ପ୍ରଥମ ଦିନିକିଆରେ ୱାଲ୍‌ସ ଓ ଷ୍ଟାର୍କଙ୍କୁ ୫-୫ ୱିକେଟ୍‌, ‌ୱେଷ୍ଟଇଣ୍ଡିଜ୍‌କୁ ୧୩୩ ରନ୍‌ରେ ହରାଇଲା ଅଷ୍ଟ୍ରେଲିଆ

ବାର୍ବାଡସ୍‌: ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ୫ ଟିକିଆ ଟି-୨୦ ଶୃଙ୍ଖଳାକୁ ୧-୪ ବ୍ୟବଧାନରେ ପରାଜୟ ବରଣ କରିଥିବା ଭ୍ରମଣକାରୀ ଅଷ୍ଟ୍ରେଲିଆ ବିଜୟରୁ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ଆରମ୍ଭ କରିଛି। ମଙ୍ଗଳବାର ରାତିରେ ଖେଳାଯାଇଥିବା ବର୍ଷା ବାଧାପ୍ରାପ୍ତ ପ୍ରଥମ ଦିନିକିଆରେ ଅଧିନାୟକ ଆଲେକ୍ସ କାରେ (୬୭ ରନ୍‌, ୮୭ ବଲ୍‌, ୫ ଚୌକା, ୨ ଛକା)ଙ୍କ ଅର୍ଦ୍ଧଶତକ ପରେ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ (୮-୧-୪୮-୫)ଙ୍କ ଘାତକ ବୋଲିଂ ବଳରେ ଅଷ୍ଟ୍ରେଲିଆ ୧୩୩ ରନ୍‌ର ବଡ଼ ବ୍ୟବଧାନରେ ଘରୋଇ ଦଳକୁ ପରାସ୍ତ କରିଛି। ଷ୍ଟାର୍କ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ହାତେଇଥିଲେ। ଏଥି ସହିତ ୱେଷ୍ଟଇଣ୍ଡିଜ୍‌ ଲେଗ୍‌ ସ୍ପିନର ହେଡେନ୍‌ ୱାଲ୍‌ସ (୧୦-୦-୩୯-୫)ଙ୍କ ୫ ୱିକେଟ୍‌ ସଫଳତା ଫିକା ପଡ଼ିଯାଇଥିଲା ବେଳେ ଅଷ୍ଟ୍ରେଲିଆ ୧-୦ରେ ଅଗ୍ରଣୀ ହାସଲ କରିଛି।

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ପାଳି ୩ ଥର ବର୍ଷା ଯୋଗୁ ବାଧାପ୍ରାପ୍ତ ହୋଇଥିଲା। ଫଳରେ ଭ୍ରମଣକାରୀ ଦଳ ୪୯ ଓଭରରେ ୨୫୨/୯ କରିଥିଲା। କାରେଙ୍କ ବ୍ୟତୀତ ଅଷ୍ଟନ ଟର୍ନର (୪୯), ଜୋସ୍‌ ଫିଲିପ (୩୯), ବେନ୍‌ ମ୍ୟାକଡର୍ମଟ (୨୮), ମିଚେଲ ମାର୍ସ (୨୦) ଓ ଆଦାମ ଜାମ୍ପା (୧୨*) ଦୁଇ ଅଙ୍କ ବିଶିଷ୍ଟ ସ୍କୋର୍‌ କରିଥିଲେ। ୱାଲ୍‌ସ (୫/୩୯)ଙ୍କ ବ୍ୟତୀତ ଅକିଲ ହୋସେନ୍‌ (୨/୫୦) ଓ ଅଲ୍‌ଜାରି ଜୋସେଫ୍‌ (୨/୪୦) ଅବଶିଷ୍ଟ ୪ ୱିକେଟ୍‌ ବାଣ୍ଟି ନେଇଥିଲେ। ବର୍ଷା ବାଧା ଯୋଗୁଁ ଉଭୟ ଦଳର ପାଳିକୁ ୪୯ ଓଭରରେ ସୀମିତ ରଖାଯାଇଥିଲା। ଫଳରେ ଡି/ଏଲ୍‌ ପଦ୍ଧତି (ବର୍ଷା ନିୟମ) ଅନୁଯାୟୀ ୱେଷ୍ଟଇଣ୍ଡିଜ୍‌ ସମ୍ମୁଖରେ ୨୫୭ ରନ୍‌ର ବିଜୟ ଲକ୍ଷ୍ୟ ରହିଥିଲା।

ଏହାର ପିଛା କରିଥିବା ଘରୋଇ ଦଳ ଅଧିନାୟକ କିରଣ ପୋଲାର୍ଡ (୫୬, ୫୭ ବଲ୍‌, ୫ ଚୌକା, ୩ ଛକା)ଙ୍କ ଅର୍ଦ୍ଧଶତକ ସାଙ୍ଗକୁ ଜୋସେଫ୍‌ (୧୭) ଓ ୱାଲ୍‌ସ (୨୦)ଙ୍କ ଉପଯୋଗୀ ସ୍କୋର୍‌ ସତ୍ତ୍ବେ ୨୬.୨ ଓଭରରେ ୧୨୩ ରନ୍‌ରେ ସମସ୍ତ ୱିକେଟ୍‌ ହରାଇଥିଲା। ଷ୍ଟାର୍କ ସବୁଠୁ ଅଧିକ କ୍ଷତି ଘଟାଇଥିଲା ବେଳେ ଜୋସ୍‌ ହାଜ୍‌ଲେଉଡ୍‌ ୬-୧-୧୧-୩ର ବୋଲିଂ ଚିତ୍ର ପାଇଥିଲେ। ଜାମ୍ପା ଓ ମାର୍ସ ୧-୧ ୱିକେଟ୍‌ ଅକ୍ତିଆର କରିଥିଲେ। ପ୍ରଥମ ବଲ୍‌ରୁ ୱିକେଟ୍‌ ହରାଇଥିବା ଇଣ୍ଡିଜ୍‌ ଏକ ସମୟରେ ଅଷ୍ଟମ ଓଭର ବେଳକୁ ୨୭ ରନ୍‌ରେ ୬ ଜଣ ବ୍ୟାଟ୍‌ସମ୍ୟାନ୍‌ଙ୍କୁ ହରାଇ ଘୋର ସଂକଟରେ ପଡ଼ିଯାଇଥିଲା। କେବଳ ପୋଲାର୍ଡ ଓ ଜୋସେଫ୍‌ ସପ୍ତମ ୱିକେଟ୍‌ରେ ୬୮ ରନ୍ ଯୋଡ଼ିବାରୁ ଦଳ ୧୦୦ ଅତିକ୍ରମ କରିପାରିଥିଲା।

ସମ୍ବନ୍ଧିତ ଖବର