ଲିଡ୍ସ: ହେଡିଂଲେ ଚାଲିଥିବା ତୃତୀୟ ଆସେସ୍ ଟେଷ୍ଟ୍ର ଉତ୍କଣ୍ଠାପୂର୍ଣ୍ଣ ପରିସମାପ୍ତି ଘଟିଛି। ବିଶ୍ବକପ୍ ବିଜୟୀ ତାରକା ବେନ୍ ଷ୍ଟୋକ୍ସ ଆଉ ଏକ ସାହସିକ ତଥା ଦାୟିତ୍ବପୂର୍ଣ୍ଣ ପାଳି ଖେଳି ଅଷ୍ଟ୍ରେଲିଆ ହାତରୁ ନାଟକୀୟ ଭାବେ ମ୍ୟାଚ୍ ଛଡ଼ାଇ ନେଇଛନ୍ତି। ଅଷ୍ଟ୍ରେଲିଆକୁ ରୋମାଞ୍ଚକ ଭାବେ ୧ ୱିକେଟ୍ରେ ହରାଇ ଇଂଲଣ୍ଡ ମଧ୍ୟ ୫ ମ୍ୟାଚ୍ ବିଶିଷ୍ଟ ଆସେସ୍ ଶୃଙ୍ଖଳାକୁ ୧-୧ ସ୍ତରକୁ ନେଇଆସିଛି। ଇଂଲଣ୍ଡ ନିଜ ଟେଷ୍ଟ୍ କ୍ରିକେଟ୍ ଇତିହାସର ସର୍ବୋଚ୍ଚ ସଫଳ ପଶ୍ଚାତଧାବନ (୩୬୨/୯) ବିଜୟ ହାସଲ କରି ଐତିହାସିକ ମୁହୂର୍ତ ସାଉଁଟିଛି। ବେନ୍ ଷ୍ଟୋକ୍ସଙ୍କ ଷ୍ଟ୍ରୋକଭରା ଅପରାଜିତ ଶତକ (୧୩୫*, ୨୧୯ ବଲ୍, ୧୧ ଚୌକା, ୮ ଛକା) ଇଂଲଣ୍ଡକୁ ପରାଜୟ ମୁହଁରୁ ବାହାର କରି ବିଜୟ ଅର୍ପଣ କରିଥିବାରୁ ତାଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରାଯାଇଛି।
ଶନିବାର ଇଂଲଣ୍ଡ ସମ୍ମୁଖରେ ଅଷ୍ଟ୍ରେଲିଆ ୩୫୯ ରନ୍ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ପ୍ରଥମରୁ ୨ ୱିକେଟ୍ ହରାଇ ଦେଇଥିଲେ ମଧ୍ୟ ଜୋ ରୁଟ୍ ଏବଂ ଜୋ ଡେନଲିଙ୍କ ମଧ୍ୟରେ ହୋଇଥିବା ୧୨୬ ରନ୍ ତୃତୀୟ ୱିକେଟ୍ ଭାଗୀଦାରି ମୂଳଦୁଆ ପକାଇଥିଲା। ରବିବାର ଚତୁର୍ଥ ଦିବସ ସକାଳେ ଇଂଲଣ୍ଡ ୧୫୬/୩ରୁ ଖେଳିବା ବେଳେ ଆଉ ୨୦୩ ରନ୍ ଦୂରରେ ରହିଥିଲା। ଜୋ ରୁଟ୍ (୭୭) ମାତ୍ର ୨ ରନ୍ ଯୋଡ଼ି ଆଉଟ୍ ହୋଇଯିବା ପରେ ଏକାକୀ ଲଢ଼ିଥିଲେ ବେନ୍ ଷ୍ଟୋକ୍ସ। ଜନି ବେୟାରଷ୍ଟୋ (୩୬) ସାମୟିକ ଭାବେ ତାଙ୍କୁ ସହାୟତା କରିଥିଲେ। କିନ୍ତୁ ଚତୁର୍ଥ ଦିନ ମଧ୍ୟାହ୍ନ ଭୋଜନ ପରେ ଜୋସ୍ ବଟଲରଙ୍କ ରନ୍ ଆଉଟ୍ ସହିତ ଇଂଲଣ୍ଡ ୪୧ ରନ୍ ଭିତରେ ୬ ୱିକେଟ୍ ହରାଇ ୨୮୬/୯ରେ ସଂଘର୍ଷ କରିଥିଲା। ୧୧ ନମ୍ବର ବ୍ୟାଟସମ୍ୟାନ୍ ଜ୍ୟାକ୍ ଲିଚ୍ (୧*, ୧୭ ବଲ)ଙ୍କୁ ସାଥୀରେ ନେଇ ଚତୁରତାର ସହ ଷ୍ଟ୍ରାଇକ୍ ରୋଟେଟ୍ କରିବା ଏବଂ ଷ୍ଟ୍ରୋକ୍ ଖେଳିବାର ଅନନ୍ୟ ଉଦାହରଣ ଛାଡ଼ିଥିଲେ ବେନ୍ ଷ୍ଟୋକ୍ସ। ଶେଷ ୱିକେଟ୍ରେ ଇଂଲଣ୍ଡ ଯୋଡ଼ିଥିବା ୭୬ ରନ୍ରୁ ଷ୍ଟୋକ୍ସ ସଂଗ୍ରହ କରିଥିଲେ ୭୪ ରନ୍। ଷ୍ଟୋକ୍ସ ୧୯୯ ବଲ୍ରୁ ନିଜ ଅଷ୍ଟମ ଟେଷ୍ଟ୍ ଶତକ ହାସଲ କରିଥିଲେ। କିନ୍ତୁ ପରବର୍ତୀ ୨୦ ବଲ୍ରୁ ୩୫ ରନ୍ ଯୋଡ଼ି ଅଷ୍ଟ୍ରେଲିଆ ହାତରୁ ମ୍ୟାଚ୍ ଛଡ଼ାଇ ଆଣିଥିଲେ। ହାଜେଲଉଙ୍କ ଗୋଟିଏ ଓଭରରୁ ଗୋଟିଏ ଚୌକା ଓ ୨ ଛକା ସହିତ ୧୯ ରନ୍ ଆଦାୟ କରି ଆଗକୁ ବଢ଼ିଥିଲେ। ଅଷ୍ଟ୍ରେଲିଆ ରିଭ୍ୟୁ ଶେଷ କରିଦେବା ପରେ ଅମ୍ପାୟାରଙ୍କ ତ୍ରୁଟି ବି ଇଂଲଣ୍ଡକୁ ଫାଇଦା ଦେଇଥିଲା। ଇଂଲଣ୍ଡ ବିଜୟ ପାଇଁ ୨ ରନ୍ ଦୂରରେ ଥିବାବେଳେ ଲିଚ୍ଙ୍କୁ ରନ୍ ଆଉଟ୍ କରିବାରେ ବିଫଳ ହେବା ମଧ୍ୟ ଅଷ୍ଟ୍ରେଲିଆକୁ ବିଜୟରୁ ବଞ୍ଚିତ ରଖିଥିଲା। ଶେଷକୁ ପ୍ୟାଟ୍ କମିନ୍ସଙ୍କୁ ଚୌକା ମାରି ଷ୍ଟୋକ୍ସ ହିଁ ମ୍ୟାଚ୍କୁ ଷ୍ଟାଇଲରେ ଶେଷ କରିଥିଲେ। ପ୍ରଥମ ପାଳିରେ ମାତ୍ର ୬୭ ରନ୍ କରିଥିବା ଇଂଲଣ୍ଡ ଦ୍ବିତୀୟ ପାଳିର ଅତୁଟ ଶେଷ ୱିକେଟ୍ରେ ୭୬ ରନ୍ ଯୋଡ଼ିବା ସବୁଠାରୁ ଉଲ୍ଲେଖନୀୟ ରହିଥିଲା।
ସଂକ୍ଷିପ୍ତ ସ୍କୋର: ଅଷ୍ଟ୍ରେଲିଆ ପ୍ରଥମ ପାଳି: ୧୭୯ (ମାର୍ନସ ଲାବୁଚାନ୍-୭୪, ଜୋର୍ଫା ଆର୍ଚର-୬/୪୫)। ଇଂଲଣ୍ଡ ପ୍ରଥମ ପାଳି: ୬୭ (ଜୋ ଡେନଲି-୧୨, ଜୋସ୍ ହାଜେଲଉଡ୍-୫/୩୦)। ଅଷ୍ଟ୍ରେଲିଆ ଦ୍ବିତୀୟ ପାଳି: ୨୪୬ (ମାର୍ନସ ଲାବୁଚାନ-୮୦, ବେନ୍ ଷ୍ଟୋକ୍ସ-୩/୫୬, ଜୋଫ୍ରା ଆର୍ଚର-୨/୪୦, ଷ୍ଟୁଆର୍ଟ ବ୍ରଡ୍-୨/୫୨)। ଇଂଲଣ୍ଡ ଦ୍ବିତୀୟ ପାଳି: ୧୨୫.୪ ଓଭରରେ ୩୬୨/୯ (ବେନ୍ ଷ୍ଟୋକ୍ସ-୧୩୫*, ଜୋ ରୁଟ୍-୭୭, ଜୋ ଡେନଲି-୫୦, ଜୋସ୍ ହାଜେଲଉଡ୍-୪/୮୫, ନାଥନ୍ ଲାୟନ-୨/୧୧୪, ଜେମ୍ସ ପାଟିନସନ୍-୧/୪୭, ପ୍ୟାଟ୍ କମିନ୍ସ-୧/୮୦)।
ସଫଳ ପଶ୍ଚାତଧାବନରେ ସର୍ବୋଚ୍ଚ
୩୫୯ ରନ୍କୁ ସଫଳ ପଶ୍ଚାତଧାବନ କରିବାରେ ଇଂଲଣ୍ଡ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିଛି। ପୂର୍ବରୁ ଇଂଲଣ୍ଡ ୧୯୨୮-୨୯ରେ ମେଲବର୍ନରେ ଅଷ୍ଟ୍ରେଲିଆକୁ ଚତୁର୍ଥ ପାଳିରେ ୩୩୨ ରନ୍ କରି ହରାଇବା ଆଜି ପର୍ଯ୍ୟନ୍ତ ଏହି ଦଳ ପାଇଁ ସର୍ବୋଚ୍ଚ ପଶ୍ଚାତଧାବନ ଥିଲା। ସେହିଭଳି ବେନ୍ ଷ୍ଟୋକ୍ସ-ଜ୍ୟାକ୍ ଲିଚ୍ ରବିବାର ଦଶମ ୱିକେଟ୍ ପାଇଁ ଯୋଡ଼ିଥିବା ଅତୁଟ ୭୬* ରନ୍ କୌଣସି ପଶ୍ଚାତଧାବନ ଚତୁର୍ଥ ପାଳିରେ ଦ୍ବିତୀୟ ସର୍ବୋଚ୍ଚ। ୨୦୧୯ରେ ଡର୍ବାନରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଶ୍ରୀଲଙ୍କାର କୁସାଲ ପେରେରା-ବିଶ୍ବ ଫର୍ନାଣ୍ଡୋ ୭୮* ରନ୍ କରି ଦଳକୁ ଅପ୍ରତ୍ୟାଶିତ ବିଜୟ ଦେଇଥିଲେ। ଟେଷ୍ଟ୍ କ୍ରିକେଟ୍ରେ ଏକ ୱିକେଟ୍ ବିଜୟ କିନ୍ତୁ ଇଂଲଣ୍ଡ ପାଇଁ ଚତୁର୍ଥ ଉଦାହରଣ। ଶେଷ ଥର ପାଇଁ ୧୯୨୨-୨୩ରେ ଇଂଲଣ୍ଡ କେପ୍ ଟାଉନ୍ରେ ଦକ୍ଷିଣ ଆଫ୍ରିକାକୁ ୧ ୱିକେଟ୍ରେ ହରାଇଥିଲା।