ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ୍‌ ଶୃଙ୍ଖଳା ପାଇଁ ସୀମିତ ଓଭର ଦଳ ଘୋଷିତ:ଧୋନି, କାର୍ତିକ, ହାର୍ଦିକ ଫେରିଲେ

ମୁମ୍ବାଇ: ଜାତୀୟ ବରିଷ୍ଠ ଚୟନ ସମିତି ସୋମବାର ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ୍ ବିପକ୍ଷ ସୀମିତ ଓଭର ଶୃଙ୍ଖଳା ପାଇଁ ଭାରତୀୟ ଦଳ ଘୋଷଣା କରିଛି। ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ୍ ବିପକ୍ଷ ଦିନିକିଆ ଲାଗି ସମାନ ଦଳ ବଛାଯାଇଛି। ନ୍ୟୁଜିଲାଣ୍ଡ୍ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳା ଲାଗି ଅଲଗା ଦଳ ଚୟନ କରାଯାଇଛି। ଚଳିତ ଟେଷ୍ଟ୍ ଶୃଙ୍ଖଳା ଶେଷ ହେବା ପରେ ଭାରତ ଅଷ୍ଟ୍ରେଲିଆ ସହିତ ୩ଟି ଦିନିକିଆ ଏବଂ ନ୍ୟୁଜିଲାଣ୍ଡ୍ ଗସ୍ତ କରି‌ ସେଠାରେ ୫ ଦିନିକିଆ ଏବଂ ୩ ଟ୍ବେଣ୍ଟି-୨୦ ଖେଳିବ।
ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଟ୍ବେଣ୍ଟି-୨୦ ଦଳକୁ ପ୍ରତ୍ୟାବର୍ତନ କରିଛନ୍ତି। ସେହିଭଳି ଦିନିକିଆ ଦଳକୁ ଦୀନେଶ କାର୍ତିକ ଏବଂ ହାର୍ଦିକ ପାଣ୍ଡ୍ୟା ଫେରିଛନ୍ତି। ଟେଷ୍ଟ୍ ଶୃଙ୍ଖଳା ଖେଳୁଥିବା ଯୁବ ୱିକେଟ୍‌ରକ୍ଷକ ଋଷବ ପନ୍ତଙ୍କୁ ଦିନିକିଆ ଦଳରେ ସୁଯୋଗ ଦିଆଯାଇ ନାହିଁ। ସେ ସ୍ବେଦେଶ ଫେରି ଇଂଲଣ୍ଡ ଲାୟନ୍ସ ବିପକ୍ଷ ଦିନିକିଆ ଶୃଙ୍ଖଳା ଖେଳିବା ପରେ ଫେବ୍ରୁଆରିରେ ନ୍ୟୁଜିଲାଣ୍ଡ୍ ଗସ୍ତ କରି ଟ୍ବେଣ୍ଟି-୨୦ ଦଳରେ ସାମିଲ ହେବେ। ଏହି ଦଳରେ ଅନ୍ୟ ଦୁଇ ୱିକେଟ୍‌ରକ୍ଷକ ଭାବେ ଧୋନି ଏବଂ କାର୍ତିକ ମଧ୍ୟ ରହିଛନ୍ତି। ଧୋନି ଗତ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଘରୋଇ ଦିନିକିଆ ଏବଂ ଅଷ୍ଟ୍ରଲିଆ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ଖେଳିନଥିଲେ। ଉମେଶ ଯାଦବ ଦଳରୁ ବାଦ୍ ପଡ଼ିଥିବା ବେଳେ ମନୀଷ ପାଣ୍ଡେ, ଶ୍ରେୟସ ଆୟର, ସ୍ପିନ୍ ବୋଲିଂ ଅଲରାଉଣ୍ଡର୍ ୱାସିଂଟନ୍ ସୁନ୍ଦର ସୁଯୋଗରୁ ବଞ୍ଚିତ ହୋଇଛନ୍ତି।
ଡିସେମ୍ବର ୨୬ ଏବଂ ଜାନୁଆରି ୩ ତାରିଖରୁ ଭାରତ ପରବର୍ତୀ ୨ ଟେଷ୍ଟ୍ ଖେଳିବା ପରେ ଜାନୁଆରି ୧୨, ୧୫ ଏବଂ ୧୮ ତାରିଖରେ ଅଷ୍ଟ୍ରେଲିଆ ସହ ଦିନିକିଆ ଶୃଙ୍ଖଳା ଖେଳିବ। ଏହି ୩ ଦିନିକିଆ ସିଡନି, ଆଡିଲେଡ୍‌ ଏବଂ ମେଲବର୍ନରେ ଖେଳାଯିବ। ଏହା ପରେ ଭାରତୀୟ ଦଳ ନ୍ୟୁଜିଲାଣ୍ଡ୍ ଗସ୍ତ କରିବ। ୫ ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ମ୍ୟାଚ୍‌ଗୁଡ଼ିକ ଜାନୁଆରି ୨୩, ୨୬, ୨୮, ୩୧, ଫେବ୍ରୁଆରି ୩ରେ‌ ଖେଳାଯିବ। ୩ ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳା ଫେବ୍ରୁଆରି ୬, ୮, ୧୦ରେ ଖେଳାଯିବ।
ଦିନିକିଆ ଦଳ (ବନାମ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ୍‌): ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ଉପ ଅଧିନାୟକ), ଲୋକେଶ ରାହୁଲ, ଶିଖର ଧାୱନ, ଅମ୍ବାତି ରାୟୁଡୁ, ଦୀନେଶ କାର୍ତିକ, କେଦାର ଯାଦବ, ମହେନ୍ଦ୍ର ସିଂହ ଧୋନି (ୱିକେଟ୍‌ରକ୍ଷକ), ହାର୍ଦିକ ପାଣ୍ଡ୍ୟା, କୁଲ୍‌ଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ରବୀନ୍ଦ୍ର ଜାଦେଜା, ଭୁବନେଶ୍ବର କୁମାର, ଯଶ୍‌ପ୍ରୀତ୍ ବୁମରା, ଖଲିଲ୍ ଅହମ୍ମଦ, ମହମ୍ମଦ ସାମି।
ଟ୍ବେଣ୍ଟି-୨୦ ଦଳ (ବନାମ ନ୍ୟୁଜିଲାଣ୍ଡ୍‌): ବିରାଟ କୋହଲି (ଅଧିନାୟକ, ରୋହିତ ଶର୍ମା (ଉପ ଅଧିନାୟକ), ଲୋକେଶ ରାହୁଲ, ଶିଖର ଧାୱନ, ଋଷବ ପନ୍ତ୍‌, ଦୀନେଶ କାର୍ତିକ, କେଦାର ଯାଦବ, ମହେନ୍ଦ୍ର ସିଂହ ଧୋନି (ୱିକେଟ୍‌ରକ୍ଷକ), ହାର୍ଦିକ ପାଣ୍ଡ୍ୟା, କୃନାଲ ପାଣ୍ଡ୍ୟା, କୁଲ୍‌ଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଭୁବନେଶ୍ବର କୁମାର, ଯଶ୍‌ପ୍ରୀତ୍ ବୁମରା, ଖଲିଲ୍ ଅହମ୍ମଦ।

ସମ୍ବନ୍ଧିତ ଖବର