ସାଉଥମ୍ପଟନ୍ : ପାକିସ୍ତାନ ବିପକ୍ଷ ଟି-୨୦ ଶୃଙ୍ଖଳାକୁ ଜିତି ପାରିନଥିବା ଇଂଲଣ୍ଡ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ଶୃଙ୍ଖଳା ବିଜୟ ସଫଳତା ପାଇଛି। ରବିବାର ଖେଳାଯାଇଥିବା ଦ୍ବିତୀୟ ଟି-୨୦ରେ ଅଷ୍ଟ୍ରେଲିଆକୁ ୬ ୱିକେଟ୍ରେ ହରାଇ ଇଅନ୍ ମୋର୍ଗାନଙ୍କ ଦଳ ୨-୦ରେ ଅପରାଜେୟ ଅଗ୍ରଣୀ ନେବାରୁ ଏହି ଗୌରବ ପାଇଛି। ଜୋସ୍ ବଟ୍ଟଲରଙ୍କ ଆକର୍ଷଣୀୟ ୭୭* ରନ୍ ବଳରେ ଇଂଲଣ୍ଡ ରବିବାର ମୁକାବିଲାକୁ ସହଜରେ ଜିତି ନେଇଥିଲା। ବଟ୍ଟଲର୍ ମଧ୍ୟ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ହାସଲ କରିଥିଲେ।
ଟସ୍ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରିବାକୁ ପସନ୍ଦ କରିଥିଲେ ମଧ୍ୟ ଦଳକୁ ଭଲ ଆରମ୍ଭ ମିଳିନଥିଲା। ପ୍ରଥମ ଓଭରରେ ଡେଭିଡ୍ ୱାର୍ନର (୦) ଏବଂ ଦ୍ବିତୀୟ ଓଭରରେ ଆଲେକ୍ସ କ୍ୟାରି (୨) ଆଉଟ୍ ହେବା ପରେ ଷ୍ଟିଭେନ୍ ସ୍ମିଥ୍ (୧୦) ରନ୍ ଆଉଟ୍ ହୋଇଯାଇଥିଲେ। ଫଳରେ ଭ୍ରମଣକାରୀ ଦଳ ୩୦ ରନ୍ ଭିତରେ ୩ ୱିକେଟ୍ ହରାଇ ଦେଇଥିଲା। ଆରୋନ୍ ଫିଞ୍ଚ୍ (୪୦, ୩୩ ବଲ୍, ୪ ଚୌକା, ୨ ଛକା), ମାର୍କସ ଷ୍ଟୋଇନିସ୍ (୩୫, ୨୬ ବଲ୍, ୨ ଚୌକା, ୨ ଛକା) ଏବଂ ଗ୍ଲେନ୍ ମ୍ୟାକ୍ସୱେଲ୍ (୨୬, ୧୮ ବଲ୍, ୧ ଚୌକା, ୧ ଛକା) ଙ୍କ ସହାୟତାରେ ଅଷ୍ଟ୍ରେଲିଆ ଲଢ଼ିଥିଲା। ଶେଷ ଭାଗରେ ଅଷ୍ଟନ୍ ଆଗର (୨୩, ୨୦ ବଲ୍) ଏବଂ ପ୍ୟାଟ୍ କମିନ୍ସ (୧୩*, ୫ ବଲ) ଉପଯୋଗୀ ବ୍ୟାଟିଂ କରିବାରୁ ଅଷ୍ଟ୍ରେଲିଆ ଲଢ଼ିବା ଭଳି ସ୍କୋର୍ କରିପାରିଥିଲା।
ଜବାବରେ ଇଂଲଣ୍ଡ ପାଇଁ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଜନି ବେୟାରଷ୍ଟୋ (୯) ହିଟ୍ ୱିକେଟ୍ ହୋଇ ଦଳକୁ ପ୍ରଥମ ଝଟ୍କା ଦେଇଥିଲେ। କିନ୍ତୁ ଜୋସ୍ ବଟ୍ଟଲର୍ ଏବଂ ଦାୱିଦ୍ ମଲାନଙ୍କ ମଧ୍ୟରେ ହୋଇଥିବା ୮୭ ରନ୍ର ଭାଗୀଦାରି ଇଂଲଣ୍ଡକୁ ଦୃଢ଼ ସ୍ଥିତିରେ ପହଞ୍ଚାଇ ଦେଇଥିଲା। ମଲାନ (୪୨, ୩୨ ବଲ୍, ୭ ଚୌକା) ଏବଂ ଟମ୍ ବଂଟ୍ଟନ୍ (୨)ଙ୍କୁ ଅଷ୍ଟନ୍ ଆଗର ଲଗାତାର ଓଭରରେ ଆଉଟ୍ କରି ଇଂଲଣ୍ଡକୁ ରୋକିଥିଲେ। ଅଧିନାୟକ ଇଅନ୍ ମୋର୍ଗାନ୍ (୭)ଙ୍କୁ ଆଦାମ ଜାମ୍ପା ଆଉଟ୍ କରିଦେବାରୁ ଘରୋଇ ଦଳ ଉପରେ ପ୍ରଥମ ଥର ଚାପ ପଡ଼ିଥିଲା। ଶେଷକୁ ବଟ୍ଟଲର୍ (୭୭*, ୫୪ ବଲ୍, ୮ ଚୌକା, ୨ ଛକା) ଏବଂ ମୋଇନ୍ ଅଲୀ (୧୩*, ୬ ବଲ୍, ୧ ଚୌକା, ୧ ଛକା) ୭ ବଲ୍ ପୂର୍ବରୁ ମ୍ୟାଚ୍ ଶେଷ କରିଥିଲେ। ଶେଷ ଦୁଇ ଓଭରରୁ ୧୮ ରନ୍ ଆବଶ୍ୟକ ପଡ଼ିଥିଲେ ମଧ୍ୟ ୧୯ତମ ଓଭରରେ ଜାମ୍ପାଙ୍କୁ ଧୂଲେଇ କରି ମାତ୍ର ୫ ବଲରୁ ସେତକ ରନ୍ ସଂଗ୍ରହ କରି ନେଇଥିଲେ।
ସଂକ୍ଷିପ୍ତ ସ୍କୋର: ଅଷ୍ଟ୍ରେଲିଆ ୨୦ ଓଭରରେ ୧୫୭/୭ (ଆରୋନ୍ ଫିଞ୍ଚ୍-୪୦, ମାର୍କସ ଷ୍ଟୋଇନିସ୍-୩୫, ଗ୍ଲେନ୍ ମ୍ୟାକ୍ସୱେଲ୍-୨୬, ଆଷ୍ଟନ୍ ଆଗର-୨୩, କ୍ରିସ୍ ଜୋର୍ଡାନ-୨/୪୦, ମାର୍କ ଉଡ୍-୧/୨୫, ଆଦିଲ ରସିଦ୍-୧/୨୫, ଜୋର୍ଫା ଆର୍ଚର-୧/୩୨)। ଇଂଲଣ୍ଡ ୧୮.୫ ଓଭରରେ ୧୫୮/୪ (ଜୋସ୍ ବଟ୍ଟଲର୍-୭୭*, ଦାୱିଦ ମଲାନ-୪୨, ମୋଇନ୍ ଅଲୀ-୧୩*, ମିଚେଲ୍ ଷ୍ଟାର୍କ-୧/୨୫, ଆଷ୍ଟନ୍ ଆଗର-୨/୨୬, ଆଦାମ ଜାମ୍ପା-୧/୪୨)।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/32845952-0-image-a-2_1599409581770.jpg)