ବେନୋନି: ବରିଷ୍ଠଙ୍କ ଭଳି ଭାରତୀୟ କନିଷ୍ଠ କ୍ରିକେଟ୍ ଦଳ ମଧ୍ୟ ‌‌‌ଶେଷ ପରୀକ୍ଷାରେ ଝୁଣ୍ଟିଛି। ପୂରା ପ୍ରତିଯୋଗିତାରେ ପ୍ରଭାବଶାଳୀ ଖେଳ ଖେଳିବା ପରେ ଫାଇନାଲ୍‌ରେ ପୁରୁଣା ପ୍ରତିଦ୍ବନ୍ଦ୍ବୀ ଅଷ୍ଟ୍ରେଲିଆଠୁ ୭୯ ରନ୍‌ର ବୃହତ୍ ବ୍ୟବଧାନରେ ହାରି ପୁରୁଷ ୧୯ ବର୍ଷରୁ କମ୍ ବିଶ୍ବକପ୍‌ର ଉପବିଜେତାରେ ସନ୍ତୁଷ୍ଟ ରହିଛି। ବରିଷ୍ଠ ୫୦ ଓଭରିଆ ବିଶ୍ବକପ୍ ଫାଇନାଲ୍‌ର ପୁନରାବୃତ୍ତି ବୋଲାଉଥିବା ରବିବାର ମୁକାବିଲାରେ ଭାରତୀୟ ଦଳ ସବୁ ଦୃଷ୍ଟିରୁ ବିଫଳ ହୋଇ ଅଷ୍ଟ୍ରେଲିଆ ନିକଟରେ ସଂପୂର୍ଣ୍ଣ ଆତ୍ମସମର୍ପଣ କରିଥିଲା।

Advertisment

କଙ୍ଗାରୁ ଦଳ କନିଷ୍ଠ ବିଶ୍ବକପ୍‌ ଫାଇନାଲ୍ ଇତିହାସର ସର୍ବୋଚ୍ଚ ‌ଲକ୍ଷ୍ୟ ୨୫୪ ରନ୍ ଦେବା ପରେ ଭାରତୀୟ ଦଳ ଘୋର ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୪୩.୫ ଓଭରରେ ମାତ୍ର ୧୭୪ ରନ୍‌ରେ ଅଲଆଉଟ୍ ହୋଇଯାଇଥିଲା। ଫଳରେ ଏହି ପ୍ରତିଯୋଗିତାରେ ଭାରତର ଷଷ୍ଠ ଥର ବିଜେତା ହେବା ଆଶା ଧୂଳିଶାତ୍ ହୋଇଥିଲା। ସେହିଭଳି କନିଷ୍ଠ ଦଳ ବରିଷ୍ଠ ଦଳର ବିଶ୍ବକପ୍ ଫାଇନାଲ୍ ପରାଜୟ ପ୍ରତିଶୋଧ ନେବର ସ୍ବପ୍ନ ମଧ୍ୟ ଭାଙ୍ଗି ଚୂରମାର୍ ହୋଇଯାଇଥିଲା। ପ୍ରଶଂସକ ପୂରା ନିରାଶ ହେବା ସହ ୧୪୦ କୋଟି ଭାରତୀୟଙ୍କ ହୃଦୟକୁ ଲଗାତାର ଦ୍ବିତୀୟବାର ଅଷ୍ଟ୍ରେଲିଆ ଭାଙ୍ଗିଥିଲା।

ଏହା ପୂର୍ବରୁ ନଭେମ୍ବର ୧୯, ୨୦୨୩ରେ ଅହମଦାବାଦରେ ଖେଳାଯାଇଥିବା ବରିଷ୍ଠ ଏକଦିବସୀୟ ବିଶ୍ବକପ୍‌ ଫାଇନାଲ୍‌ରେ ଅଷ୍ଟ୍ରେଲିଆ ୬ ୱିକେଟ୍‌ରେ ଭାରତକୁ ହରାଇ ବିଜେତା ହୋଇଥିଲା। ଏହି ଆଧିପତ୍ୟଧାରାକୁ ବଜାୟ ରଖି ଅଷ୍ଟ୍ରେଲିଆ ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍-୨୦୨୩, ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍-୨୦୨୩ ଏବଂ ଏବେ ୧୯ ବର୍ଷରୁ କମ୍ ବିଶ୍ବକପ୍ ଜିତି ନେଇଛି। ଦୁର୍ଭାଗ୍ୟଜନକ ଭାବେ ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍‌ର ଫାଇନାଲ୍‌ରେ ମଧ୍ୟ ଭାରତକୁ ହରାଇ ଅଷ୍ଟ୍ରେଲିଆ ବିଜେତା ହୋଇଥିଲା। ମାତ୍ର ୧୫ ରନ୍ ଖର୍ଚ୍ଚ କରି ୩ ୱିକେଟ୍ କରାୟତ୍ତ କରିଥିବା ଅଷ୍ଟ୍ରେଲୀୟ ମଧ୍ୟମଗତି ବୋଲର ମାହଲି ବିୟର୍ଡମ୍ୟାନ୍ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଅନ୍ୟପକ୍ଷରେ ୨୧ ୱିକେଟ୍ ଅକ୍ତିଆର କରିଥିବା ଆୟୋଜକ ଦକ୍ଷିଣ ଆଫ୍ରିକାର ‌କ୍ବେନା ମାଫକା ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।