ଭୁବନେଶ୍ବର: ଚଳିତ ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ ହକି ପୁରୁଷ ପ୍ରତିଯୋଗିତାର ଭୁବନେଶ୍ବର ଲେଗ୍‌ରେ ମଙ୍ଗଳବାର ଅଷ୍ଟ୍ରେଲିଆ ଓ ନେଦରଲାଣ୍ଡ୍‌ସ ବିଜୟୀ ହୋଇଛନ୍ତି। ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍‌ସ୍ଥିତ ହକି କମ୍ପ୍ଲେକ୍ସରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ରେ ବିଶ୍ବ ମାନ୍ୟତାର ଷଷ୍ଠ ସ୍ଥାନରେ ଥିବା ଅଷ୍ଟ୍ରେଲିଆ ୫-୦ ଗୋଲ୍‌ରେ ଏକାଦଶ ମାନ୍ୟତାପ୍ରାପ୍ତ ଆୟର୍ଲାଣ୍ଡକୁ ମାତ୍‌ ଦେଇଥିଲା। ପ୍ରଥମ କ୍ବାର୍ଟର ଗୋଲ୍‌ ଶୂନ୍ୟରେ ଶେଷ ହେବା ପରେ ଦ୍ବିତୀୟ କ୍ବାର୍ଟରରେ ଅଷ୍ଟ୍ରେଲିଆ ୩ ଗୋଲ୍‌ ଲଦି ପ୍ରଥମାର୍ଦ୍ଧକୁ ନିଜ କବ୍‌ଜା‌ରେ ରଖିଥିଲା। ତୃତୀୟ ଓ ଚତୁର୍ଥ କ୍ବାର୍ଟରରେ ଆଉ ଗୋଟିଏ ଲେଖାଏଁ ଗୋଲ୍‌ ଦେଇ ଅଷ୍ଟ୍ରେଲିଆ ୫-୦ରେ ବିଜୟୀ ହୋଇଥିଲା। ଅଷ୍ଟ୍ରେଲିଆ ପକ୍ଷରୁ କି ୱିଲଟ (୨୫, ୫୭ ମିନିଟ୍‌) ଦୁଇଟି ଏବଂ ଟମ୍‌ କ୍ରେଗ୍‌ (୧୭ ମିନିଟ୍‌), ଜେରେମି ହେୱାର୍ଡ (୨୨ ମିନିଟ୍‌) ଓ ନାଥନ ଇଫ୍ରାଉମ୍ସ (୪୩ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲେ।

Advertisment

ଦ୍ବିତୀୟ ମ୍ୟାଚ୍‌ରେ ବିଶ୍ବର ଏକ ନମ୍ବର ନେଦରଲାଣ୍ଡ୍‌ସ ୩-୦ ଗୋଲ୍‌ରେ ଅଷ୍ଟମ ମାନ୍ୟତାପ୍ରାପ୍ତ ସ୍ପେନ୍‌କୁ ମାତ୍‌ ଦେଇଛି। ଗତ ଥରର ବିଜେତା ନେଦରଲାଣ୍ଡ୍‌ସକୁ ପ୍ରଥମ କ୍ବାର୍ଟରର ଶେଷ ମିନିଟ୍‌ରେ ମିଳିଥିବା ପେନାଲ୍‌ଟି କର୍ଣ୍ଣରକୁ ୟାନ୍‌ସେନ୍‌ ଜିପ୍‌ (୧୫ ମିନିଟ୍‌) ଗୋଲ୍‌ରେ ପରିଣତ କରି ୧-୦ରେ ଆଗୁଆ କରିଥିଲେ। ୨୬ତମ ମିନିଟ୍‌ରେ ଡୁକୋ ଟେଲଗେନକାମ୍ପ ଫିଲ୍ଡ ଗୋଲ୍‌ରେ ନେଦରଲାଣ୍ଡ୍‌ସ ପ୍ରଥମାର୍ଦ୍ଧକୁ ୨-୦ରେ ନିଜ ନିୟନ୍ତ୍ରଣରେ ରଖିଥିଲା। ତୃତୀୟ କ୍ବାର୍ଟର ଗୋଲ୍‌ ଶୂନ୍ୟରେ ସରିବା ପରେ ଶେଷ କ୍ବାର୍ଟରରେ ୟାନସେନ (୫୧ ମିନିଟ୍‌) ବ୍ୟକ୍ତଗତ ଦ୍ବିତୀୟ ଗୋଲ୍‌ ଦେବା ସହ ଦଳର ବିଜୟ ବ୍ୟବଧାନକୁ ୩-୦କୁ ବଢ଼ାଇଥିଲେ।