ବିଜୟ ଦ୍ୱାରରେ ଅଷ୍ଟ୍ରେଲିଆ 

ବ୍ରିସ୍‌ବେନ୍‌: ପ୍ରଥମ ଆସେସ୍‌ ଟେଷ୍ଟ୍‍ରେ ଅଷ୍ଟ୍ରେଲିଆ ବିଜୟ ଦ୍ୱାରରେ ପହଞ୍ଚିଯାଇଛି। ୧୭୦ ରନ୍‌କୁ ପିଛା କରୁଥିବା ଷ୍ଟିଭେନ୍‌ ସ୍ମିଥ୍‌ଙ୍କ ଦଳ ଚତୁର୍ଥ ଦିନ ଶେଷ ସୁଦ୍ଧା ବିନା କ୍ଷତିରେ ୧୧୪ ରନ୍‌ ସଂଗ୍ରହ କରି ନେଇଛି। ୧-୦ରେ ଆଗୁଆ ହେବାକୁ ଘରୋଇ ଦଳ ମାତ୍ର ୫୬ ରନ୍‌ ଦୂରରେ ରହିଛି।

ଗାବାରେ ରବିବାର ଇଂଲଣ୍ଡ ଦ୍ୱିତୀୟ ପାଳିକୁ ୩୩/୨ରୁ ଆରମ୍ଭ କରିଥିଲା। ସ୍ପିନର୍‌ ନାଥନ୍‌ ଲିଅନ୍‌ ଷ୍ଟୋନ୍‌ମ୍ୟାନ୍‌ (୨୭) ଏବଂ ମଲନ୍‌ (୪)ଙ୍କୁ ଲଗାତାର ଭାବେ ଆଉଟ୍‌ କରିଦେବା ପରେ ଅଧିନାୟକ ଜୋ ରୁଟ୍‌ (୫୧, ୧୦୪ ବଲ୍‌, ୪ ଚୌକା)ଙ୍କୁ ହାଜେଲ୍‌ଉଡ୍‌ ଏଲ୍‌ବିଡବ୍‌ଲ୍ୟୁ କରି ଦେଇଥିଲେ। ଏହା ପରେ ମିଚେଲ ଷ୍ଟାର୍କ ଲଗାତାର ଭାବେ ୩ ଓ୍ଵିକେଟ୍‌ ବାହାର କରି ଇଂଲଣ୍ଡ ପାଳିକୁ ବିପର୍ଯ୍ୟସ୍ତ କରି ଦେଇଥିଲେ। ମୋଇନ୍‌ ଅଲୀ (୪୦) ଏବଂ ଜନି ବେୟାରଷ୍ଟୋ (୪୨)ଙ୍କ ବାଦ୍‌ ଆଉ କେହି ତିଷ୍ଠି ନ ଥିଲେ। ଇଂଲଣ୍ଡ ଦ୍ୱିତୀୟ ପାଳି ୧୯୫ ରନରେ ସୀମିତ ହୋଇଯାଇଥିଲା। ଷ୍ଟାର୍କ-ହାଜେଲଉଡ୍‌-ଲିଅନ୍‌ ପ୍ରତ୍ୟେକ ୩ ଲେଖାଏଁ ଓ୍ଵିକେଟ୍‌ ନେଇଥିବାବେଳେ ଶେଷ ଖେଳାଳି ଜ୍ୟାକ୍‌ ବଲ୍‌ଙ୍କୁ ପ୍ୟାଟ୍‌ କମିନ୍‌ସ ଆଉଟ୍‌ କରିଥିଲେ।

୧୭୦ ରନକୁ ପିଛା କରିଥିବା ଅଷ୍ଟ୍ରେଲିଆର ପ୍ରାରମ୍ଭିକ ଯୋଡ଼ି କାମେରନ୍‌ ବନ୍‌କ୍ରଫ୍ଟ (୫୧*, ୧୧୯ ବଲ୍‌, ୫ ଚୌକା, ୧ ଛକା) ଏବଂ ଡେଭିଡ୍‌ ଓ୍ଵାର୍ନର (୬୦*, ୮୬ ବଲ୍‌, ୮ ଚୌକା) ଶତକୀୟ ଭାଗୀଦାରି ସହିତ ମ୍ୟାଚ୍‌କୁ ସହଜ କରି ଦେଇଛନ୍ତି। ପଦାର୍ପଣ କରିଥିବା ବନକ୍ରଫ୍ଟ ପ୍ରଥମ ପାଳିରେ ୫ ରନ୍‌ କରିଥିଲେ ମଧ୍ୟ ଅର୍ଧଶତକ ସହିତ ଏହାକୁ ପଛରେ ପକାଇ ଦେଇଛନ୍ତି।
ସଂକ୍ଷିପ୍ତ ସ୍କୋର: ଇଂଲଣ୍ଡ ପ୍ରଥମ ପାଳି: ୩୦୨ (ଭିନ୍‌ସ-୮୩, ଷ୍ଟାର୍କ-୩/୭୭, କମିନ୍‌ସ-୩/୮୫)। ଅଷ୍ଟ୍ରେଲିଆ ପ୍ରଥମ ପାଳି: ୩୨୮ (ଷ୍ଟିଭେନ୍‌ ସ୍ମିଥ୍‌-୧୪୧*, ଷ୍ଟୁଆର୍ଟ ବ୍ରଡ୍‌-୩/୪୯)। ଇଂଲଣ୍ଡ ଦ୍ୱିତୀୟ ପାଳି: ୧୯୫ (ଜୋ ରୁଟ୍‌-୫୧, ବେୟାରଷ୍ଟୋ-୪୨, ମୋଇନ୍‌ ଅଲୀ-୪୦, ଜୋସ୍‌ ହାଜେଲ୍‌ଉଡ୍‌-୩/୪୬, ମିଚେଲ୍‌ ଷ୍ଟାର୍କ-୩/୫୧, ନାଥନ୍‌ ଲିଅନ୍‌-୩/୬୭, ପ୍ୟାଟ୍‌ କମିନ୍‌ସ-୧/୨୩)। ଅଷ୍ଟ୍ରେଲିଆ ଦ୍ୱିତୀୟ ପାଳି: ୩୪ ଓଭରରେ ୧୧୪/୦ (କାମେରନ୍‌ ବନ୍‌କ୍ରଫ୍ଟ-୫୧*, ଡେଭିଡ୍‌ ଓ୍ଵାର୍ନର-୬୦*)।

ବନ୍‌କ୍ରଫ୍ଟଙ୍କୁ ମୁଣ୍ଡଭୂଷା ମାରି ବିବାଦରେ ବେୟାରଷ୍ଟୋ

ବ୍ରିସ୍‌ବେନ୍‌: ଗାବା ଟେଷ୍ଟ୍‍ରେ ଇଂଲଣ୍ଡ ପରାଜୟ ଦ୍ୱାରରେ ପହଞ୍ଚିଯାଇଛି। ଓ୍ଵିକେଟ୍‌ରକ୍ଷକ ଜନି ବେୟାରଷ୍ଟୋଙ୍କୁ ନେଇ ଇଂଲିସ୍‌ ଦଳର ଚିନ୍ତା ମଧ୍ୟ ବଢ଼ିଯାଇଛି। କିନ୍ତୁ ତାଙ୍କ ପଡ଼ିଆ ଭିତର ପ୍ରଦର୍ଶନକୁ ନେଇ ନୁହେଁ, ବାହ୍ୟ ଆଚରଣକୁ ନେଇ। ଗାବାରେ ପଦାର୍ପଣ କରିଥିବା କାମେରନ୍‌ ବନ୍‌କ୍ରଫ୍ଟଙ୍କୁ ମୁଣ୍ଡଭୂଷା ମାରିଥିବାରୁ ବେୟାରଷ୍ଟୋ ଏବେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନର ଶିକାର ହେବାକୁ ଯାଉଛନ୍ତି। ଘଟଣାଟି କିନ୍ତୁ ମାସକ ତଳର। ଆସେସ ଶୃଙ୍ଖଳା ଆରମ୍ଭ ପୂର୍ବରୁ ପର୍ଥର ଆଭେନ୍ୟୁ ବାର୍‌ରେ ଏହା ଘଟିଥିଲା। ସେତେବେଳେ ବନ୍‌କ୍ରଫ୍ଟ୍‌ ଅଷ୍ଟ୍ରେଲିଆ ଦଳର ସଦସ୍ୟ ମଧ୍ୟ ନଥିଲେ। କିନ୍ତୁ ଉଭୟଙ୍କ ମଧ୍ୟରେ ଶାରୀରିକ ସଂଘର୍ଷ ହେବାରୁ ବେୟାରଷ୍ଟୋ ତାଙ୍କୁ ମୁଣ୍ଡଭୂଷା ମାରିଥିବାର ଅଭିଯୋଗ ହୋଇଛି। ସେତେବେଳେ କୌଣସି ଅଭିଯୋଗ ହୋଇନଥିଲା। ଏ ପର୍ଯ୍ୟନ୍ତ କୌଣସି ପୁଲିସ୍‌ ତଦନ୍ତ ହୋଇନାହିଁ। କିନ୍ତୁ ଇଂଲଣ୍ଡ ଶିବିର ବ୍ରିସ୍‌ବେନ୍‌ ଟେଷ୍ଟ୍‍ ପରେ ଖେଳାଳି ଓ ଦଳୀୟ ଅଧିକାରୀଙ୍କ ସହ ଆଲୋଚନା ପରେ କିଛି ନିଷ୍ପତ୍ତି ନିଆଯିବ ବୋଲି ଇସିବି କହିଛି। କିନ୍ତୁ ବ୍ରିଷ୍ଟଲ୍‌ ଗଣ୍ଡଗୋଳ ଘଟଣାରେ ବେନ ଷ୍ଟୋକ୍‌ସ ଗିରଫ ହୋଇଥିବାବେଳେ ବେୟାରଷ୍ଟୋ ଦଣ୍ଡିତ ହୋଇଥିଲେ। ଏବେ ଅଣପେସାଦାର ଆଚରଣ ପାଇଁ ବେୟାରଷ୍ଟୋ ବିବାଦକୁ ଆସିଛନ୍ତି। ସୂଚନାଯୋଗ୍ୟ, ବେନ୍‌ ଷ୍ଟୋକ୍‌ସଙ୍କ ବିବାଦ ପରିପ୍ରେକ୍ଷୀରେ ଇଂଲଣ୍ଡ ଖେଳାଳିମାନେ ଆସେସ୍‌ ଗସ୍ତରେ ମଦ୍ୟପାନକୁ ନିଷିଦ୍ଧ କରିବାକୁ ମନା କରିଥିଲେ। କିନ୍ତୁ ମ୍ୟାଚ୍‌ ପୂର୍ବରୁ ମଦ୍ୟପାନ କରିବେ ନାହିଁ କି ଖରାପ ଆଚରଣ ଦେଖାଇବେ ନାହିଁ ବୋଲି ପ୍ରତିଶ୍ରୁତି ରଖିଛନ୍ତି।

ସମ୍ବନ୍ଧିତ ଖବର