ଭେନସ୍‌ ବିଦା: ସେରେନା, ଜୋକୋଭିକ, ଫେଡେରର୍‌ଙ୍କ ବିଜୟ ଅଭିଯାନ

ମେଲ୍‌ବର୍ଣ୍ଣ: ଚଳିତ ବର୍ଷର ପ୍ରଥମ ଗ୍ରାଣ୍ଡ୍ ସ୍ଲାମ୍‌ ଅଷ୍ଟ୍ରେଲିଆନ୍‌ ଓପନ୍‌ ଟେନିସ ପ୍ରତିଯୋଗିତା ସୋମବାରଠୁ ଆରମ୍ଭ ହୋଇଛି। ପ୍ରଥମ ଦିନରେ ବର୍ଷା ବାଧକ ହୋଇଛି। ବର୍ଷା ପାଇଁ କିଛି ମ୍ୟାଚ୍‌ ସ୍ଥଗିତ ରଖାଯାଇଛି। ତେବେ ଖେଳାଯାଇଥିବା ମ୍ୟାଚ୍‌ରେ ପୁରୁଷ ତାରକାଙ୍କ ମଧ୍ୟରେ ସର୍ବିୟାର ନୋଭାକ ଜୋକୋଭିକ, ସ୍ବିଜରଲାଣ୍ଡର ରୋଜର ଫେଡେରର୍‌, ଗ୍ରିକ୍‌ର ‌ଷ୍ଟିଫାନୋସ ସିସିପାସ ଓ ଇଟାଲିର ମାତିଓ ବର୍ତେନି ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ସେହିପରି ମହିଳା ଏକକରେ ଅଷ୍ଟ୍ରେଲିଆର ଆସ୍‌ଲେ ବାର୍ଟି, ଆମେରିକାର ସେରେନା ୱିଲିୟମ୍ସ, ଜାପାନ୍‌ର ନାଓମି ଓସକା ଓ ଚେକ୍‌ଗଣରାଜ୍ୟର ପେଟ୍ରା କ୍ବିତୋଭା ପ୍ରଥମ ବାଧା ଅତିକ୍ରମ କରିଛନ୍ତି। ହେଲେ ସେରେନାଙ୍କ ଭଉଣୀ ଭେନସ ୱିଲିୟମ୍ସଙ୍କୁ ପ୍ରଥମ ପର୍ଯ୍ୟାୟରୁ ବିଦାୟ ନେବାକୁ ପଡ଼ିଛି। ସେ ୬-୭, ୩-୬ ସେଟ୍‌ରେ ନିଜ ଦେଶର ୧୫ ବର୍ଷୀୟ ଯୁବତୀ କୋରି ଗୌଫଙ୍କଠୁ ହାରି ଯାଇଛନ୍ତି।

ସୋମବାର ପୁରୁଷ ଏକକ ମୁକାବିଲାରେ ଦ୍ବିତୀୟ ମାନ୍ୟତାପ୍ରାପ୍ତ ଜୋକୋଭିକ ୭-୬, ୬-୨, ୨-୬, ୬-୧ ସେଟ୍‌ରେ ଜର୍ମାନିର ଜାନ୍‌-ଲେନାର୍ଡ ଷ୍ଟ୍ରୁଫ୍‌ଙ୍କୁ, ‌ତୃତୀୟ ମାନ୍ୟତାପ୍ରାପ୍ତ ଫେଡେରର୍‌ ୬-୩, ୬-୨, ୬-୨ ସେଟ୍‌ରେ ଆମେରିକାର ‌ଷ୍ଟିଭ୍‌ ଜନ୍‌ସନ୍‌ଙ୍କୁ, ଷଷ୍ଠ ମାନ୍ୟତାପ୍ରାପ୍ତ ସିସପାସ ୬-୦, ୬-୨ଳ ୬-୩ ସେଟ୍‌ରେ ଇଟାଲିର ସାଲ‌ଭାଟ୍ରୋ କାରୁ‌ସୋଙ୍କୁ, ଅଷ୍ଟମ ମାନ୍ୟତାପ୍ରାପ୍ତ ବର୍ତେନି ୬-୩, ୬-୧, ୬-୩ ସେଟ୍‌ରେ ଅଷ୍ଟ୍ରେଲିଆର ଆଣ୍ଡ୍ର୍ୟୁ ହାରିସଙ୍କୁ ପରାସ୍ତ କରି ଦ୍ବିତୀୟ ପର୍ଯ୍ୟାୟରେ ପହଞ୍ଚିଥିଲେ। ସେହିପରି ମହିଳା ଏକକରେ ଶୀର୍ଷ ମାନ୍ୟତାପ୍ରାପ୍ତ ବାର୍ଟି ୫-୭, ୬-୧, ୬-୧ ସେଟ୍‌ରେ ୟୁକ୍ରେନ୍‌ର ଲେସିଆ ସୁରେଙ୍କୋଙ୍କୁ, ଅ‌ଷ୍ଟମ ମାନ୍ୟତାପ୍ରାପ୍ତ ସେରେନା ୬-୦, ୬-୩ ସେଟ୍‌ରେ ରୁଷିଆର ଆନାସ୍ତାସିଆ ପୋଟାପୋଭାଙ୍କୁ, ତୃତୀୟ ମାନ୍ୟତାପ୍ରାପ୍ତ ଓସକା ୬-୨, ୬-୪ ସେଟ୍‌ରେ ଚେକ୍‌ଗଣରାଜ୍ୟର ମାରିଆ ବୌକୋଭାଙ୍କୁ, ସପ୍ତମ ମାନ୍ୟତାପ୍ରାପ୍ତ କ୍ବିତୋଭା ୬-୧, ୬-୦ ସେଟ୍‌ରେ ନିଜ ଦେଶର କାଟେରିନା ସିନିଓ କୋଭାଙ୍କୁ ହରାଇ ପରବର୍ତ୍ତୀ ପର୍ଯ୍ୟାୟରେ ସ୍ଥାନ ପକ୍କା କରିଥିଲେ।

ସମ୍ବନ୍ଧିତ ଖବର