ଶେଷ ଟି-୨୦ରେ ଅଷ୍ଟ୍ରେଲିଆ ପରାସ୍ତ: ୱେଷ୍ଟଇଣ୍ଡିଜ୍‌ ୪-୧ରେ ଶୃଙ୍ଖଳା ଜିତିଲା

ସେଣ୍ଟ୍‌ ଲୁସିଆ: ଓପ୍‌ନର ଇଭିନ୍‌ ଲୁଇସ୍‌ (୭୯ ରନ୍‌, ୩୪ ବଲ୍‌, ୪ ଚୌକା, ୯ ଛକା)ଙ୍କ ବିସ୍ଫୋରକ ଅର୍ଦ୍ଧଶତକ ପରେ ସେଲ୍‌ଡନ୍‌ କୋଟ୍ରେଲ (୪-୦-୨୮-୩) ଓ ଆନ୍ଦ୍ରେ ରସେଲ (୪-୦-୪୩-୩)ଙ୍କ ଚମତ୍କାର ବୋଲିଂ ବଳରେ ଘରୋଇ ୱେଷ୍ଟଇଣ୍ଡିଜ୍‌ ଶୁକ୍ରବାର ରାତିରେ ଖେଳିଥିବା ପଞ୍ଚମ ତଥା ଶେଷ ମ୍ୟାଚ୍‌ରେ ଭ୍ରମଣକାରୀ ଅଷ୍ଟ୍ରେଲିଆକୁ ୧୬ ରନ୍‌ରେ ପରାସ୍ତ କରିଥିଲା। ଏଥି ସହିତ ୫ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ଶୃଙ୍ଖଳାକୁ ୪-୧ରେ କବ୍‌ଜା କରିନେଇଥିଲା। ଲୁଇସ୍‌ ମ୍ୟାଚ୍‌ର ଏବଂ ହେଡେନ୍‌ ୱାଲ୍‌ସ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ପ୍ରଥମ ତିନି ମ୍ୟାଚ୍‌ ଜିତି ହ୍ୟାଟ୍ରିକ୍‌ ସହ ଆଗୁଆ ଶୃଙ୍ଖଳା କରାୟତ୍ତ କରିଥିବା ୱେଷ୍ଟଇଣ୍ଡିଜ୍‌ ଚତୁର୍ଥ ମ୍ୟାଚ୍‌ ହାରିଯାଇଥିଲା। ହେଲେ ଶେଷ ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଆରମ୍ଭରୁ ଦ୍ରୁତ ରନ୍‌ ସଂଗ୍ରହରେ ଲାଗିପଡ଼ିଥିଲା ଦଳ। ଲୁଇସ୍‌ଙ୍କ ବ୍ୟତୀତ ୱିକେଟ୍‌ରକ୍ଷକ ତଥା ଅଧିନାୟକ ନିକୋଲାସ୍‌ ପୂରନ (୩୧, ୧୮ ବଲ୍‌, ୧ ଚୌକା, ୩ ଛକା), ଲେଣ୍ଡଲ ସିମନ୍ସ (୨୧, ୨୫ ବଲ୍‌, ୧ ଚୌକା, ୧ ଛକା), କ୍ରିସ୍ ଗେଲ୍‌ (୨୧, ୭ ବଲ୍‌, ୨ ‌ଚୌକା, ୨ ଛକା)ଙ୍କ ଦ୍ରୁତ ରନ୍‌ ବଳରେ ଘରୋଇ ଦଳ ୧୯୯/୮ ସ୍କୋର୍‌ କରିନେଇଥିଲା। ଏହି ପାଳିରେ ଘରୋଇ ଦଳ ୧୭ ଛକା ଓ ୯ ଚୌକା ମାରିଥିଲା। ବିସ୍ଫୋରକ ଗେଲ୍‌ ସାମ୍‌ନା କରିଥିବା ପ୍ରଥମ ୫ ବଲ୍‌ରୁ ୨୦ ରନ୍‌ ଆଦାୟ କରି ଉଗ୍ରରୂପ ଦେଖାଇଥିଲେ ମଧ୍ୟ ପ୍ରତିପକ୍ଷର ଅଧିକ କ୍ଷତି ଘଟାଇବା ପୂର୍ବରୁ ତାଙ୍କୁ ସ୍ବିପ୍‌ସନ୍‌ ଆଉଟ୍‌ କରିଦେଇଥିଲେ। ଇଣ୍ଡିଜ୍‌ ପକ୍ଷରୁ ଆଣ୍ଡରୁ ଟାଇ ୩, ମିଚେଲ ମାର୍ଶ ଓ ଆଦାମ ଜାମ୍ପା ୨-୨ ଓ ସ୍ବିପ୍‌ସନ୍‌ ୧ ୱିକେଟ୍‌ ନେଇଥିଲେ।

ଜବାବରେ ଅଧିନାୟକ ଆରୋନ୍‌ ଫିଞ୍ଚ୍‌ (୩୪, ୨୩ ବଲ୍‌, ୬ ଚୌକା), ମିଚେଲ ମାର୍ଶ (୩୦, ୧୫ ବଲ୍‌, ୫ ଚୌକା, ୧ ଛକା), ୱିକେଟ୍‌ରକ୍ଷକ ମାଥ୍ୟୁ ୱାଡେ (୨୬, ୧୮ ବଲ୍‌, ୩ ଚୌକା, ୧ ଛକା), ମୋଜେସ୍‌ ହେନ୍‌ରିକ୍ସ (୨୧, ୧୪ ବଲ୍‌, ୩ ଚୌକା) ଓ ଆଣ୍ଡରୁ ଟାଇ (୧୫, ୮ ବଲ୍‌, ୧ ଚୌକା, ୧ ଛକା)ଙ୍କ ପ୍ରତିଆକ୍ରମଣ ସତ୍ତ୍ବେ କୋଟ୍ରେଲ ଓ ରସେଲଙ୍କ ଆଗରେ ତିଷ୍ଠିନପାରି ନିୟମିତ ଅନ୍ତରାଳରେ ୱିକେଟ୍‌ ହରାଇଥିଲା। ଫଳରେ ଦଳ ୧୮୩/୯ରେ ଅଟକି ଯାଇଥିଲା। କୋଟ୍ରେଲ ଓ ରସେଲଙ୍କ ବ୍ୟତୀତ ୱାଲ୍‌ସ ଗୋଟିଏ ୱିକେଟ୍‌ ନେଇଥିଲେ।

ସମ୍ବନ୍ଧିତ ଖବର