ମେଲ୍ବର୍ନ: ମହିଳା ଏକକରେ ବିଶ୍ବ ମାନ୍ୟତାର ଦ୍ବିତୀୟ କାରୋଲିନା ପ୍ଲିସ୍କୋଭା ଚଳିତ ବର୍ଷର ପ୍ରଥମ ଗ୍ରାଣ୍ଡ୍ସ୍ଲାମ୍ ଅଷ୍ଟ୍ରେଲିଆନ୍ ଓପନ୍ ଟେନିସ୍ ପ୍ରତିଯୋଗିତାରୁ ବିଦାୟ ନେଇଛନ୍ତି। ଶନିବାର ତୃତୀୟ ରାଉଣ୍ଡ୍ରେ ଏହି ଚେକ୍ ଗଣରାଜ୍ୟ ଲଳନା ପ୍ରାୟ ୨ ଘଣ୍ଟା ୨୫ ମିନିଟ୍ ଧରି ପ୍ରବଳ ସଂଘର୍ଷ କରିବା ସତ୍ତ୍ବେ ସିଧାସଳଖ ୬-୭ ଓ ୬-୭ ସେଟ୍ରେ ରୁଷିଆର ଆନାସ୍ତେସିଆ ପାଭ୍ଲିଚେଙ୍କୋଭାଙ୍କ ନିକଟରୁ ପରାସ୍ତ ହୋଇଛନ୍ତି। ପାଭ୍ଲିଚେଙ୍କୋଭା ମଧ୍ୟ ୭ ଥର ମୁହାଁମୁହିଁ ପରେ ପ୍ଲିସ୍କୋଭାଙ୍କ ବିପକ୍ଷରେ ନିଜ ଜୀବନର ପ୍ରଥମ ବିଜୟ ହାସଲ କରିଛନ୍ତି। ଏହି ପ୍ରତିଯୋଗିତାରେ ଉଚ୍ଚ ମାନ୍ୟତାପ୍ରାପ୍ତ ଖେଳାଳି ଭାବେ ପ୍ଲିସ୍କୋଭା ତୃତୀୟ ରାଉଣ୍ଡ୍ରୁ ବିଦାୟ ନେଇଥିବା ନାଓମି ଓସାକା, ସେରେନା ୱିଲିୟମ୍ସଙ୍କ ସହ ଯୋଡ଼ି ହୋଇଯାଇଛନ୍ତି। ମହିଳା ଏକକରେ ଅନ୍ୟ ମାନ୍ୟତାପ୍ରାପ୍ତ ଖେଳାଳିଙ୍କ ମଧ୍ୟରେ ଏଲିନା ସ୍ବିତୋଲିନା (ପଞ୍ଚମ) ଓ ବେଲିନ୍ଦା ବେନ୍ସିକ୍ (ଷଷ୍ଠ) ମଧ୍ୟ ଏହି ରାଉଣ୍ଡରୁ ବିଦାୟ ନେଇଛନ୍ତି। ସ୍ବିତୋଲିନାଙ୍କୁ ୬-୧, ୬-୨ରେ ଗାର୍ବିନେ ମୁଗୁରୁଜା ଏବଂ ବେନ୍ସିକ୍ଙ୍କୁ ୬-୦, ୬-୧ରେ ଆନେଟ୍ କୋଣ୍ଟାଭିଟ୍ ପରାସ୍ତ କରି ବିଦାୟ ରାସ୍ତା ଦେଖାଇଛନ୍ତି। ଚତୁର୍ଥ ରାଉଣ୍ଡ୍ରେ ପାଭ୍ଲିଚେଙ୍କୋଭାଙ୍କ ମୁକାବିଲା ତିନି ଥର ଗ୍ରାଣ୍ଡ୍ ସ୍ଲାମଥ ବିଜୟିନୀ ଆଞ୍ଜେଲିକ୍ କର୍ବରଙ୍କ ସହ ହେବ। ଅନ୍ୟ ମହିଳା ଏକକରେ କର୍ବର ଓ ସିମୋନା ହାଲେପ୍ ବିଜୟଧାରା ଜାରି ରଖି ଚତୁର୍ଥ ରାଉଣ୍ଡ୍ରେ ସ୍ଥାନ ସୁରକ୍ଷିତ କରିନେଇଛନ୍ତି। ତୃତୀୟ ରାଉଣ୍ଡରେ ଜର୍ମାନିର ସପ୍ତଦଶ ମାନ୍ୟତାପ୍ରାପ୍ତ କର୍ବର ୧ ଘଣ୍ଟା ୮ ମିନିଟ୍ ଲଢ଼ିବା ପରେ ୬-୨, ୬-୭ ଓ ୬-୩ ସେଟ୍ରେ ଇଟାଲିର କାମିଲା ଜିଓର୍ଜୀଙ୍କୁ ପରାସ୍ତ କରିଥିଲେ। ଏଥିସହିତ କାମିଲାଙ୍କ ବିପକ୍ଷରେ ମଧ୍ୟ ଅପରାଜେୟ ରହି ବିଜୟ ଧାରାକୁ ୫-୦ କରିଦେଇଥିଲେ। କର୍ବର ଏଠାରେ ୨୦୧୬ରେ ଟ୍ରଫି ଜିତିଥିଲେ। ଅନ୍ୟପରେ ରୋମାନିଆ ଲଳନା ହାଲେପ ତୃତୀୟ ରାଉଣ୍ଡ୍ରେ କାଜାକସ୍ତାନର ଜୁଲିଆ ପୁଟିନ୍ସେଭାଙ୍କୁ ସିଧାସଳଖ ୬-୧ ଓ ୬-୪ ସେଟ୍ରେ ପରାସ୍ତ କରିଥିଲେ।
ପୁରୁଷ ଏକକରେ ଶୀର୍ଷ ମାନ୍ୟତାପ୍ରାପ୍ତ ରାଫେଲ ନାଦାଲ ବିଜୟଧାରା ଜାରି ରଖି ଚତୁର୍ଥ ରାଉଣ୍ଡ୍ରେ ପହଞ୍ଚି ଯାଇଛନ୍ତି। ଏହି ସ୍ପେନ୍ ତାରକା ଶନିବାର ତୃତୀୟ ରାଉଣ୍ଡରେ ନିଜ ଦେଶର ପାବଲୋ କାରେନୋ ବୁସ୍ତାଙ୍କୁ ସିଧାସଳଖ ୬-୧, ୬-୨ ଓ ୬-୪ ସେଟ୍ରେ ପରାସ୍ତ କରିଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଚତୁର୍ଥ ମାନ୍ୟତାପ୍ରାପ୍ତ ଡାନିଲ ମେଡ୍ଭେଡେଭ୍, ପଞ୍ଚମ ମାନ୍ୟତାପ୍ରାପ୍ତ ଡୋମିନିକ୍ ଥିମ୍, ସପ୍ତମ ମାନ୍ୟତାପ୍ରାପ୍ତ ଆଲେକ୍ଜାଣ୍ଡର ଭେରେଭ୍, ଦଶମ ମାନ୍ୟତାପ୍ରାପ୍ତ ଗେଲ୍ ମୋନ୍ଫିଲ୍ସ ନିଜ ନିଜର ସହଜ ବିଜୟ ସହ ଆଗକୁ ବଢ଼ିଛନ୍ତି।
ଅଷ୍ଟ୍ରେଲିଆନ୍ ଓପନ୍ ମିଶ୍ରିତ ଯୁଗଳରେ ଭାରତୀୟ ତାରକା ରୋହନ ବୋପାନ୍ନା ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ସାନିଆ ମିର୍ଜା ପ୍ରତିଯୋଗିତାରୁ ଓହରିଯିବା ପରେ ୟୁକ୍ରେନ୍ର ନାଦିଆ କିଚେନୋକ୍ଙ୍କୁ ସାଥୀ କରିଥିବା ବୋପାନ୍ନା ଶନିବାର ପ୍ରଥମ ରାଉଣ୍ଡରେ ପ୍ରାୟ ୧ ଘଣ୍ଟା ୧୫ ମିନିଟ୍ ସଂଘର୍ଷ କରିବା ପରେ ୟୁକ୍ରେନ୍-ଆମେରିକା ଯୋଡ଼ି ଲୁଡ୍ମିଲା କିଚେନୋକ୍ ଓ ଅଷ୍ଟିନ୍ କ୍ରାଜିସେକ୍ଙ୍କୁ ୭-୫, ୪-୬ ଓ ୧୦-୬ ସେଟ୍ରେ ପରାସ୍ତ କରି ଦ୍ବିତୀୟ ରାଉଣ୍ଡ୍ରେ ସ୍ଥାନ ସୁରକ୍ଷିତ କରିନେଇଛନ୍ତି। ଦ୍ବିତୀୟ ରାଉଣ୍ଡ୍ରେ ବୋପାନ୍ନା-ନାଦିଆଙ୍କ ମୁକାବିଲା ଆମେରିକା-ବ୍ରାଜିଲ ଯୋଡ଼ି ନିକୋଲେ ମେଲିଚର ଓ ବ୍ରୁନୋ ସୋରେସ୍ଙ୍କ ସହ ହେବ।