ସେଣ୍ଟ୍ ଲୁସିଆ: କ୍ରିସ୍ ଗେଲ୍ଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ୱେଷ୍ଟଇଣ୍ଡିଜ୍ ତୃତୀୟ ଟି-୨୦କୁ ଅତି ସହଜରେ ଜିତିନେଇଛି। ଅନ୍ୟପକ୍ଷରେ ହ୍ୟାଟ୍ରିକ୍ ପରାଜୟ ସହ ଅଷ୍ଟ୍ରେଲିଆ ୦-୩ ପଛୁଆ ରହି ଚଳିତ ୫ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ପରାସ୍ତ ହୋଇଛି। ଅଷ୍ଟ୍ରେଲିଆର ୧୪୧/୬ ଜବାବରେ ୱେଷ୍ଟଇଣ୍ଡିଜ୍ ୩୧ ବଲ୍ ପୂର୍ବରୁ ୧୪୨/୪ ସହ ମ୍ୟାଚ୍ ଓ ଶୃଙ୍ଖଳା କବ୍ଜା କରିନେଇଛି। ୩୮ ବଲ୍ରୁ ୪ ଚୌକା ଓ ୭ ଛକା ସହାୟତାରେ ବିସ୍ଫୋରକ ୬୭ ରନ୍ କରିଥିବା ଗେଲ୍ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ୨୦୧୬ ପରେ ୪୧ ବର୍ଷ ବୟସ୍କ ଗେଲ୍ଙ୍କର ଏହା ପ୍ରଥମ ଟି-୨୦ ଅର୍ଦ୍ଧଶତକ ଥିଲା।
ସୋମବାର ବିଳମ୍ବିତ ରାତିରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଟସ୍ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଅଧିନାୟକ ଆରୋନ୍ ଫିଞ୍ଚ୍ (୩୦, ୩୧ ବଲ୍, ୨ ଚୌକା), ଅଲ୍ରାଉଣ୍ଡର ମୋଜେସ୍ ହେନ୍ରିକ୍ସ (୩୩, ୨୯ ବଲ୍, ୨ ଛକା), ଅଷ୍ଟନ ଟର୍ନର (୨୪, ୨୨ ବଲ୍, ୨ ଚୌକା), ୱିକେଟ୍ରକ୍ଷକ ତଥା ଓପ୍ନର ମାଥ୍ୟୁ ୱାଡେ (୨୩, ୧୬ ବଲ୍, ୪ ଚୌକା) ଏବଂ ଆଲେକ୍ସ କାରେ (୧୩, ୯ ବଲ୍ ୨ ଚୌକା)ଙ୍କ ବଳରେ ଦଳ ୬ ୱିକେଟ୍ ବିନିମୟରେ ୧୪୧ ରନ୍ କରିଥିଲା। ଏକ ସମୟରେ ପ୍ରଥମ ୫ ଓଭରରେ ୪୧/୦ କରିଥିବା ଅଷ୍ଟ୍ରେଲିଆ ପରବର୍ତୀ ୧୫ ଓଭରରେ ୧୦୦ ରନ୍ ଯୋଡ଼ିଥିଲା ବେଳେ ୬ ୱିକେଟ୍ ହରାଇଥିଲା। ତେବେ ହେନ୍ରିକ୍ସ ଓ ଟର୍ନର ପଞ୍ଚମ ୱିକେଟ୍ରେ ୫୯ ରନ୍ ଯୋଡ଼ି ସ୍ଥିତି କିଛିଟା ସୁଧାରି ନେଇଥିଲେ। ଏହା ମଧ୍ୟ ଚଳିତ ଶୃଙ୍ଖଳାରେ ଅଷ୍ଟ୍ରେଲିଆର ପ୍ରଥମ ଅର୍ଦ୍ଧଶତକୀୟ ଭାଗୀଦାରି ଥିଲା। ୱେଷ୍ଟଇଣ୍ଡିଜ୍ ପକ୍ଷରୁ ହେଡେନ୍ ୱାଲ୍ସ (୪୦-୧୮-୨), ଡ୍ବେନ୍ ବ୍ରାଭୋ (୩-୦-୧୭-୧), ଓବେଦ୍ ମ୍ୟାମୟ (୧-୦-୯-୧), ଫାବିଆନ୍ ଆଲେନ୍ (୪-୦-୨୬-୧) ସଫଳ ବୋଲର ରହିଥିଲେ।
ଜବାବରେ ସମାନ ପ୍ରଥମ ୫ ଓଭରରେ ୪୨/୧ କରିଥିବା ଘରୋଇ ଇଣ୍ଡିଜ୍ ଦଳ ସେହି ସ୍କୋର୍ରେ ଦ୍ବିତୀୟ ୱିକେଟ୍ ହରାଇଥିଲା। ଲେଣ୍ଡଲ ସିମନ୍ସ (୧୫, ୧୩ ବଲ୍, ୩ ଚୌକା) ଓ ଆନ୍ଦ୍ରେ ଫ୍ଲେଚର (୪, ୩ ବଲ୍, ୧ ଚୌକା) ପାଭିଲିୟନ୍ ଫେରିଯାଇଥିଲେ। ହେଲେ ଗେଲ୍ (୬୭) ଓ ୱିକେଟ୍ରକ୍ଷକ ନିକୋଲାସ୍ ପୂରନ୍ (୩୨*, ୨୭ ବଲ୍, ୪ ଚୌକା, ୧ ଛକା) ତୃତୀୟ ୱିକେଟ୍ରେ ୪୧ ବଲ୍ରୁ ୬୭ ରନ୍ ଯୋଡ଼ି ୧୨ ଓଭରରେ ଦଳୀୟ ସ୍କୋର୍ ୧୦୯/୨ରେ ପହଞ୍ଚାଇ ଦେଇଥିଲେ। ଏହାପରେ ଗେଲ୍ ଓ ବ୍ରାଭୋ (୭, ୭ ବଲ୍, ୧ ଚୌକା) ଆଉଟ୍ ହୋଇଯାଇଥିଲେ ମଧ୍ୟ ୱେଷ୍ଟଇଣ୍ଡିଜ୍ ୧୪.୫ ଓଭରରେ ବିଜୟ ହାସଲ କରିନେଇଥିଲା। ଦଳ ୪ ୱିକେଟ୍ ହରାଇଥିଲା ବେଳେ ହାତରେ ଆହୁରି ୩୧ ବଲ୍ ବାକି ଥିଲା। ଆନ୍ଦ୍ରେ ରସେଲ ୨ଟି ବଲ୍ର ସାମ୍ନା କରି ଗୋଟିଏ ଛକା ସହ ୭ ରନ୍ରେ ଅପରାଜିତ ରହିଥିଲେ। ଉଭୟ ପୂରନ ଓ ରସେଲ ଅସମାପ୍ତ ପଞ୍ଚମ ୱିକେଟ୍ରେ ୧୦ ବଲ୍ରୁ ୧୮ ରନ୍ ଆଦାୟ କରିଥିଲେ। ଅଷ୍ଟ୍ରେଲିଆର ସଫଳ ବୋଲର ଭାବେ ରିଲି ମେରେଡିଥ୍ ୪୮ ରନ୍ରେ ୩ ଓ ମିଚେଲ ଷ୍ଟାର୍କ ୧୫ ରନ୍ରେ ୧ ୱିକେଟ୍ ପାଇଥିଲେ। ଏହି ମ୍ୟାଚ୍ରେ ଆହତ କିରଣ ପୋଲାର୍ଡଙ୍କ ଅନୁପସ୍ଥିତିରେ ନିକୋଲାସ୍ ପୂରନ୍ ଅଧିନାୟକ ଦାୟିତ୍ବ ତୁଲାଇଥିଲେ।