ସିଡ୍ନି : ଶୁକ୍ରବାର ଏଠାରେ ଖେଳାଯାଇଥିବା ପ୍ରଥମ ଟି-୨୦ ମ୍ୟାଚ୍ରେ ଘରୋଇ ଅଷ୍ଟ୍ରେଲିଆ ୨୦ ରନ୍ରେ ଭ୍ରମଣକାରୀ ଶ୍ରୀଲଙ୍କାକୁ ପରାସ୍ତ କରିଦେଇଛି। ବେନ୍ ମ୍ୟାକ୍ଡର୍ମଟ (୫୩ ରନ୍, ୪୧ ବଲ୍, ୨ ଚୌକା, ୩ ଛକା))ଙ୍କ ଅର୍ଦ୍ଧଶତକ ପରେ ଜୋସ୍ ହାଜେଲ୍ଉଡ୍ (୪-୦-୧୨-୪) ଏବଂ ଆଦାମ ଜାମ୍ପା (୪-୦-୧୮-୩)ଙ୍କ ଘାତକ ବୋଲିଂ ଅଷ୍ଟ୍ରେଲିଆକୁ ୫ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ୧-୦ର ଅଗ୍ରଣୀ ଦେଇଛି। ପ୍ରମୁଖ ୩ ୱିକେଟ୍ ଝଡ଼ାଇ ଶ୍ରୀଲଙ୍କାକୁ ଚାପରେ ରଖିଥିବା ଜାମ୍ପା ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।
ଟସ୍ ଜିତି ଶ୍ରୀଲଙ୍କା ପ୍ରଥମେ ବୋଲିଂ କରିଥିଲା। ୱାନିନ୍ଦୁ ହସରଙ୍ଗା (୪-୦-୩୮-୩), ଚାମିକା କରୁଣାରତ୍ନେ (୪-୦-୨୨-୨), ବିନୁରା ଫର୍ନାଣ୍ଡୋ (୪-୦-୧୨-୨) ଏବଂ ଦୁଷ୍ମନ୍ତ ଚାମିରା (୪-୦-୩୮-୨) ଚମତ୍କାର ବୋଲିଂ କରିଥିଲେ। ହେଲେ ମ୍ୟାକ୍ଡର୍ମଟଙ୍କ ବ୍ୟତୀତ ଜୋସ୍ ଇଙ୍ଗ୍ଲିସ୍ (୨୩) ଏବଂ ମାର୍କସ ଷ୍ଟୋଇନିସ୍ (୩୦) ଦ୍ରୁତ ପାଳି ଖେଳିବାରୁ ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୨୦ ଓଭରରେ ୧୪୯/୯ କରିଥିଲା। ଗ୍ଲେନ୍ ମ୍ୟାକ୍ସୱେଲ୍ (୭), ଅଧିନାୟକ ଆରୋନ୍ ଫିଞ୍ଚ୍ (୮) ଏବଂ ଷ୍ଟିଭ୍ ସ୍ମିଥ୍ (୯) ବିଫଳ ହୋଇଥିଲେ। ତେବେ ଅଷ୍ଟ୍ରେଲୀୟ ବୋଲରମାନେ ମଧ୍ୟ ଅନୁରୂପ ଭାବେ ମାପଚୁପ ବୋଲିଂ କରି ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ୍ଙ୍କୁ ବାନ୍ଧି ରଖିଥିଲେ। ଶ୍ରୀଲଙ୍କା ପାଳି ମଧ୍ୟରେ କିଛି ସମୟ ବର୍ଷା ହେବାରୁ ଗୋଟିଏ ଓଭର କାଟି ଦିଆଯାଇଥିଲା। ଫଳରେ ୧୯ ଓଭରରୁ ଶ୍ରୀଲଙ୍କାଙ୍କୁ ୧୪୩ ରନ୍ର ବିଜୟ ଲକ୍ଷ୍ୟ ଦିଆଯାଇଥିଲା। ଜବାବରେ ଶ୍ରୀଲଙ୍କା ୮ ୱିକେଟ୍ ବିନିମୟରେ ୧୨୨ ରନ୍ କରିବାକୁ ସକ୍ଷମ ହୋଇଥିଲା। ଓପ୍ନର ପଥୁମ ନିଶାଙ୍କ (୩୬), ୱିକେଟ୍ରକ୍ଷକ ଦୀନେଶ ଚାନ୍ଦିମାଳ (୨୫*), ଚରିଥ ଆଶାଲଙ୍କା (୧୬) ଏବଂ ୱାନିନ୍ଦୁ ହସରଙ୍ଗା (୧୩) ଲଢ଼ିଥିଲେ ମଧ୍ୟ ଦଳ ପରାଜୟ ପଟରେ ରହିଥିଲା। ହାଜେଲଉଡ୍ ଓ ଜାମ୍ପାଙ୍କ ବ୍ୟତୀତ ଅବଶିଷ୍ଟ ୱିକେଟ୍ଟି ପ୍ୟାଟ୍ କମିନ୍ସଙ୍କୁ ମିଳିଥିଲା।