କ୍ୱାର୍ଟରରେ କଙ୍ଗାରୁ କମାଲ

ସ୍ପେନ୍‌କୁ ହରାଇ ସେମିରେ ଅଷ୍ଟ୍ରେଲିଆ

ଭୁବନେଶ୍ୱର: ମୌକା ଦେଖି ଚୌକା ମାରିବା ବଡ଼ ଏବଂ ଶକ୍ତିଶାଳୀ ଦଳର ସଂକେତ। ଯାହଳ ଅଷ୍ଟ୍ରେଲିଆ କରି ଦେଖାଇଲା। ଲିଗ୍‌ ପର୍ଯ୍ୟାୟରେ ଗତି ଓ ତାଳମେଳ ପାଇଁ ସଂଘର୍ଷ କରୁଥିବା କଙ୍ଗାରୁ ଦଳ କଳିଙ୍ଗ ଷ୍ଟାଡିୟମ୍‌ ପାଗ ଓ ପରିବେଶକୁ ସଠିକ୍‌ ଆକଳନ କରିନେବା ପରେ ‘କର ବା ମର’ କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ବାଜି ମାରିନେଲା। ଲିଗ୍‌ରେ ଜବରଦସ୍ତ ପ୍ରଦର୍ଶନ କରିଥିବା ସ୍ପେନ୍‌କୁ ଏକତରଫା ଭାବେ ୪-୧ ଗୋଲ୍‌ରେ ହରାଇ ସେମିଫାଇନାଲ୍‌ରେ ପ୍ରବେଶ କଲା। ରାଏପୁରରେ ହକି ବିଶ୍ୱ ଲିଗ୍‌ର ଗତ ସଂସ୍କରଣରେ ବିଜେତା ହୋଇଥିବା ଅଷ୍ଟ୍ରେଲିଆ ଲଗାତାର ଦ୍ୱିତୀୟ ଥର ପାଇଁ ବିଜେତା ହେବା ଦିଗରେ ଏକ ବଡ଼ ପାଦ ବଢ଼ାଇଲା। ଲିଗ୍‌ ପର୍ଯର୍୍ୟାୟର ତିନିଟି ଯାକ ମ୍ୟାଚ୍‌କୁ ଅମୀମାଂସିତ ରଖିଥିବା ଅଷ୍ଟ୍ରେଲିଆ ଏଥିସହ ମଧ୍ୟ ପ୍ରଥମ ବିଜୟ ହାସଲ କରିଥିଲା। ସେପଟେ ଗ୍ରୁପ୍‌ ‘ଏ’ର ଉପବିଜେତା ଭାବେ କ୍ୱାର୍ଟରକୁ ଯାଇଥିବା ସ୍ପେନ୍‌ କଙ୍ଗାରୁ ଖେଳାଳିଙ୍କ କଳା କୌଶଳ ଆଗରେ ହାର୍‌ମାନିଲା। ଏହି ଦଳ ଏବେ ପଞ୍ଚମରୁ ଅଷ୍ଟମ ସ୍ଥାନ ପାଇଁ ମୁକାବିଲା କରିବ। ବୁଧବାର ସଂଧ୍ୟାରେ ଖେଳା ଯାଇଥିବା ଏହି ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଅରମ୍ଭରୁ ତା’ର ଆଭିମୁ୍‌ଖ୍ୟ ସ୍ପଷ୍ଟ କରି ଦେଇଥିଲା। ନୂଆ ରଣନୀତିରେ ସ୍ପେନ୍‌ ଅଗ୍ରଭାଗ ଖେଳାଳିଙ୍କୁ ବାନ୍ଧି ରଖିବା ସହ ରକ୍ଷଣଭାଗ ଖେଳାଳିଙ୍କୁ ତ୍ରୁଟି କରିବାକୁ ବାଧ୍ୟ କରିଥିଲା। ଲିଗ୍‌ ପର୍ଯ୍ୟାୟରେ ଫିଲ୍ଡ ଗୋଲ୍‌ ଉପରେ ଜୋର ଦେଉଥିବା କଙ୍ଗାରୁ ଦଳ ପେନାଲ୍ଟି କର୍ନର ଅର୍ଜନ ଏବଂ ଏହାକୁ ଗୋଲ୍‌ରେ ରୂପାନ୍ତର କରିବା ଉପରେ ଅଧିକ ଜୋର ଦେଇ ସଫଳ ହୋଇଥିଲା। ବୁଧବାର ଏହି ଦଳ କରିଥିବା ଚାରିଟି ଯାକ ଗୋଲ୍‌ ପେନାଲ୍ଟି କର୍ନରରୁ ଆସିଥିଲା ମ୍ୟାଚ୍‌ର ପ୍ରଥମ ଗୋଲ୍‌ କିନ୍ତୁ ସ୍ପେନ୍‌ ଦେଇଥିଲା। ପ୍ରଥମ କ୍ୱାର୍ଟର ଗୋଲ୍‌ ଶୂନ୍ୟ ରହିବା ପରେ ଦ୍ୱିତୀୟ କ୍ୱାର୍ଟରର ପଞ୍ଚମ ମିନିଟରେ ସ୍ପେନ୍‌ ମାର୍କ ଗର୍ସିଆଙ୍କ ଏକମାତ୍ର ଫିଲ୍ଡ ଗୋଲ୍‌ ବଳରେ ଆଗୁଆ ହୋଇ ଯାଇଥିଲା। ତେବେ ସ୍ପେନ୍‌ର ଉତ୍ସାହ ସେହିଠାରେ ମରି ଯାଇଥିଲା। ଏହା ପରେ ଅଷ୍ଟ୍ରେଲିଆ ତା’ର ଅସଲ ରୂପ ଦେଖାଇଥିଲା। ଦ୍ୱିତୀୟ କ୍ୱାର୍ଟର ଶେଷ ହେବାର ଦୁଇ ମିନିଟ୍‌ ପୂର୍ବରୁ ପେନାଲ୍ଟି କର୍ନରରୁ ଗୋଲ୍‌ କରି ସ୍ଥିତି ସମାନ ସ୍ତରକୁ ନେଇ ଆସିଥିଲା। ପରେ ତୃତୀୟ କ୍ୱାର୍ଟରରେ ଗୋଟିଏ ଏବଂ ଚତୁର୍ଥରେ ଦୁଇଟି ଗୋଲ୍‌ ଦେଇ ବିଜୟ ମୁଣ୍ଡି ମାରିଥିଲା ଅଷ୍ଟ୍ରେଲିଆ ପକ୍ଷରୁ ଜେରିମି ହେଓ୍ଵାର୍ଡ (୨୮), ଆରୋନ କ୍ଲିନ୍ସଚମିଡିଟ (୪୮) ଗୋଟିଏ ଲେଖାଏଁ ଏବଂ ବ୍ଲାକ୍‌ ଗ୍ରୋଭର୍ସ (୫୦, ୫୧) ଦୁଇଟି ଗୋଲ୍‌ ଦେଇଥିଲେ। ଅଷ୍ଟ୍ରେଲିଆ ତା’ର ଶେଷ ତିନିଟି ଗୋଲ୍‌ ମାତ୍ର ୨ ମିନିଟ୍‌ ମଧ୍ୟରେ ଦେଇଥିଲା

ସମ୍ବନ୍ଧିତ ଖବର