଲେ ବ୍ୟାଟିଂ ପୂର୍ବ ଭଳି ସହଜ ହୋଇଯିବ ବୋଲି ସେ ପ୍ରକାଶ କରିଛନ୍ତି। ଈଶାନ୍ତ ଶର୍ମାଙ୍କୁ ମିସ୍ କରିବୁ ବୋଲି ମଧ୍ୟ ରାହାଣେ ପ୍ରକାଶ କରିଛନ୍ତି।
କୋହଲିଙ୍କୁ ଲାଙ୍ଗରଙ୍କ ଚେତାବନୀ
ଭାରତୀୟ ଦଳ ଅଧିନାୟକ ବିରାଟ କୋହଲିଙ୍କ ପାଇଁ ଅଷ୍ଟ୍ରେଲିଆ ନିଜ ସ୍ବତନ୍ତ୍ର ଯୋଜନା କରିଛି ବୋଲି କହିଛନ୍ତି ଦଳର ମୁଖ୍ୟ ପ୍ରଶିକ୍ଷକ ଜଷ୍ଟିନ୍ ଲାଙ୍ଗର୍। ନିଜ ପ୍ରଥମ ସନ୍ତାନ ଜନ୍ମ ନେଇ କୋହଲି ଛୁଟିରେ ଯିବା ପୂର୍ବରୁ ସେ ଖେଳୁଥିବା ଏକମାତ୍ର ଟେଷ୍ଟରେ ତାଙ୍କୁ ରୋକିବାକୁ ଖସଡା ପ୍ରସ୍ତୁତ କରୁଛି ଅଷ୍ଟ୍ରେଲିଆ। ‘ସେ ଜଣେ ମହାନ ଖେଳାଳି ଏବଂ ଅଧିନାୟକ। ତାଙ୍କ ପ୍ରତି ମୋର ଢେର ସମ୍ମାନ ରହିଛି। ବ୍ୟାଟ୍ସମ୍ୟାନ୍ ଭାବେ ତାଙ୍କ ଉପସ୍ଥିତି ଗୁରୁତ୍ବପୂର୍ଣ୍ଣ ଥିବାରୁ ଆମେ ସେଥିପାଇଁ ଯୋଜନା କରିଛୁ। ଯୋଜନାକୁ କାର୍ଯ୍ୟକାରୀ କରିବା ଆମ ପରବର୍ତୀ ଲକ୍ଷ୍ୟ। ତାଙ୍କୁ କିଭଳି ଆଉଟ୍ କରି ହେବ ସେ ନେଇ ଆଲୋଚନା କରିଛୁ। ତାଙ୍କୁ ଚିଡ଼ାଇବା ପରିବର୍ତେ କିଭଳି ଆଉଟ୍ କରିବୁ ସେ ଚିନ୍ତା କରିଛୁ। ସ୍ଲେଜିଂ ଯୋଜନାକୁ ଖଣ୍ଡନ କରି ଲାଙ୍ଗର୍ କହିଥିଲେ, ‘ଆମେ ଆମ ଦକ୍ଷତା ଅନୁସାରେ ଖେଳିଥାଉ, କୌଣସି ଭାବାବେଗରେ ନୁହେଁ। ଅନ୍ୟୁନ ଏହା କରିବାକୁ ଚେଷ୍ଟା କରିଥାଉ’। ଖେଳାଳିମାନଙ୍କ ମନରେ ୨୦୧୮-୧୯ ପରାଜୟର ପ୍ରତିଶୋଧ ଲକ୍ଷ୍ୟ ରହିଛି ବୋଲି ମଧ୍ୟ ସେ ସ୍ବୀକାର କରିଥିଲେ। ଆଇପିଏଲ୍ ପାଇଁ କିନ୍ତୁ ଖେଳାଳିମାନଙ୍କ ମଧ୍ୟରେ ବଂଧୁତା ଓ କ୍ରୀଡ଼ାବିତ୍ ଭାବନା ବଢ଼ିଥିବା ଲାଙ୍ଗର୍ ପ୍ରକାଶ କରିଥିଲେ।