କଳିଙ୍ଗରେ କଙ୍ଗାରୁ କମାଲ

ଅଷ୍ଟ୍ରେଲିଆ ବିଜେତା, ଆର୍ଜେଣ୍ଟିନା ଉପ ବିଜେତା

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ୧୦ ଦିନିଆ ହକି ଲଢ଼େଇର ସୁଖଦ ଅବସାନ ହୋଇଛି। ବିଶ୍ୱର ଶ୍ରେଷ୍ଠ ୮ ଦଳ ମଧ୍ୟରେ ହୋଇଥିବା ଏହି ଲଢ଼େଇରେ ଭାରତ ତୃତୀୟ ସ୍ଥାନ ଅଧିକାର କରି କାଂସ୍ୟ ପଦକ ଜିତି ନେଇଛି। ହେଲେ ମୁକୁଟ ବିଜୟ ସୌଭାଗ୍ୟ ଅଷ୍ଟ୍ରେଲିଆକୁ ମିଳିଛି। କଳିଙ୍ଗ କମାଲ ସହ କଙ୍ଗାରୁ ଦଳ ଲଗାତାର ଦ୍ୱିତୀୟ ଥର ପାଇଁ ହକି ବିଶ୍ୱ ଲିଗ୍‌ ଜିତି ନେଇଛି। ଏହା କରିବାରେ ଏହି ଦଳ ଏକମାତ୍ର ଏବଂ ଅନ୍ତିମ ଦଳ ହୋଇଛି। ଅନ୍ୟ ପକ୍ଷରେ ଭାରତ ମଧ୍ୟ କାଂସ୍ୟ କୀର୍ତ୍ତିମାନ କରିଛି। ଅଷ୍ଟ୍ରେଲିଆ ଭଳି ଭାରତ ମଧ୍ୟ ଏକମାତ୍ର ଦଳ ଭାବେ ଏହି ସମ୍ମାନ ଜନକ ପ୍ରତିଯୋଗିତାରେ ଲାଗାତାର ଦ୍ୱିତୀୟ ବାର କାଂସ୍ୟ ପଦକ ହାସଲ କରିଛି। ତୃତୀୟ ସଂସ୍କରଣରୁ ହକି ବିଶ୍ୱ ଲିଗ୍‌ ବନ୍ଦ ହୋଇ ଯାଉଥିବାରୁ ଉଭୟ ଭାରତ ଏବଂ ଅଷ୍ଟ୍ରେଲିଆ କୀର୍ତ୍ତିମାନ ହକି ଇତିହାସରେ ଅତୁଟ ହୋଇ ରହିବ। ସେପଟେ ରବିବାରର ପ୍ରଥମ ମ୍ୟାଚ୍‌ରେ ଭାରତଠାରୁ ପରାଜିତ ହୋଇ ଜର୍ମାନି ଚତୁର୍ଥ ସ୍ଥାନରେ ରହିଛି। ଅନ୍ୟ ପକ୍ଷରେ ଅଷ୍ଟ୍ରେଲିଆଠାରୁ ହାରି ରିଓ ଅଲିମ୍ପିକ୍ସ ସ୍ୱର୍ଣ୍ଣ ବିଜେତା ତଥା ବିଶ୍ୱ ମାନ୍ୟତାର ପ୍ରଥମ ସ୍ଥାନରେ ଥିବା ଲାଟିନ୍‌ ଆମେରିକୀୟ ଦେଶ ଆର୍ଜେଣ୍ଟିନା ଉପ ବିଜେତାରେ ସନ୍ତୁଷ୍ଟ ରହିଛି। ଉଭୟ ମ୍ୟାଚ୍‌ର ବିଜୟ ବ୍ୟବଧାନ ୨-୧ ଗୋଲ୍‌ ରହିବା ଏକ ନିଆରା ସଂଯୋଗ ଥିଲା। ଉଭୟ ଅଷ୍ଟ୍ରେଲିଆ ଏବଂ ଭାରତ ୨-୧ ଗୋଲ୍‌ରେ ଆର୍ଜେଣ୍ଟିନା ତଥା ଜର୍ମାନିକୁ ହରାଇଥିଲେ।

ରବିବାର ରାତିରେ ଖେଳା ଯାଇଥିବା ମେଗା ଫାଇନାଲର ପ୍ରଥମ କ୍ୱାର୍ଟରରେ ଉଭୟ ଦଳ ପରସ୍ପରର ଶକ୍ତି ତଉଲିବାରେ କଟାଇ ଦେଇଥିଲେ। ହେଲେ ଦ୍ୱିତୀୟ କ୍ୱାର୍ଟର ଆରମ୍ଭରୁ ଗୋଲ୍‌ ମୁଦ୍ରାକୁ ଆସି ଯାଇଥିଲେ। ଗୋଲ୍‌ କରିବାର ଶୁଭାରମ୍ଭ ବିଜେତା ଅଷ୍ଟ୍ରେଲିଆ କରିଥିଲା। ୧୭ ମିନିଟ୍‌ରେ ଅଭିଜ୍ଞ ତାରକା ଜେରମି ହେଓ୍ଵାର୍ଡ ପେନାଲ୍ଟି କର୍ନରକୁ ଗୋଲ୍‌ରେ ରୂପାନ୍ତର କରି ଅଷ୍ଟ୍ରେଲିଆକୁ ଆଗୁଆ କରି ଦେଇଥିଲେ। ଆର୍ଜେଣ୍ଟିନା ବି ପଛରେ ରହି ନଥିଲା। ମାତ୍ର ୧ ମିନିଟ୍‌ ପରେ ଅଷ୍ଟିନ ମୁଗାଲୋ ଏକ ସୁନ୍ଦର ଫିଲ୍ଡ ଗୋଲ୍‌ କରି ସ୍ଥିତି ୧-୧ କରି ନେଇଥିଲା। ପ୍ରଥମାର୍ଧ ସୁଦ୍ଧା ସେହି ସ୍ଥିତି ବଳବତ୍ତର ରହିଥିଲା। ତୃତୀୟ କ୍ୱାର୍ଟରରେ ବି କେହି କାହାରିକୁ ଗୋଲ୍‌ ଦେଇ ପାରି ନଥିଲେ। ହେଲେ ଚତୁର୍ଥ କ୍ୱାର୍ଟରର ୫୮ ମିିନିଟ୍‌ରେ ବ୍ଲାକ୍‌ ଗୋଭର୍ସ ଦେଇଥିବା ପେନାଲ୍ଟି ଗୋଲ୍‌ ଅଷ୍ଟ୍ରେଲିଆ ବିଜୟକୁ ପକ୍କା କରି ଦେଇଥିଲା। ଶେଷ ଦୁଇ ମିନିଟ୍‌ରେ ତିନିଟି ପେନାଲ୍ଟି କର୍ନର ସୁଯୋଗ ପାଇଥିଲେ ମଧ୍ୟ ଏହାକୁ ଗୋଲ୍‌ରେ ରୂପାନ୍ତର କରି ନ ପାରିବା ଆର୍ଜେଣ୍ଟିନା ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା। ପ୍ରତିଯୋଗିତାର ଶ୍ରେଷ୍ଠ କନିଷ୍ଠ ବା ଉଦୀୟମାନ ଖେଳାଳି ଭାବେ ବେଲଜିୟମର ଭିକ୍ଟର େଓ୍ଵଗନେଜ, ଶ୍ରେଷ୍ଠ ଗୋଲ୍‌ ରକ୍ଷକ ଭାବେ ଆର୍ଜେଣ୍ଟିନାର ଜୁଆନ ଭିଭାଲଡି, ସର୍ବାଧିକ ଗୋଲ୍‌ ସଂଗ୍ରହକାରୀ ଭାବେ ବେଲଜିୟମର ଲୋଇକ୍‌ ଲୁଏପାର୍ଟ (୮) ୧ ଲକ୍ଷ ଟଙ୍କା ଲେଖାଏଁ ପାଇଥିଲେ। ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ଭାବେ ଜର୍ମାନିର ମ୍ୟାଟ୍ସ ଗ୍ରାମବସ୍କ ୫ ଲକ୍ଷ ଟଙ୍କା ପାଇଥିଲେ। ରାଜ୍ୟପାଳ ଏସ୍‌ ସି ଜମିର, କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ରାଜ୍ୟ ବର୍ଦ୍ଧନ ସିଂହ ରାଠୋର, କେନ୍ଦ୍ର ତୈଳ ମନ୍ତୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ କ୍ରୀଡ଼ାମନ୍ତ୍ରୀ ପାର୍ଥ ସାରଥୀ ବେହେରା, ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପୁରସ୍କାର ବିତରଣ କରିଥିଲେ।ଅନ୍ତର୍ଜାତୀୟ ହକି ମହାସଂଘ ସଭାପତି ନରେନ୍ଦ୍ର ବାତ୍ରା, ହକି ଇଣ୍ଡିଆ ମୁଖ୍ୟ କାର୍ଯ୍ୟନିର୍ବାହୀ ଏଲିନା ନର୍ମାନ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ। ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାଂସ୍ୟ ଜିତିଥିବା ଭାରତୀୟ ଦଳକୁ ପୁରସ୍କୃତ କରିଥିଲେ। ଏହି ଅବସରରେ ଭାରତୀୟ ଦଳକୁ ଶ୍ରେଷ୍ଠ ଶୃଙ୍ଖଳିତ ଦଳ ଏବଂ ରୂପୀନ୍ଦର ପାଲ ସିଂହଙ୍କୁ ପ୍ରଶଂସକଙ୍କ ପସନ୍ଦର ଖେଳାଳି ପୁରସ୍କାର ମିଳିଥିଲା। ଶେଷରେ ଆଖି ଝଲସେଇ ଦେଲା ଭଳି ଆତସବାଜୀରେ ପ୍ରତିଯୋଗିତାର ଅବସାନ ହୋଇଥିଲା।

ସମ୍ବନ୍ଧିତ ଖବର